ଲକ୍ଷ୍ନୌ,୧୪/୪: ଆଇପିଏଲ୍ର ୩୦ତମ ଲିଗ୍ ମ୍ୟାଚ୍ରେ ଆଜି ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଓ ୫ଥର ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସ ସାମ୍ନାସାମ୍ନି ହେବେ । ରିଷଭ ପନ୍ତଙ୍କ ସୁପରଜାଏଣ୍ଟ୍ସ ଦଳ କ୍ରମାନ୍ୱୟରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଏମ୍ଏସ୍ ଧୋନିଙ୍କ ସୁପରକିଙ୍ଗ୍ସଙ୍କ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି । ଆଜି ଦଳ ପରାଜୟଧାରାରେ ବ୍ରେକ ଲଗାଇବାକୁ ସବୁ ଶକ୍ତି ଖଟାଇବ ।
ସୁପରକିଙ୍ଗ୍ସ କ୍ରମାନ୍ୱୟରେ ୫ଟି ମ୍ୟାଚ୍ ହାରି ପଏଣ୍ଟ ତାଲିକାରେ ସବା ଶେଷରେ ରହିଛି । ନିୟମିତ ଅଧିନାୟକ ଋତୁରାଜ ଗାଏକୱାଡ୍ ଆହତ ହୋଇ ବାଦ୍ ପଡ଼ିବା ପରେ ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯାଇଛି । ଆଜି ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଧୋନିଙ୍କ ନେତୃତ୍ୱରେ ଦଳର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଥିଲା । ମାତ୍ର ଗତ ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ପୂର୍ବ ପ୍ରଦର୍ଶନକୁ ଭୁଲି ଦଳ ଆଜି ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି ।
ସୁପରଜାଏଣ୍ଟ୍ସ ୬ଟି ମ୍ୟାଚ୍ ଖେଳି ୪ବିଜୟ, ୨ ପରାଜୟ ସହ ମୋଟ ୮ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଦଳ ଏକ ଶକ୍ତିଶାଳୀ ଏକାଦଶ ପ୍ରସ୍ତୁତ କରିସାରିଛି । ଟପ୍ ଅର୍ଡ଼ରରେ ଆଡେନ ମାରକ୍ରମ, ମିଚେଲ ମାର୍ଶ ଓ ନିକୋଲାସ ପୂରନ ଜବରଦସ୍ତ ଫର୍ମରେ ଅଛନ୍ତି । ଖାସ୍ କରି ପୂରନଙ୍କ ବ୍ୟାଟିଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେ ୬ଟି ମ୍ୟାଚ୍ରୁ ୩୧ଟି ଛକା ମାରି ସାରିଛନ୍ତି । ମାର୍ଶ ପୂର୍ବ ମ୍ୟାଚ୍ ଖେଳିନଥିଲେ । ଆସନ୍ତାକାଲି ସେ ଏକାଦଶକୁ ଫେରିବେ । କେବଳ ପନ୍ତଙ୍କ ଫର୍ମ ଚିନ୍ତାଜନକ ରହିଛି । ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି ।
ଉଭୟ ଦଳ ପୂର୍ବରୁ ୫ଥର ପରସ୍ପରକୁ ଭେଟିଛନ୍ତି । ସୁପରଜାଏଣ୍ଟ୍ସ ୩ଟି ଓ ସୁପରକିଙ୍ଗ୍ସ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଗତ ସିଜନରେ ସୁପରଜାଏଣ୍ଟ୍ସ ୨ଟି ଯାକ ମ୍ୟାଚ୍ ବିଜୟୀ ହୋଇଥିଲା ।
ଏକାନ୍ନା ଷ୍ଟାଡିୟମର ପିଚ୍ ପେସ୍ ଓ ସ୍ପିନରଙ୍କୁ ସହାୟତା କରୁଛି । ଏଠାରେ ୧୦ଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୬ଟି ଜିତିଛନ୍ତି । ଆଜି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
-:ସମ୍ଭାବ୍ୟ ଦ୍ୱାଦଶ:-
ସୁପରଜାଏଣ୍ଟ୍ସ: ଆଡେନ ମାରକ୍ରମ, ମିଚେଲ ମାର୍ଶ/ହିମତ ସିଂହ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଡେଭିଡ୍ ମିଲର, ଅବଦୁଲ ସମଦ, ସର୍ଦୁଲ ଠାକୁର, ଆକାଶ ଦୀପ, ରବି ବିଷ୍ଣୋଇ, ଅଭେଶ ଖାନ, ଦିଗଭେଶ ରାଠି ।
ସୁପରକିଙ୍ଗ୍ସ: ଡେଭନ କନୱେ, ରଚିନ ରବିନ୍ଦ୍ର, ରାହୁଲ ତ୍ରିପାଠୀ, ବିଜୟ ଶଙ୍କର, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମ୍ଏସ୍ ଧୋନି (ଅଧିନାୟକ), ଆର୍ ଅଶ୍ୱିନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ମଥିଶା ପତିରଣା ।
ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ; ୧୨ ରନ୍ରେ ଜିତିଲା ମ୍ୟାଚ୍