ଲୋଇସିଂହା, ୨୪।୬ : ଲୋଇସିଂହା ରେଳ ଷ୍ଟେସନରେ ଖୁବଶୀଘ୍ର ହାୱଡା - ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ ରହିବା ନେଇ ରେଳ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏନେଇ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଗତ ମଇ୧୭ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖିଥିଲେ । ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ବାସୀଙ୍କ ରେଳସେବା ଆବଶ୍ୟକତା ଦୃଷ୍ଟିରୁ ହାୱଡା - ଜଗଦଲପୁର ସମଲେଶ୍ଵରୀ ଏକ୍ସପ୍ରେସ ( ୧୮୦୦୫ ଓ ୧୮୦୦୬) କୁ ଲୋଇସିଂହା ଆଦର୍ଶ ରେଳ ଷ୍ଟେସନ ରେ ରହଣୀ ଦାବୀ କରିଥିଲେ ।
ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ରେଲୱେ ବୋର୍ଡ, ସଂଯୁକ୍ତ ନିର୍ଦ୍ଦେଶକ କୋଚିଙ୍ଗ ରେଲୱେ ବୋର୍ଡ ରାଜେଶ କୁମାରଙ୍କ ପକ୍ଷରୁ ଏସଇଆର କୋଲକାତା ଓ ଇସିଓଆର୍ ଭୁବନେଶ୍ୱର କୁ ଚିଠି ସଂଖ୍ୟା, ସିସି/୧୧୧/୨୦୨୫ ଅନୁଯାୟୀ ଲୋଇସିଂହାରେ ରହଣୀ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯାହା ଫଳରେ ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ଆଉ ଏକ ରେଳ ସେବା ମିଳିଛି । ଏ ନେଇ ମନ୍ତ୍ରୀ ଡ ମହାଲିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।