ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବହିଃସଂସ୍ଥାନ କର୍ମନିଯୁକ୍ତିର ପ୍ରଭାବ...

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ତଥା ପରିବାର  ପ୍ରତିପୋଷଣ କରିବା ପାଇଁ ରୋଜଗାର କରିବାକୁ  ପଡ଼ିଥାଏ । ନିଜର ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା,  ଏବଂ କର୍ମକୁଶଳତାକୁ ନେଇ ରୋଜଗାରର ପ୍ରକାର ଓ  ପରିମାଣ ଆଶା କରାଯାଇଥାଏ । ବ୍ୟବସାୟ ଓ ବୃତ୍ତି ବ୍ୟତୀତ ଅଧିକାଂଶ ଲୋକ ସରକାରୀ ବା ବେସରକାରୀ  ଚାକିରି ଖଣ୍ଡିଏ ପାଇଁ ପ୍ରଥମ ପସନ୍ଦ ରଖିଥାନ୍ତି ।  ବିଶେଷ ଭାବରେ ସରକାରୀ ବା ବେସରକାରୀ ସଂସ୍ଥା  ଦ୍ୱାରା ନିଯୁକ୍ତ ବହିଃସଂସ୍ଥାନ କର୍ମନିଯୁକ୍ତି ଅନେକ  ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ କର୍ମଦାତା ଓ  କର୍ମଚାରୀମାନଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ  ହୋଇଥାଏ, ଯେଉଁଥିରେ କାମରେ ଯୋଗଦେବା ପୂର୍ବରୁ  ସବୁ ସର୍ତ୍ତକୁ ଗ୍ରହଣ କରିବାକୁ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ  ସମୟସୀମା ଓ ମୂଲ୍ୟ ମଧ୍ୟରେ ସୀମିତ ଥାଏ । ଏବେ ସରକାର ମଧ୍ୟ ବହିଃସଂସ୍ଥାନ ମାଧ୍ୟମରେ ସ୍ଥାୟୀ ନିଯୁକ୍ତି  ନଦେଇ କାମଚଳା କର୍ମନିଯୁକ୍ତିକୁ ପସନ୍ଦ କରୁଅଛନ୍ତି ।  ଏଥିରେ କର୍ମଚାରୀଙ୍କୁ ଯାହା ବେତନ ମିଳେ ନିର୍ଦ୍ଧାରିତ  ଠାରୁ କମ୍‌ ହୋଇଥାଏ, ଯାହା ୮୦% ବା ୯୦%  ହେବ ଏବଂ ବାକି ୧୦%ରୁ ୨୦% କିଛି ନକରି  କେବଳ ମାଧ୍ୟମ ସାଜି ସେହି ସଂସ୍ଥାମାନେ  ପାଇଥାନ୍ତି । ଏମାନେ ସେବା ପ୍ରଦାନ ଆଳରେ  ସମସ୍ତଙ୍କର ଜ୍ଞାତସାରରେ ବର୍ଷ ବର୍ଷ ଧରି  ଏମିତି ଲାଭ ଉଠାଇ ଚାଲିଛନ୍ତି । 

