ନୂଆଦିଲ୍ଲୀ,୧୪/୦୨: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି ବା ମିନି ବିଶ୍ୱକପ୍ । ସମୟ ଯେମିତି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଇତିମଧ୍ୟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ କ୍ଲିନ୍ ସୁଇପ୍ କରି ପ୍ରସ୍ତୁତି ଶେଷ କରିଛି ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ୍ରେ ରନର୍ସଅପ୍ ହୋଇଥିଲା । କିନ୍ତୁ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା । ପୁଣି ରୋହିତ ସେନାଙ୍କ ପାଖରେ ଆଉ ଏକ ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି ।
ତିନି ମ୍ୟାଚ୍ ବିଶିଷ୍ଟ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା । ଦଳରେ ପରୀକ୍ଷା ନିରୀକ୍ଷା ବି ହୋଇଥିଲା । ରୋହିତ କଟକରେ ଶତକ ମାରି ଫର୍ମକୁ ଫେରିଥିଲେ । ସେମିତି ବିରାଟ କୋହଲି ଅହମ୍ମଦାବାଦରେ ଫର୍ମ ଫେରି ପାଇଥିଲେ । ଶୁଭମନ ଗିଲ କଡ଼ା ଫର୍ମରେ ରହିଛନ୍ତି। କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକ ପରେ ଶେଷରେ ଅହମ୍ମଦାବାଦରେ ସେ ଶତକ ହାସଲ କରିଥିଲେ । ଶ୍ରେୟାସ ଆୟର ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି ।
ଯଶପ୍ରୀତ ବୁମରା ଆହତ ଥିବାରୁ ଚାମ୍ପିଅନ୍ସ ଟ୍ରଫି ଖେଳିବେ ନାହିଁ । ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ସର୍ବଦା ଭଲ କରି ଆସିଛନ୍ତି । ତେଣୁ ତାଙ୍କ ଅନୁପସ୍ଥିତି ଅନୁଭବ ହେବ । ବୁମରାଙ୍କ ଅନୁପସ୍ଥିତରେ ମହମ୍ମଦ ସାମି, ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଦଳର ବୋଲିଂ ବିଭାଗ ସମ୍ଭାଳିବେ ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ ନକରି ନିରପେକ୍ଷ ଭେନ୍ୟୁ ୟୁଏଇରେ ଖେଳିବ । ତେଣୁ ଆସନ୍ତା ସପ୍ତାହରେ ଦଳ ୟୁଏଇ ଗସ୍ତ କରି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦଳ ସମସ୍ତ ମ୍ୟାଚ୍ ଖେଳିବ ।
ଗ୍ରୁପ୍ ଏ’ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ସହ ଭାରତ ସାମିଲ ରହିଛି । ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ପରେ ୨୩ରେ ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଭେଟିବ । ଯଦି ଭାରତ ସେମି ଫାଇନାଲ ଓ ଫାଇନାଲକୁ ଉନ୍ନୀତ ହୁଏ ତେବେ ଏହି ମ୍ୟାଚ୍ ଗୁଡ଼ିକ ମଧ୍ୟ ଦୁବାଇରେ ଖେଳାଯିବ ।
ଗ୍ରୁପ୍ ବି’ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଭାରତ ମ୍ୟାଚ୍କୁ ଛାଡ଼ି ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକ କରାଚି, ଲାହୋର ଏବଂ ରାୱଲପିଣ୍ଡିରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଫାଇନାଲ ପର୍ଯ୍ୟନ୍ତ ମୋଟ୍ ୧୫ଟି ମ୍ୟାଚ୍ ଖେଳିବ । ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
୨୦୧୭ ପରଠୁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ସ୍ଥଗିତ ରହିଥିଲା । ଶେଷ ଥର ପାକିସ୍ତାନ ଫାଇନାଲରେ ଭାରତକୁ ହରାଇ ପ୍ରଥମ ଟ୍ରଫି ଜିତିବାର ସୌଭାଗ୍ୟ ପାଇଥିଲା । ଭାରତ (୨୦୦୨ ଓ ୨୦୧୩) ଏବଂ ଅଷ୍ଟ୍ରେଲିଆ (୨୦୦୬, ୨୦୦୯) ୨ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଥରେ ଲେଖାଏଁ ଜିତିଛନ୍ତି । ଏଥର ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ଚାମ୍ପିଅନ୍ସ ଟ୍ରଫିକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ଆଫଗାନିସ୍ତାନ ପ୍ରଥମ ଥର ଯୋଗ୍ୟତା ହାସଲ କରିଛି ।
ମହିଳା ପ୍ରମିୟର ଲିଗ୍: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ଗୁଜୁରାଟ ଜାଏଣ୍ଟ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା