ଦୁବାଇ,୧୮/୦୨: ଆଉ ଦିନକ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି । ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବ ଏହି ‘ମିନି ବିଶ୍ୱକପ୍’ । ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରୁ ନଥିବାରୁ ଦୁବାଇରେ ସବୁ ମ୍ୟାଚ୍ ଖେଳିବ । ଆସନ୍ତା ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ପୁଣି ୨୩ ତାରିଖରେ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ପାଇଁ ନୂଆ ଦୁଇଟି ପିଚ ପ୍ରସ୍ତୁତ କରାଯାଇଛି । ଭାରତ ତା’ର ସମସ୍ତ ମ୍ୟାଚ୍ ଏହି ପିଚରେ ଖେଳିବ ବୋଲି ପିଟିଆଇ ରିପୋର୍ଟରୁ ଜଣାପଡ଼ିଛି ।
ଗତ କିଛି ମାସ ହେଲା ଦୁବାଇ ଷ୍ଟାଡିୟମରେ ନିୟମିତ କ୍ରିକେଟ୍ ଖେଳାଯାଇ ଆସୁଛି । ପ୍ରଥମେ ଗତ ବର୍ଷ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍, ୧୯ ବର୍ଷରୁ କମ୍ ଏସିଆ କପ୍ ଏବଂ ଇଣ୍ଟରନ୍ୟାସନାଲ ଲିଗ୍ (ଆଇଏଲ୍) ଟି-ଟ୍ୱେଣ୍ଟି-୨୦୨୫ ଏଠାରେ ଆୟୋଜିତ ହୋଇଥିଲା । ବିଶେଷ କରି ଲିଗର ୧୫ଟି ମ୍ୟାଚ୍ ଦୁବାଇ ପିଚ୍ରେ ଖେଳାଯାଇଥିଲା । ଷ୍ଟାଡିୟମରେ ମୋଟ୍ ୧୦ଟି ପିଚ ରହିଛି । ଲିଗରେ ସେଥିରୁ ୮ଟି ପିଚ ବ୍ୟବହାର କରାଯାଇଥିଲା । ଯେଉଁ ଦୁଇଟି ପିଚ୍ ବ୍ୟବହାର କରାଯାଇ ନଥିଲା, ତାହାକୁ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ କରାଯାଇଛି । ଭାରତ ୨୦ ତାରିଖରେ ବାଂଲାଦେଶ, ୨୩ରେ ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡକୁ ଏହି ନୂଆ ପିଚରେ ଭେଟିବ । କେବଳ ଗ୍ରୁପ୍ ପର୍ଯ୍ୟାୟ ନୁହେଁ, ଯଦି ଭାରତ ସେମି ଫାଇନାଲ ଏବଂ ଫାଇନାଲକୁ ଉନ୍ନୀତ ହୁଏ, ତେବେ ଏହି ମ୍ୟାଚ ଗୁଡ଼ିକ ମଧ୍ୟ ଦୁବାଇରେ ଖେଳାଯିବ ।
୧୯୯୬ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ
ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆର୍ଥିକ ଦୂରବସ୍ଥା ଯୋଗୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦୀର୍ଘ ବର୍ଷ ଧରି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରି ନାହିଁ । ଶେଷ ଥର ପାକିସ୍ତାନରେ ୧୯୯୬ ବିଶ୍ୱକପ୍ ଖେଳାଯାଇଥିଲା । ଦୀର୍ଘ ବର୍ଷ ପରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ସାମା ଟିଭିର ରିପୋର୍ଟରୁ ଜଣା ପଡ଼ିଛି ଯେ, ଆସନ୍ତା ୨୩ ତାରିଖ ଭାରତ-ପାକିସ୍ତାନ ମ୍ୟାଚ୍ରେ ପିସିବି ଅଧ୍ୟକ୍ଷ ନକଭିଙ୍କୁ ଭିଆଇପି ବକ୍ସରେ ବସିବାକୁ ଆଇସିସି ପକ୍ଷରୁ ପ୍ରସ୍ତାବ ଦିଆଯାଇ ଥିଲା । କିନ୍ତୁ ନକଭି ବକ୍ସର ସମସ୍ତ ଟିକେଟ୍ ବିକ୍ରି କରିଦେବାକୁ କହିଥିଲେ । ଯାହାର ଅର୍ଥ ୩.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ସେ ସାଧାରଣ ଏନକ୍ଲୋଜରରେ ବସି ମ୍ୟାଚ୍ ଦେଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
କରାଚି, ଲାହୋର ଓ ରାୱଲପିଣ୍ଡି ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ପିସିବି ୧୮ ବିଲିୟନ ପାକ୍ ମୁଦ୍ରା ଖର୍ଚ୍ଚ କରିଛି । ଦୀର୍ଘ ବର୍ଷ ହେଲା ଷ୍ଟାଡିୟମ ଗୁଡ଼ିକ ପୁନରୁଦ୍ଧାର ନ ହୋଇ ପଡ଼ି ରହିଥିଲା । ଚାମ୍ପିଅନ୍ସ ଟ୍ରଫି ପାଇଁ ପିସିବି ଏହି ଷ୍ଟାଡିୟମ ଗୁଡ଼ିକ ନୂଆ ରୂପ ଦେଇଛି । ବିଳମ୍ବିତ କାର୍ଯ୍ୟ ପାଇଁ ମଧ୍ୟ ପିସିବିକୁ ସମାଲୋଚିତ ହେବାକୁ ପଡ଼ିଥିଲା ।
ପାକ୍ ଷ୍ଟାଡିୟମରେ ଉଡ଼ିବନି ତ୍ରିରଙ୍ଗା
ପାକିସ୍ତାନର ୩ ଷ୍ଟାଡିୟମ କରାଚି, ଲାହୋର ଏବଂ ରାୱଲପିଣ୍ଡି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହୋଇ ସାରିଛି । ୧୯ ତାରିଖରେ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚି ଷ୍ଟାଡିୟମରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଦେଶର ପତାକା ଲଗା ଯାଇଛି । କିନ୍ତୁ ଭାରତୀୟ ପତାକା ଲଗାଯାଇ ନାହିଁ । ଏନେଇ ସୋସିଆଲ ମିଡିଆରେ ପ୍ରଶଂସକ ଘୋର ନିନ୍ଦା କରିଥିଲେ । ଏହାପରେ ପିସିବି ନିରବତା ଭଙ୍ଗ କରି ଏହାର କାରଣ ଦର୍ଶାଇଛି । ପିସିବି ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଦଳ ପାକିସ୍ତାନ ଆସି ମ୍ୟାଚ ଖେଳିବ ନାହିଁ । ତେଣୁ ଭାରତର ପତାକାକୁ ଆମେ ଷ୍ଟାଡିୟମରେ ଲଗାଇ ନାହୁଁ ।