ବହିଃସଂସ୍ଥାନ କର୍ମନିଯୁକ୍ତି ଏକ  ବ୍ୟାବସାୟିକ ପଦ୍ଧତି ବା ଉପାୟ, ଯେଉଁଥିରେ  କୌଣସି କମ୍ପାନୀ ବା ସଂସ୍ଥା ବାହାର ପକ୍ଷକୁ ଚୁକ୍ତିଜନିତ  ଭଡ଼ାରେ ନିୟୋଜିତ କରି ନିଜ କମ୍ପାନୀ କର୍ମଚାରୀଙ୍କ  ନିତିଦିନିଆ କାମ ବା ସେବାଗୁଡ଼ିକୁ ନିଜେ ନକରି  ସେମାନଙ୍କ ଦ୍ୱାରା କରାଇ ନିଅନ୍ତି । କହିବାକୁ ଗଲେ,  ବ୍ୟବସାୟ ସଂସ୍ଥାଗୁଡ଼ିକର ମୂଳ ଲକ୍ଷ୍ୟ ଲାଭ ହୋଇଥିବା  ଯୋଗୁଁ ନିଜର ଖର୍ଚ୍ଚ କାଟ୍‌ କରି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି  ନଦେଇ ଯେନତେନ କାମ କରାଇବା ଉଚିତ୍‌ ମନେ  କରୁଛନ୍ତି । ମାତ୍ର ସରକାରଙ୍କର ମୂଳ ଲକ୍ଷ୍ୟ ସେବା ପ୍ରଦାନ  ଓ କର୍ମନିଯୁକ୍ତି ହୋଇଥିବାବେଳେ, କମ୍ପାନୀମାନଙ୍କ ଭଳି  ଏହି ପଦ୍ଧତିକୁ ଗ୍ରହଣ କରିବା, ଅନେକ ବୁଦ୍ଧିଜୀବୀ ଓ  ଅର୍ଥନୀତିଜ୍ଞମାନେ ସଂଶୟ ପ୍ରକାଶ କରନ୍ତି । ଏହାଦ୍ୱାରା  ଖର୍ଚ୍ଚ କମାଇବାର ଲକ୍ଷ୍ୟ ପୂରଣ ହୋଇପାରେ, ମାତ୍ର  ଜନବହୁଳ ରାଷ୍ଟ୍ରରେ କର୍ମନିଯୁକ୍ତି ସୃଷ୍ଟିସହ ଯୋଗାଣରେ  ପ୍ରତିବନ୍ଧକ ସାଜିଥାଏ । 

ଭାରତରେ ଯେଉଁ କ୍ଷେତ୍ରରେ  ଏହା ଦେଖାଯାଏ ସେଗୁଡ଼ିକ ହେଲା କଲ୍‌ ସେଣ୍ଟର, ଡାଟା  ଏଣ୍ଟ୍ରି, ଯାନ୍ତ୍ରିକ ସେବା, ସ୍ୱାସ୍ଥ୍ୟସେବା, ଆର୍ôଥକ ହିସାବ,  ସଫ୍‌ଟୱେର ଓ ଫଟୋ ଏଡିଟିଂ । ଏତଦ୍‌ ବ୍ୟତୀତ  ତଥ୍ୟ ବିଜ୍ଞାନ ସେବା, ଜ୍ଞାନ ଉନ୍ନତିକରଣ, ଗ୍ରାହକ  ସେବା, ସରକାରୀ ଯୋଜନା, ତ୍ୱରିତ ସମୟ ସେବା ଓ  ସ୍ୱତନ୍ତ୍ର ଜ୍ଞାନ ଅଭିବୃଦ୍ଧି କ୍ଷେତ୍ରରେ ଏହାର କାର୍ଯ୍ୟକାରିତା  ଦେଖାଯାଉଛି । ଯଦି ଏହାର ଅଭିବୃଦ୍ଧିକୁ ଦେଖିବା  ତେବେ ପ୍ରଥମେ ୧୯୮୯-୯୦ବର୍ଷରେ ବ୍ୟବସାୟ  କୌଶଳ ରୂପରେ ଅର୍ଥନୀତିର ଅଂଶ ଭାବରେ ଉଭା  ହେଲା । ବହୁ ଦେଶରେ ଏହାର ବିବାଦ ଦେଖାଦେଲା ।  ଅନେକ ଏହାକୁ ଚାକିରିମାରଣ ନୀତି ବୋଲି ଅଭିହିତ  କଲେ ଏବଂ ଅନ୍ୟ କେତେକ ଲାଭଜନକ ବୋଲି ମନେକରି ସମର୍ଥନ କଲେ । ଏହାକୁ ସରକାର ମଧ୍ୟ  ଗ୍ରହଣ କରୁଅଛନ୍ତି । ମାତ୍ର ଆଇନ ଦୃଷ୍ଟିରୁ ବ୍ୟବସାୟର  ଅନେକ ନୀତି-ନିୟମ, ଶ୍ରମିକ ଓ ଟିକସ ପରିସରକୁ  ତର୍ଜମା କରିବାକୁ ପଡ଼ିଥାଏ । ମୋଟାମୋଟି କହିବାକୁ  ଗଲେ, ଏଭଳି କର୍ମନିଯୁକ୍ତିର ମୂଳ ଲକ୍ଷ୍ୟଗୁଡ଼ିକ ହେଲା  ଶ୍ରମିକ ଖର୍ଚ୍ଚ ଓ କର୍ମଚାରୀ ଦରମା କମାଇବା, ମୁଣ୍ଡପିଛା  ଯନ୍ତ୍ର ଓ ପ୍ରୟୋଗାତ୍ମକ ଖର୍ଚ୍ଚ କମାଇବା, ମୁଖ୍ୟ ବିଷୟ ବା  ଅଂଶ ଉପରେ ନଜର କରିବା ଏବଂ କମ୍ପାନୀ ବା ସରକାର  ଓ ବାହ୍ୟପକ୍ଷ ସହିତ ଉତ୍ତମ ସମ୍ପର୍କ ରଖିବା ଇତ୍ୟାଦି । ଶାସକ ଓ ପ୍ରଶାସକଙ୍କର ନିଷ୍ପତ୍ତି, ନିର୍ବାଚନର  ପ୍ରଭାବ, ସରକାର ଗଢ଼ୁଥିବା ରାଜନୈତିକ ଦଳ, ଜିତିବା  ଦଳର ନେତାମାନେ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ  ରାଜ୍ୟ ବା ଦେଶର ଆର୍ôଥକ ସ୍ଥିତି ସହିତ କର୍ମନିଯୁକ୍ତିର  ସମ୍ଭାବନା ଓ ପଦ୍ଧତି ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଅଟେ ।  ଜନସଂଖ୍ୟା ବୃଦ୍ଧି, ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତାକୁ ଉପଲବ୍‌ଧି କରିବା, ଦ୍ରବ୍ୟ ବା ବସ୍ତୁର ପ୍ରାପ୍ତବ୍ୟତା ଓ  ଏହାର ସୁଷମ ବଣ୍ଟନ କରିବା ପ୍ରତ୍ୟେକ ସରକାରଙ୍କର  କର୍ତ୍ତବ୍ୟ ଅଟେ । ପ୍ରତ୍ୟେକ ଲୋକକୁ ଜୀବନ ବଞ୍ଚାଇବା  ପାଇଁ ଜୀବିକା ବା କର୍ମନିଯୁକ୍ତିର ଆବଶ୍ୟକତା ସର୍ବଦା  ରହିଥାଏ । ସେ କୃଷିକର୍ମ, ବୃତ୍ତି, ବ୍ୟବସାୟ କିମ୍ବା ଚାକିରିକୁ ନିଜର ପାରିଶ୍ରମିକ ବା ଅର୍ଥ ଉପାର୍ଜନର  ମାଧ୍ୟମ ଖୋଜିବାକୁ ପଡ଼ିଥାଏ । ମାତ୍ର କର୍ମନିଯୁକ୍ତି ଏକ  ବୃହତ୍‌ ମାଧ୍ୟମ, ଯେଉଁଥିରେ ନାଗରିକମାନଙ୍କ ସହିତ  ସରକାରଙ୍କର ଯୋଗଦାନ ଏକାନ୍ତ ଆବଶ୍ୟକ ଅଟେ ।  ବର୍ତ୍ତମାନ କର୍ମନିଯୁକ୍ତିର ଅର୍ଥ ଓ ପରିଭାଷା ବଦଳିବାକୁ  ଲାଗିଲାଣି । ଜନସଂଖ୍ୟା ବୃଦ୍ଧି ସଙ୍ଗେ ଏହାର ପରିସର  ସଂକୁଚିତ ହେବାକୁ ଲାଗୁଛି । କୌଣସି ଉପାୟରେ  କ୍ଷଣିକ ବା କିଛି ଅର୍ଥ ପ୍ରଦାନ ଦ୍ୱାରା ଲୋକମାନଙ୍କୁ  ସନ୍ତୁଷ୍ଟ କରି ସମୟ ବିତାଇ ସୁବିଧାରେ ଭୋଟ  ହାତେଇବା ପ୍ରତ୍ୟେକ ସରକାର କରୁଅଛନ୍ତି । ତେବେ  ପୂରା ସମୟ ବା ସ୍ଥାୟୀ ନିଯୁକ୍ତି ନଦେଇ ସାମୟିକ ବା  ସର୍ତ୍ତଯୁକ୍ତ କର୍ମନିଯୁକ୍ତି ବହିଃସଂସ୍ଥାନ ମାଧ୍ୟମରେ ସମସ୍ତେ  ଆପଣାଇଲେଣି । ଏହାର ପରିଣାମ ଓ ସମାଜରେ  ପଡୁଥିବା ପ୍ରଭାବକୁ ଆଲୋଚନା କରି ନିର୍ଦ୍ଦିଷ୍ଟ ପଦକ୍ଷେପ  ଏବେଠୁ ନନେଲେ ଭବିଷ୍ୟତରେ ଏକ ବିଷବୃକ୍ଷ ଭଳି  ଫଳ ପ୍ରଦାନ କରିବ ଏବଂ ଆଗାମୀ ଯୁବପିଢ଼ି ଏଥିରେ  ନିଶ୍ଚିତ ସନ୍ତୁଳିତ ହେବେ, ସନ୍ଦେହ ନାହିଁ । 

ଓଡ଼ିଶା ରାଜ୍ୟ କଥା ଦେଖିଲେ ବହିଃସଂସ୍ଥାନ  ମାଧ୍ୟମରେ କର୍ମଚାରୀ ନିଯୁକ୍ତି ଅନ୍ୟ ରାଜ୍ୟ ତୁଳନାରେ  ଅଧିକ ଅଟେ । ତଥ୍ୟ ଅନୁଯାୟୀ ୪୧ଗୋଟି ବିଭାଗରେ  ୫୦୦ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି  ମିଳିଅଛି । ସବୁ ବିଭାଗରେ ବହୁସଂଖ୍ୟକ ପଦବି  ଖାଲି ଥିବାବେଳେ ସ୍ଥାୟୀ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଏଡ଼ାଇଯାଇ  କାମଚଳା ନିଯୁକ୍ତି ଦେଉଛନ୍ତି । ଆବଶ୍ୟକ ସଂଖ୍ୟକ  ନୂତନ ନିଯୁକ୍ତି ନଦେଇ ଅବସର ପରେ ପୁନଃନିଯୁକ୍ତିର  ଯଥାର୍ଥତା କ’ଣ? ପୁଣି ମୋଟା ଅଙ୍କରେ ଦରମା ମିଳୁଛି,  ଯେଉଁଥିରେ ଦୁଇ-ତିନି ଗୁଣ ନୂତନ ନିଯୁକ୍ତି ଦେଇ  ହୁଅନ୍ତା । ରାଜ୍ୟର ବେକାରୀ ଏବେ ଉପରମୁହାଁ । 

ରାଜ୍ୟ  ନିୟୋଜନ କାର୍ଯ୍ୟାଳୟର ପଞ୍ଜିକରଣ ତଥ୍ୟ ଅନୁସାରେ  ୮,୮୬,୭୭୨ ଜଣ ଉଚ୍ଚଶିକ୍ଷିତ ଯୁବକ-ଯୁବତୀ  ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ଏଥିରେ  ଅର୍ଦ୍ଧଶିକ୍ଷିତଙ୍କ ସଂଖ୍ୟା ମିଶାଇଲେ ମୋଟ୍‌ ୨୦ଲକ୍ଷ ପାର  ହୋଇଯିବ । ସରକାରୀ ତଥ୍ୟ ଅନୁସାରେ ୫,୮୩,୦୦୦  ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧,୩୧,୫୧୮ ଗୋଟି ପଦବି  ଖାଲିଅଛି । ମାତ୍ର ଏମାନଙ୍କ ପାଇଁ ସେମିତି କିଛି ଯୋଜନା  ସରକାର ଚିନ୍ତା କରିନାହାଁନ୍ତି । ବେସରକାରୀ ସ୍ତରରେ  ନିଯୁକ୍ତି ସୁଯୋଗ କିମ୍ବା ଆତ୍ମନିଯୁକ୍ତିର