ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆଜିଠୁ ICC ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ; ପାକିସ୍ତାନ-ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚ, ଜାଣନ୍ତୁ କାହା ପଲ୍ଲା ଭାରି  

Published By : Ankita S | February 19, 2025 8:13 AM

ନୂଆଦିଲ୍ଲୀ,୧୯/୦୨: କମ୍ପିବ ମୈଦାନ ବର୍ଷିବ ଚୌକା ଛକା । ଦୀର୍ଘ ୮ ବର୍ଷ ପରେ ଫେରିଛି ଆଇସିସି ଚାମ୍ପିଅନ୍ସ ଟ୍ରଫି । ମୋଟ୍ ୮ ଟିମ୍, ୧୫ ମ୍ୟାଚ ମଧ୍ୟରେ ୧୯ ଦିନ ଯାଏ ହେବେ ମୁକାବିଲା । ଟୁର୍ଣ୍ଣାମେଣ୍ଟର ଏହି ନବମ ସଂସ୍କରଣ ପାକିସ୍ତାନ ଆୟୋଜନ କରୁଛି  । କରାଚୀରେ ଖେଳାଯିବ ଉଦଘାଟନୀ ମୁକାବିଲା । ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୨.୩୦ ମିନିଟରେ ମ୍ୟାଚ ଆରମ୍ଭ ହେବ । ଆସନ୍ତାକାଲିଠୁ (ଗୁରୁବାର) ଅଭିଯାନ ଆରମ୍ଭ କରିବ ଭାରତ । ବାଂଲାଦେଶ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ ।

ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ୪ଦିନ ତଳେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ପରସ୍ପରକୁ ଭେଟିଥିଲେ । ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳାଯାଇଥିଲା । ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା । ପାକିସ୍ତାନ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିଲେ ମଧ୍ୟ ଆସନ୍ତାକାଲି ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ଚାମ୍ପିଅନ୍ସ ଟ୍ରଫିରେ ଉଭୟ ପରସ୍ପରକୁ ୩ଥର ଭେଟିଛନ୍ତି । ନ୍ୟୁଜିଲାଣ୍ଡ ସମସ୍ତ ମ୍ୟାଚ୍‌ ଜିତିଛି । ଗତ ତ୍ରି-ରାଷ୍ଟ୍ରୀୟ ସିରିଜରେ ମଧ୍ୟ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍‌ ଜିତିଥିଲା । 

ପାକିସ୍ତାନ (୨୦୧୭) ଓ ନ୍ୟୁଜିଲାଣ୍ଡ (୨୦୦୦) ପୂର୍ବରୁ ଥରେ ଲେଖାଏଁ ଚାମ୍ପିଅନ୍ସ ଟ୍ରଫି ଜିତି ସାରିଛନ୍ତି । ଉଭୟ ଫାଇନାଲ୍‌ରେ ଭାରତକୁ ହରାଇଥିଲେ । ଗତ ୨ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ପାକିସ୍ତାନର ପ୍ରଦର୍ଶନ ଉନ୍ନତ ଥିବା ଦେଖିବାକୁ ମିଳିବ । ୨୦୨୩ ଆରମ୍ଭରୁ ଇତିମଧ୍ୟରେ ଉଭୟ ଦଳ ଦିନିକିଆରେ ପରସ୍ପରକୁ ୧୧ଥର ଭେଟି ସାରିଛନ୍ତି । ପାକିସ୍ତାନ ଏଥିରୁ ୬ଟି ମ୍ୟାଚ୍‌ ଜିତିଛି । 

ନ୍ୟୁଜିଲାଣ୍ଡର ଦୁଇ ପ୍ରମୁଖ ପେସ୍‌ ବୋଲର ଲୋକି ଫର୍ଗୁସନ ଓ ବେନ ସିୟର୍ସ ଆହତ ହୋଇ ବାଦ ପଡ଼ିଛନ୍ତି । ମାତ୍ର ଗତ ତ୍ରି-ରାଷ୍ଟ୍ରୀୟ ସିରିଜରେ ଆହତ ହୋଇଥିବା ରଚିନ ରବିନ୍ଦ୍ର ଫିଟ୍‌ ଘୋଷିତ ହୋଇଥିବାରୁ ଦଳ ଆଶ୍ୱସ୍ତ ହୋଇଛି । ଠିକ୍‌ ସେହିପରି ପାକିସ୍ତାନର ପ୍ରମୁଖ ପେସ୍‌ ବୋଲର ହ୍ୟାରିସ ରୌଫ ମଧ୍ୟ ଫିଟ୍‌ ଘୋଷିତ ହୋଇଛନ୍ତି । ଆଜି ଉଭୟ ଏକାଦଶକୁ ଫେରିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ...ଆଇସିସି ଚାମ୍ପିଅନ୍ସ ଟ୍ରଫି: ନୂଆ ପିଚରେ ଭାରତ-ପାକ୍‌ ଲଢ଼େଇ, ଭିଆଇପି ବକ୍ସ ଟିକେଟ୍‌ ବିକ୍ରି କରି ଦେବାକୁ କହିଲେ ପିସିବି ଅଧ୍ୟକ୍ଷ

ପିଚ୍ ରିପୋର୍ଟ- ଗତ ୧୨ ଓ ୧୪ ତାରିଖରେ ଏହି ଗ୍ରାଉଣ୍ଡ୍‌ରେ ୨ଟି ମ୍ୟାଚ୍‌ ଖେଳାଯାଇଥିଲା । ଉଭୟ ମ୍ୟାଚ୍‌ର ପିଚ୍‌ ଭିନ୍ନ ଥିଲା । ଗୋଟିଏ ପିଚ୍‌ରେ ୩୫୨ ରନ ସଂଗୃହୀତ ହୋଇଥିଲା ଓ ପ୍ରତିପକ୍ଷ ଦଳ ଗୋଟିଏ ଓଭର ବାକି ଥାଇ ୩୫୪ ରନ୍‌ କରି ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୨୪୨ ରନ୍‌ କରିଥିଲା ଓ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଥିଲା । ମୋଟ୍‌ ଉପରେ କହିବାକୁ ଗଲେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ଓ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କରାଚୀ ଜାତୀୟ ଷ୍ଟାଡ଼ିୟମ୍‌ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । 

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ - ରଚିନ ରବିନ୍ଦ୍ର/ୱିଲ ୟଙ୍ଗ, ଡେଭନ କନୱେ, କେନ୍ ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ମାଟ୍ ହେନେରୀ, ଜାକବ ଡଫି, ୱିଲ ଓ' ରୁର୍କ ।

ପାକିସ୍ତାନ ସମ୍ଭାବ୍ୟ ଦଳ- ଫଖାର ଜମାନ, ବାବର ଆଜମ, ସାଉଦ ସକିଲ, ମହମ୍ମଦ ରିଜୱାନ (ଅଧିନାୟକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ଶାହ,ସାହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ ରୌଫ, ଅବରାର ଅହମ୍ମଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.