ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ପଶ୍ଚିମ ଏସିଆର ଅନେକ ଦେଶ ତାଙ୍କ ଦେଶରୁ ଅବୈଧ ପାକିସ୍ତାନି ନାଗରିକମାନଙ୍କୁ ବିତାଡିତ କରିଛନ୍ତି। ଖବର ମୁତାବକ ସାଉଦି ଆରବ, ୟୁଏଇ ଏବଂ ଅନ୍ୟାନ୍ୟ ଦେଶରୁ ପ୍ରାୟ ୧୭୦ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନକୁ ପଠାଇ ଦିଆଯାଇଛି। ଏନେଇ ପାକିସ୍ତାନି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘଟଣା ସାମ୍ନାକୁ ଆସିଛି।
ସାଉଦି କର୍ତ୍ତୃପକ୍ଷ ମୋଟ ୯୪ ଜଣ ଅବୈଧ ପାକିସ୍ତାନୀ ନାଗରିକଙ୍କୁ ତାଙ୍କ ଦେଶରୁ ବହିଷ୍କାର କରିଛନ୍ତି। ନିର୍ବାସିତ ପାକିସ୍ତାନି ନାଗରିକମାନଙ୍କ ଉପରେ ସାଉଦି ଆରବରେ ଭିକ ମାଗିବା, ଡ୍ରଗ୍ କାରବାର, ଅବୈଧ ଭାବେ ଦେଶରେ ରହିବା, ବିନା ଭିସାରେ କାମ କରିବା, ଚାକିରିରୁ ଲୁଚି ପଳାଇ ଆସିବା ଏବଂ ଚୁକ୍ତିନାମା ନିୟମ ଭଙ୍ଗ କରିଥିବା ଅଭିଯୋଗ ରହିଥିଲା। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ କଳା ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଯାହାଫଳରେ ସେମାନେ ଭବିଷ୍ୟତରେ କେବେବି ସାଉଦି ଆରବ ଗସ୍ତ କରିପାରିବେ ନାହିଁ।
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମୋଟ ୩୯ ଜଣ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶରୁ ବହିଷ୍କାର କରିଛି। ବେଆଇନ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କରି ଏହି ଲୋକମାନେ ୟୁଏଇରେ ଜେଲ ଦଣ୍ଡାଦେସ ଭୋଗିବା ପରେ ସେମାନଙ୍କୁ ଦେଶରୁ ବହିଷ୍କାର କରାଯାଇଛି। ତେବେ ଅନେକ ପାକିସ୍ତାନୀ ନାଗରିକଙ୍କୁ ଓମାନ, ଥାଇଲ୍ୟାଣ୍ଡ, ଇରାକ, ବ୍ରିଟେନ, ସାଇପ୍ରସ, ଇଣ୍ଡୋନେସିଆ, ମୋରିଟାନିଆ, କାତାର ଏବଂ ତାଞ୍ଜାନିଆରୁ ମଧ୍ୟ ବହିଷ୍କାର କରାଯାଇଛି।
ପାକିସ୍ତାନର ବିମାନ ବନ୍ଦରରେ ମୋଟ ୫୯ ଯାତ୍ରୀଙ୍କୁ ବିମାନରେ ଯିବାକୁ ଦିଆଯାଇ ନଥିଲା। ଏହି ଯାତ୍ରୀମାନେ ବ୍ରିଟେନ, ସାଉଦି ଆରବ, କାମ୍ବୋଡିଆ, ଇଜିପ୍ଟ, ବହାରିନ, କତାର ଏବଂ ମଲାୱି ଭଳି ୨୧ ଟି ଦେଶକୁ ଯାଉଥିଲେ। ଏହି ଯାତ୍ରୀମାନଙ୍କୁ ଭିସା ଏବଂ ଭ୍ରମଣ ଜନିତ ତଥ୍ୟ ଅଭାବରୁ ଉଡ଼ାଣ ଭରିବାକୁ ଅନୁମତି ଦିଆଯାଇନଥିଲା। ଏଥି ମଧ୍ୟରେ ୨୧ ଜଣ ଉମ୍ରା ତୀର୍ଥଯାତ୍ରୀ ରହିଥିଲେ, ତେବେ ସେମାନଙ୍କ ନିକଟରେ ହୋଟେଲ ବୁକିଂ ଏବଂ ପର୍ଯ୍ୟାପ୍ତ ଅର୍ଥ ନଥିବା କାରଣରୁ ତାଙ୍କ ଯାତ୍ରା ଉପରେ ରହିତାଦେଶ ଲାଗିଛି।
ଇଟାଲୀ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ମଧ୍ୟ ଅଟକା ଯାଇଥିଲା। କାରଣ ତାଙ୍କର ଶରଣ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏଥିସହିତ ଜଣେ ଛାତ୍ରଙ୍କ ବ୍ରିଟେନ ଯିବା ସହ ଅନ୍ୟ ଚାରିଜଣ ଛାତ୍ରଙ୍କ ସାଇପ୍ରସ ଯିବା ଉପରେ ମଧ୍ୟ ପାକିସ୍ତାନ ସରକାର ରହିତାଦେଶ ଲଗାଇଛନ୍ତି।
ବିଦେଶରୁ ବିତାଡିତ ହୋଇଥିବା ୨୪ ଜଣଙ୍କୁ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି କରାଚି ବିମାନବନ୍ଦରରେ ଗିରଫ କରିଛି। ବେଆଇନ ଭ୍ରମଣ, ଭିସା ଉଲ୍ଲଂଘନ ଏବଂ ବିଦେଶରେ ପାକିସ୍ତାନୀ ନାଗରିକଙ୍କ ବେଆଇନ କାର୍ଯ୍ୟକଳାପ କୁ ନେଇ ସେମାନଙ୍କ ଉପରେ ମାମଲା ଦାଏର କରାଯାଇଛି।