ପଦକ୍ଷେପ ମଧ୍ୟ  ନୈରାଶ୍ୟଜନକ ଅଟେ । ଏପରିସ୍ଥଳେ ନୂତନ ସରକାର  ପ୍ରଥମ ୨ବର୍ଷରେ ୬୫୦୦୦ ପଦବି ପୂରଣ ପାଇଁ  ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଦାଦନ ସମସ୍ୟା ରୋକିବା  ପାଇଁ ଚେଷ୍ଟା କରିବା କଥା କହୁଛନ୍ତି, ଯାହା ଏକ  ପ୍ରଶ୍ନବାଚୀ ଅଟେ । 

ବହିଃସଂସ୍ଥାନ କର୍ମନିଯୁକ୍ତି ଅର୍ଥନୀତି ଦୃଷ୍ଟିରୁ  ବ୍ୟବସାୟକୁ ଅଧିକ କ୍ରିୟାଶୀଳ, ପ୍ରତିଯୋଗିତାମୂଳକ  ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ। ଅବଶ୍ୟ  ଆୟ ଅସମାନତା ଦେଖାଯାଇଥାଏ, ଯାହାକି ସ୍ଥାନୀୟ  ଅର୍ଥନୀତିକୁ ପ୍ରଭାବିତ କରିଥାଏ । ତେଣୁ ପୂରା  ଶିଳ୍ପ ବା ସରକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ବହିଃସଂସ୍ଥାନ  କର୍ମନିଯୁକ୍ତି ଆଦୌ ସମୀଚୀନ ନୁହେଁ । ଏହାର ଉଭୟ  ଉପକାରିତା ଓ ଅପକାରିତା ଅଛି । ମୂଲ୍ୟ ନିୟନ୍ତ୍ରଣ,  ଦକ୍ଷ କର୍ମଚାରୀ ସୁଲଭତା, କାମ କରିବା ପାଇଁ ଭାଷା  ସମସ୍ୟାର ସମାଧାନ, କାର୍ଯ୍ୟର ମାନ ବଜାୟ ରଖିବା,  ଆତ୍ମନିର୍ଭରଶୀଳତା ଓ କର୍ମନିଯୁକ୍ତିର ପରିମାଣ ବୃଦ୍ଧି  ଇତ୍ୟାଦି ଉପକାରମାନ ମିଳିଥାଏ । ସେହିଭଳି ସୀମିତ  ସମୟ ବ୍ୟବଧାନ ପାଇଁ ନିଯୁକ୍ତି, ବିପଦରେ ତଥ୍ୟ  ନିରାପତ୍ତା, ବିଭିନ୍ନ ପଦ୍ଧତି ବା ସୋପାନ ମଧ୍ୟରେ ସମନ୍ୱୟ  ଓ ନିୟନ୍ତ୍ରଣ ରକ୍ଷା ନହେବା, କର୍ମଚାରୀଙ୍କ ଉପରେ  ନିୟନ୍ତ୍ରଣ ହରାଇବା, ସାଧାରଣ ଭାଷା ସମସ୍ୟା, କାର୍ଯ୍ୟର  ମାନ ନିର୍ଦ୍ଧାରଣରେ ତ୍ରୁଟି ଓ କର୍ମସଂସ୍ଥାନ ହରାଇବା  ଇତ୍ୟାଦି ଗୁରୁତର ତ୍ରୁଟିଗୁଡିକ ପରିଲକ୍ଷିତ ହୋଇଥାଏ । ତେଣୁ ଏହାର ସମ୍ପୂର୍ଣ୍ଣ ନିରାକରଣ ନହେଲେ ମଧ୍ୟ  ବିଶେଷଜ୍ଞମାନେ କେତେକ ପଦକ୍ଷେପ ନେବାକୁ  ପରାମର୍ଶ ଦେଇଥାଆନ୍ତି । ସର୍ବପ୍ରଥମେ ନିୟମିତ  ବ୍ୟବଧାନରେ କର୍ମନିଯୁକ୍ତିର ଆବଶ୍ୟକତାକୁ ପରୀକ୍ଷା  କରିବା ଉଚିତ୍‌ । 

ସର୍ବଦା ଦୁଇ-ତିନୋଟି ବହିଃସଂସ୍ଥାନ  ସହିତ ଯୋଗାଯୋଗ କରି ଖର୍ଚ୍ଚ ଓ ବିଶ୍ୱସନୀୟତାର  ପ୍ରମାଣ ପରୀକ୍ଷା କରିବା ଉଚିତ୍‌ । ନିୟମିତ ଭାବରେ  ସେମାନଙ୍କ ସହିତ ହୋଇଥିବା ରାଜିନାମାର ତର୍ଜମା କରି  ମୂଲ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ । ଯେଉଁ କ୍ଷେତ୍ରରେ  ଏହାର ଚାହିଦା ଅଛି, ସଠିକ୍‌ କର୍ମଚାରୀ ନିଯୁକ୍ତି କରି  ସେମାନଙ୍କର ସ୍ୱାର୍ଥରକ୍ଷା ପ୍ରତି ଦୃଷ୍ଟି ଦିଆଯିବା କଥା ।  ସରକାରଙ୍କ ପ୍ରଣୀତ ସମସ୍ତ ଆଇନ ଯଥା- ଭାରତୀୟ  ଚୁକ୍ତି ଆଇନର ଧାରା-୨୭ ସମସ୍ତଙ୍କର କାମ ଅଧିକାର,  ଶ୍ରମଚୁକ୍ତି ଆଇନର ନିୟମ-୭୬ ନିଯୁକ୍ତିଜନିତ ପତ୍ର  ପ୍ରଦାନ ଏବଂ ଭାରତୀୟ ଚୁକ୍ତି ଆଇନ-୧୮୭୨ରେ ଚୁକ୍ତି  ଭଙ୍ଗଜନିତ ଦଣ୍ଡ ବା କ୍ଷତିପୂରଣ ଇତ୍ୟାଦିକୁ ସର୍ବଦା  ତର୍ଜମା କରି କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ସମସ୍ତ  ନିଯୁକ୍ତିକାରୀଙ୍କର କର୍ତ୍ତବ୍ୟ ଅଟେ । 

ଆଇନତଃ ବହିଃସଂସ୍ଥାନ କର୍ମଚାରୀମାନଙ୍କୁ  ସରକାରୀ ମାନ୍ୟତା ମିଳିନଥାଏ, କାରଣ ବାହାର  ଠିକା ସଂସ୍ଥା ଏମାନଙ୍କୁ ନିଯୁକ୍ତି ଦେଇଥାଏ । ଏହି  କର୍ମଚାରୀମାନେ ସର୍ବଦା ବିପଦ ଓ ଅନିଶ୍ଚିତତା ମଧ୍ୟରେ  କାଳ କାଟନ୍ତି । କହିବାକୁ ଗଲେ, ଅବସରପ୍ରାପ୍ତ ବା  ବଳକା ସମୟ ମିଳୁଥିବା ବ୍ୟକ୍ତିଙ୍କୁ ଏହା ସୁହାଇଥାଏ ।  ଏଥିରେ କର୍ମଚାରୀମାନଙ୍କ ଚୁକ୍ତି ଶେଷ ହେଲେ ପୁଣି  ନୂତନ ସନ୍ଧାନ କରିବାକୁ ପଡ଼ିଥାଏ । ତେବେ ଆମେ କହିପାରିବା ଯେ, ପୂର୍ବରୁ ଏପରି ପଦ୍ଧତି ନଥିବାସ୍ଥଳେ  ବିଗତ କିଛିବର୍ଷ ମଧ୍ୟରେ ଏହାର ପ୍ରଚଳନ ଯୋଗୁଁ  ଉଭୟ କର୍ମଚାରୀ ଓ କର୍ମଦାତା ବହୁଳ ଭାବରେ  ପ୍ରଭାବିତ ହେଉଥିବାରୁ ଉଚ୍ଚତମ ନ୍ୟାୟାଳୟର ସିଦ୍ଧାନ୍ତକୁ  ଗ୍ରହଣ କରି ଏହାକୁ ବିଲୁପ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ୍‌ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.