ହାଇଦ୍ରାବାଦ,୧୩/୦୪: ରବିବାର ରାତ୍ରି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି । ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ (କୋଟଲା ଗ୍ରାଉଣ୍ଡ)ରେ ଏହି ମ୍ୟାଚ୍ ଖେଳାଯିବ । ଘରୋଇ ଗ୍ରାଉଣ୍ଡ୍ରେ ବିଜୟ ଧାରାକୁ ଆଗେଇ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରସ୍ତୁତ ରହିଛି । ଅନ୍ୟପଟରେ ବିଜୟ ପାଇଁ ବ୍ୟାକୁଳ ମୁମ୍ବାଇ ଇଣ୍ଡିଆନ୍ସ ତ୍ରୁଟି ସୁଧାରିବାରେ ଲାଗିଛି ।
ପୂର୍ବ ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରେ ରହିଥିଲେ ହେଁ ବର୍ତ୍ତମାନର ଫର୍ମକୁ ଦେଖିଲେ ଆଜି ଦିଲ୍ଲୀ କ୍ୟାପିଟାଲ୍ସର ପଲା ଭାରି ରହିବ। କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ହାରି ନାହିଁ । ୪ଟି ମ୍ୟାଚ୍ ଜିତି କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ବିଶେଷ କରି ଶୃଙ୍ଖଳିତ ବୋଲିଂ ଓ ଚତୁର ରଣକୌଶଳ କ୍ୟାପିଟାଲ୍ସ ଦଳର ବିଜୟ ମନ୍ତ୍ର ରହିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ସବୁ ବିଭାଗରେ ଫେଲ ମାରିଛି । ପ୍ରଦର୍ଶନ ସମେତ ଏକାଦଶ ଚୟନ ଓ ବ୍ୟାଟିଂ ଅର୍ଡର ପ୍ରସ୍ତୁତ କରିବାରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିଫଳ ହୋଇଛି ।
ଦଳର ପ୍ରାୟତଃ ସବୁ ବ୍ୟାଟର ଟପ୍ ଅର୍ଡରରେ ଖେଳିବାର ଅଭିଜ୍ଞତା ରଖିଛନ୍ତି । ତେଣୁ ବ୍ୟାଟିଂ ଅର୍ଡରକୁ ନେଇ ସମସ୍ୟା ଦେଖା ଦେଇଛି । ରୋହିତ ଶର୍ମା ଓ ର୍ୟାନ ରିକେଲଟନ ଓପନ କରୁଥିବାବେଳେ ୱିଲ ଜ୍ୟାକ୍ସ, ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆଗ୍ରହୀ । ଏମାନଙ୍କୁ ପରବର୍ତ୍ତୀ ୩ଟି ସ୍ଥାନରେ ଖେଳାଯିବା ଦ୍ୱାରା ବ୍ୟାଟିଂ ପ୍ରଭାବିତ ହେଉଛି । ସେହିପରି ନିମ୍ନ ମଧ୍ୟକ୍ରମରେ ଏକମାତ୍ର ବିସ୍ଫୋରକ ବ୍ୟାଟର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ଅନ୍ୟ କେହି ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ତେଣୁ ବ୍ୟାଟିଂ କ୍ରମକୁ ସୁଧାରିପାରିଲେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜୟ ଖାତା ଖୋଲିପାରିବ ।
ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଏକମାତ୍ର ସମସ୍ୟା ରହିଛି ଓପନିଂ ବିଭାଗ । ଜେକ ଫ୍ରେଜର-ମ୍ୟାକ୍ଗର୍କ ବାରମ୍ବାର ବିଫଳ ହେଉଛନ୍ତି । ମାତ୍ର ୪ନଂ ସ୍ଥାନରେ କେଏଲ ରାହୁଲ ଦମ୍ଦାର ପ୍ରଦର୍ଶନ କରୁଥିବାରୁ ଦଳର ତ୍ରୁଟି ନଜରକୁ ଆସୁନାହିଁ । ବାକି ବୋଲିଂ ବିଭାଗ ବେଶ୍ ଚମତ୍କାର ପ୍ରଦର୍ଶନ କରୁଛି ।
ଉଭୟ ଦଳ ମଧ୍ୟରେ ମୋଟ୍ ୩୫ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ଟି ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୬ଟି ମ୍ୟାଚ୍ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଆଜି ଯଶପ୍ରୀତ ବୁମରାଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଫିଟ୍ ହୋଇ ଦଳକୁ ଫେରିଛନ୍ତି ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଏକ ମ୍ୟାଚ୍ ଖେଳିଛନ୍ତି ।
ଆସନ୍ତାକାଲି ସେ ଲୟକୁ ଫେରି ଶ୍ରେଷ୍ଠ ବୋଲିଂ କରିବେ ବୋଲି ଆଶା କରାଯାଉଛି । ସେହିପରି ରୋହିତ ଶର୍ମାଙ୍କ ଫର୍ମକୁ ନେଇ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚିନ୍ତାରେ ରହିଛି । କୋଟଲା ଗ୍ରାଉଣ୍ଡ ତାଙ୍କ ଭାଗ୍ୟ ବଦଳାଇବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି । ଆଜି ର୍ୟାନ ରିକେଲଟନଙ୍କୁ ଏକାଦଶରୁ ବାଦ ଦେଇ ରବିନ ମିଞ୍ଜଙ୍କୁ ଖେଳାଇଲେ ବ୍ୟାଟିଂ କ୍ରମ ସୁଧୁରି ପାରିବ । ରୋହିତ ଓ ୱିଲ ଜ୍ୟାକ୍ସ ପାଳି ଆରମ୍ଭ କରିବେ । ତିଳକ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପରବର୍ତ୍ତୀ ୩ଟି ସ୍ଥାନରେ ଖେଳିବେ । ଆବଶ୍ୟକ ପଡ଼ିଲେ ରିକେଲଟନ ଇମ୍ପାକ୍ଟ ସବ୍ ଭାବେ ଏକାଦଶକୁ ଫେରିପାରିବେ ।
କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ସ୍ୱର୍ଗ କହିଲେ ଭୁଲ ହେବ ନାହିଁ । ଆଜି ଏଠାରେ ବିଶାଳ ସ୍କୋର ହେବାର ସମ୍ଭାବନା ରହିଛି । ରାତ୍ରିରେ ମ୍ୟାଚ୍ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ।
ସମ୍ଭାବ୍ୟ ଦ୍ୱାଦଶ
ଦିଲ୍ଲୀ କ୍ୟାପିଟାଲ୍ସ :- ଫାଫ ଡୁ ପ୍ଲେସି, ଜେକ ଫ୍ରେଜର-ମ୍ୟାକଗର୍କ, ଅଭିଷେକ ପୋରେଲ/ କରୁଣ ନାଏର, କେଏଲ ରାହୁଲ, ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ଅକ୍ଷର ପଟେଲ(ଅଧିନାୟକ), ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୁକେଶ କୁମାର, ମୋହିତ ଶର୍ମା ।
ମୁମ୍ବାଇ ଇଣ୍ଡିଆନ୍ସ :- ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ୱିଲ ଜ୍ୟାକ୍ସ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ବିଘ୍ନେଶ ପୁଥୁର ।