ଭୁବନେଶ୍ୱର, ୨୫/୦୬ : ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନମ୍ବର-୧ ରାଜଧାନୀରେ ଏକ ବିଚିତ୍ର ରାସ୍ତା ନିର୍ମାଣ କରିଛି । ବଡ଼ଗଡ଼ ଗ୍ରାମ ମୁଖ୍ୟ ପ୍ରବେଶ ପଥ ଛକରୁ ଜଗନ୍ନାଥ ଆଶ୍ରମ ଯାଏ ଲମ୍ବିଥିବା ରାସ୍ତା ମଝିରେ ପାଚେରି ଭଳି ଡିଭାଇଡର ନିର୍ମାଣ କରିଛି । ୨ ଫୁଟରୁ ଉର୍ଦ୍ଧ୍ୱ ଉଚ୍ଚତା ବିଶିଷ୍ଟ ଏହି ଡିଭାଇଡରେ ପ୍ରତିଦିନ ୧୦-୧୨ ଟି ଗାଡ଼ି ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଖାଲି ସେତିକି ନୁହେଁ, ଡିଭାଇଡର ମଝିରେ ଥିବା ଫାଙ୍କରେ ବର୍ଷା ପାଣି ଓ ଅଳିଆ ଜମା ହେଉଛି । ସେଥିରେ ଡେଙ୍ଗୁ ମଶା ଘର କରିଛନ୍ତି । ଏହି ବିପଦଜନକ ଡିଭାଇଡରକୁ ହଟାଇ ନିୟମ ମୁତାବକ କାମ କରିବାକୁ ସ୍ଥାନୀୟ ବଡ଼ଗଡ଼ ଓ ବ୍ରିଟ୍ କଲୋନୀ ବାସିନ୍ଦା ବାରମ୍ବାର ଦାବି କଲେଣି । ହେଲେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କିଛି ଶୁଣୁନାହାନ୍ତି ।
ଏହି ୪ ଲେନ ବିଶିଷ୍ଟ ରାସ୍ତା ଓ ଡିଭାଇଡର କରିବା ପାଇଁ ଡିଭିଜନ-୧ ପକ୍ଷରୁ ପ୍ରଥମେ ବଡ଼ଗଡ଼ ସ୍କୁଲ ଠାରୁ ଖେଳ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ମଝିରେ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୦୦ ମିଟର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର (ଓପିଡଲ୍ୟୁ)ନିୟମ ମୁତାବକ ଡିଭାଇଡର ଗତ ଏକ ବର୍ଷ ତଳେ ନିର୍ମାଣ ଆରମ୍ଭ କରାଗଲା । କିନ୍ତୁ ପୂର୍ବ ସରକାରଙ୍କ ଅମଳରେ କିଛି ସ୍ଥାନୀୟ ରାଜନୈତିକ ଗୋଷ୍ଠୀ ପୂର୍ତ୍ତ ବିଭାଗ ଇଞ୍ଜିନିୟର ମାନଙ୍କ ଉପରେ ପ୍ରବଳ ଚାପ ପକାଇ ଡିଭାଇଡର ଡିଜାଇନକୁ ପରିବର୍ତ୍ତନ କରିଦେଲେ । ରାସ୍ତା ଉପରକୁ ଥିବା ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ଡିଭାଇଡରକୁ ଭାଙ୍ଗି ତାକୁ ୨ ଫୁଟରୁ ଅଧିକ ଉଚ୍ଚତା କରି ଦିଆଗଲା । ଲୋକଙ୍କୁ କୁହାଗଲା, ପାଚେରି ସଦୃଶ୍ୟ ଡିଭାଇଡର ଫାଙ୍କରେ ବିଏମ୍ସି ମାଟି, ଖତ ପକାଇ ସ୍ୱର୍ଣ୍ଣ ଚମ୍ପା, ବଉଳ ଆଦି ଗଛ ଲଗାଇବ । କିନ୍ତୁ ଗଛ ଲାଗିଲା ନାହିଁ । ପୂର୍ତ୍ତ ବିଭାଗ ନିୟମ ଅନୁଯାୟୀ ରାସ୍ତା ଡିଭାଇଡର ମାଟି ଭିତରକୁ ୦୬ ଇଞ୍ଚ, ରାସ୍ତା ଉପରକୁ ୧୦ ଇଞ୍ଚ ରହିବା କଥା । ହେଲେ ରାସ୍ତା ମଝିରେ ପାଚେରି ଭଳି ରହିଥିବା ଏହି