ନୂଆଦିଲ୍ଲୀ: ବଦଗୁଣ ଛାଡି ପାରୁନି ପଡୋଶି ପାକିସ୍ଥାନ। ଖୋଦ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଭାରତ ସହ ଶାନ୍ତି ବୁଝାମଣା କରିବାକୁ ଚାହୁଁଥିବା ଘୋଷଣା କରିବା ପରେ ନିଜ ଅସଲି ରଙ୍ଗ ଦେଖାଇଛି ପାକିସ୍ତାନ। କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଏଲଓସି ନିକଟରେ ହେଉଥିବା ଏକ ଅନୁପ୍ରବେଶକୁ ଭାରତୀୟ ସେନା ପଣ୍ଡ କରିଦେଇଛି। ଖବର ଅନୁଯାୟୀ ଫେବୃୟାରି ୪-୫ ମଧ୍ୟରାତ୍ରରେ ପାକିସ୍ତାନ ପଟୁ ଏଲଓସିରେ ସାତଜଣ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ଭାରତୀୟ ସେନା ଗୁଳି ଚଳାଇଥିଲା। ସେନା ଗୁଳିରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୃତକ ମାନଙ୍କ ମଧ୍ୟରେ ୩ ଜଣ ପାକିସ୍ଥାନି ଯବାନ ଥିବା ନେଇ ସୂଚନା ମିଳିଛି।
ସୂଚନା ମୁତାବକ, ଏହି ଘଟଣା ଜମ୍ମୁକାଶ୍ମୀରର ପୁଞ୍ଜ ଅଞ୍ଚଳର କ୍ରିଷ୍ଣା ଘାଟି ଅଞ୍ଛଳରେ ଘଟିଛି। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଅଞ୍ଚଳରେ କାଶ୍ମୀର ସଂହତି ଦିବସ ନାମରେ ଏକ ଭାରତ ବିରୋଧି କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷିରେ ଏହି ଅନୁପ୍ରବେଶ ହୋଇଥିବା ନେଇ ସୂଚନା ମିଳିଛି। ସେନା ଗୁଳିରେ ପ୍ରାଣ ହରାଇଥିବା ପାକିସ୍ଥାନୀମାନେ ପାକିସ୍ତାନ ଆକ୍ସନ ଟିମ(ବ୍ୟାଟ)ର ସଦସ୍ୟା ଥିବା ଜଣା ପଡିଛି। ଏହି ଟିମକୁ ବିଶେଷକରି ଅବୈଧ ଭାବେ ସୀମା ପାର କରିବା ପାଇଁ ବନାଯାଇଛି। ତେବେ ମୃତ ସମସ୍ତ ୭ଜଣଙ୍କ ମଧ୍ୟରୁ ୩ଜଣ ପାକିସ୍ତନର ଯବାନ ଥିବା ନେଇ ଚିହ୍ନଟ କରାଯାଇଛି।
ଅନ୍ୟପଟେ ଭାରତର ଜମ୍ମୁକାଶ୍ମୀରକୁ ନେଇ ଗୋଟିଏ ଆଭିମୁଖ୍ୟ ରହିଛି। ଜମ୍ମୁ, କାଶ୍ମୀର ଓ ଲଦାଖ ଭାରତରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଓ ରହିବ ବୋଲି ଭାରତର କଡା ଆଭିମୁଖ୍ୟ ରହିଆସିଛି। ତେବେ ଆତଙ୍କବାଦ ଏବଂ ହିଂସାମୁକ୍ତ ପରିବେଶରେ ହିଁ ପାକିସ୍ତାନ ସହିତ ଭଲ ସମ୍ପର୍କ ସମ୍ଭବ ବୋଲି ଭାରତ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟଫର୍ମରେ କହି ଆସୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମସିହାରେ ଜମ୍ମୁକାଶ୍ମୀରରୁ ଆର୍ଟିକିଲ ୩୭୦ ଉଚ୍ଛେଦ କରି ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିଥିଲେ। ଆଉ ଏହା ପରଠୁ ଚିନ୍ତାରେ ପଡିଛି ପାକିସ୍ତାନ। ସେବେଠୁ ଦୁଇଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ସହ ବାଣିଜ୍ୟ କାରବାରରେ ଅବନତି ପରିଲକ୍ଷିତ ହୋଇଛି।
ବିଗତ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କୀ ଆକ୍ରମଣରେ ବୃଦ୍ଧି ଘଟିଛି। ଏହି ଆକ୍ରମଣରେ ମୋଟ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତା ମଧ୍ୟରେ ୧୮ ଜଣ ସୁରକ୍ଷା କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।