ଡିଭାଇଡର ଲୋକଙ୍କ ଉପରେ ଦାଉ ସାଧୁଛି । ଟିକେ ଅନ୍ୟମନସ୍କ ହେଲେ ଗାଡ଼ି ଏହି ଡିଭାଇଡରରେ ଘଷି ହୋଇଯାଉଛି । ଅନେକ ମଧ୍ୟ ଡିଭାଇଡର ମୁଣ୍ଡରେ ଗାଡ଼ି ସହିତ ପିଟି ହୋଇ ଯାଉଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ ସନ୍ଧ୍ୟା ପରେ ରାସ୍ତାଟି ଆହୁରି ବିପଦଜନକ ହୋଇଯାଇଛି । ଡିଭାଇଡର ନିର୍ମାଣ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ଗାଡ଼ି ଦୁର୍ଘଟଣା ଘଟିଲାଣି ।
ବିଶେଷ କରି ବଡ଼ଗଡ଼ ହାଇସ୍କୁଲ ଛକରେ ଥିବା ଡିଭାଇଡର ଓ ବଡଗଡ ଶ୍ମଶାନ ଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ଲମ୍ବିଥିବା ଡିଭାଇଡରରେ ପିଟି ହୋଇ ଅନେକ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ୁଛନ୍ତି । ସେହିଭଳି ଡିଭାଇଡର ମଝିରେ ଥିବା ଫାଙ୍କା ସ୍ଥାନରେ ବିଏମସି ପକ୍ଷରୁ କୌଣସି ମାଟି, ଖତ ପକା ଯାଇନାହିଁ କି ଗଛ ବି ଗୋଟେ ଲଗା ଯାଇନାହିଁ । ଫଳରେ ଡିଭାଇଡର ଫାଙ୍କରେ ବର୍ଷା ପାଣି ଜମା ହୋଇ ତାହା ପାଣିକୁଣ୍ଡ ପାଲଟିଛି । ଏହି ରାସ୍ତାରେ ମଇଁଷି ପଲ ଗଙ୍ଗୁଆକୁ ଯାଉଥିବା ସମୟରେ ଡିଭାଇଡର ମଝିରେ ଜମି ରହିଥିବା ପାଣି ପିଉଛନ୍ତି ଓ ଘାସ ଖାଉଛନ୍ତି । ଡିଭାଇଡର ମଝିରେ ମାସ ମାସ ପ୍ରାୟ ୬ ଇଞ୍ଚ ଉଚ୍ଚତାରେ ଜମି ରହୁଥିବା ପାଣିରେ ମଶା ଅଣ୍ଡା ଦେଇ ବଂଶ ବିସ୍ତାର କରୁଛନ୍ତି । ତା’ ସହିତ ଲୋକମାନେ ଜରି, ନଡ଼ା, କୁଟା,ଡାଳ,ପତ୍ର,ଆଦି ବର୍ଜ୍ୟ ସେହିଠାରେ ପକାଉଛନ୍ତି ।
ମୋଟାମୋଟି ଭାବେ ଏହା ସ୍ଥାନୀୟ ଅଞ୍ଚଳର ମିନି ଡମ୍ପୟାଡ ପାଲିଟିଛି । ଉକ୍ତ ଡିଭାଇଡର ଉଚ୍ଚତା ସ ଫାଙ୍କ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନମ୍ବର-୧ର ଅଧୀକ୍ଷଣ ଯନ୍ତ୍ରୀ ଇଂ ପ୍ରଭୁଦତ୍ତ ପ୍ରଧାନଙ୍କୁ ପଚାରିବାରେ ସେ କହିଲେ, ଗତ ୨୦୨୪ରେ ଏହି ଡିଭାଇଡର ନିର୍ମାଣ ହୋଇଥିଲା । ଏହାକୁ କମ୍ ଉଚ୍ଚତା କରିବା ଲାଗି ଲୋକଙ୍କ ଅଭିଯୋଗ ଆସିଛି । ଏହାକୁ ନିୟମ ମୁତାବକ ଉଚ୍ଚ କରିବା ପାଇଁ ଆମେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ରାସ୍ତା ଓ ସର୍ବୋଚ୍ଚ ଯନ୍ତ୍ରୀ ସିଭିଲଙ୍କ ସହ ଆଲୋଚନା କରିଛୁ । ଖୁବ ଶୀଘ୍ର ଉକ୍ତ ଡିଭାଇଡର ଉଚ୍ଚତା ହ୍ରାସ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।