ସମ୍ବଲପୁର,୨୧/୧୦: ବଦଳିବ ହୀରାକୁଦ ଉପରମୁଣ୍ଡର ଗଜ୍ ଷ୍ଟେସନ । ଦୀର୍ଘ ଦଶନ୍ଧି ତଳୁ ସ୍ଥାପିତ ଏହି ଷ୍ଟେସନ୍ଗୁଡିକ ବର୍ତ୍ତମାନ ଭୌଗୋଳିକ ପରିବର୍ତ୍ତନ ଯୋଗୁଁ ସଠିକ୍ ତଥ୍ୟ ଦେବାରେ ଅସମର୍ଥ ହୋଇପଡିଛି । ଏଥିପାଇଁ ଉପରମୁଣ୍ଡରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ଥାପିତ ହୋଇଥିବା ୮ଟି ଗଜ୍ ଷ୍ଟେସନର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରୁ ସାରଡିହି ଭଳି କିଛି ସ୍ଥାନରେ ଥିବା ଷ୍ଟେସନ୍ ବ୍ୟାରେଜ୍ ନିର୍ମାଣ ପରେ ଏକପ୍ରକାର ମୂଲ୍ୟହୀନ ହୋଇଯାଇଛି । ଯଦ୍ୱାରା ଏଭଳି ଷ୍ଟେସନ୍ଗୁଡିକର ସ୍ଥାନ ପରିବର୍ତ୍ତନ କରିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲରେ ଆଇନଗତ ଲଢେଇ ସକାଶେ ତଥ୍ୟ ହିଁ ଏକମାତ୍ର ଆୟୁଧ । ଏଥିରେ ଉପରମୁଣ୍ଡର ବର୍ଷା ହାରରୁ ଆରମ୍ଭ କରି ହୀରାକୁଦକୁ ମହାନଦୀ ଏବଂ ଏହାର ବେସିନ୍ରୁ ଆସୁଥିବା ଜଳ ପ୍ରବାହର ମାତ୍ରା, ବିଭିନ୍ନ ବନ୍ଧ ଓ ବ୍ୟାରେଜ୍ରୁ ନିର୍ଗତ ପାଣିର ମାତ୍ରା ଆଦିର ସଠିକ୍ ଏବଂ ତ୍ୱରିତ ତଥ୍ୟ ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହାଛଡ଼ା ବର୍ଷତମାମ ହୀରାକୁଦର ଜଳ ପରିଚାଳନା ପାଇଁ ମଧ୍ୟ ଏହି ତଥ୍ୟର ଆବଶ୍ୟକତା ପଡିଥାଏ ।
ଏଥିପାଇଁ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ରୀୟ ଜଳ ଆୟୋଗ ସମଗ୍ର ମହାନଦୀ ବେସିନ୍ର ବିଭିନ୍ନ ସ୍ଥାନରେ ନିଜ ନିଜର ଗଜ୍ ଷ୍ଟେସନ୍ ସ୍ଥାପନ କରିଛନ୍ତି । ଏଥିରେ ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୀରାକୁଦ ବନ୍ଧର ଉପରମୁଣ୍ଡରେ ୮ଟି ଗଜ୍ ଷ୍ଟେସନ୍ ଦୀର୍ଘ ଦଶନ୍ଧି ତଳୁ ସ୍ଥାପିତ ହୋଇଛି । ସେଗୁଡିକ ହେଲା ଛତିଶଗଡ଼ର ଘୋରାରୀ, ନନ୍ଦଗାଓଁ, ଶିଓରିନାରାୟଣ, ତାରାପୁର, ଚାମ୍ପା, ସାରଡିହି ସମେତ ଓଡ଼ିଶାର ଇବ୍ ନଦୀର ଦେଓଗାଁ ଏବଂ ଭେଡେନ୍ ନଦୀର ଖେରୁଆଲ ଗଜ୍ ଷ୍ଟେସନ । ଏଠାରୁ ନିୟମିତ ବର୍ଷା ହାରରୁ ଆରମ୍ଭ କରି ଜଳପ୍ରବାହର ମାପ ହୋଇ ହୀରାକୁଦ ବନ୍ଧର ନିୟନ୍ତ୍ରଣ କକ୍ଷକୁ ଆସିଥାଏ ।
ତେବେ, ଭୌଗୋଳିକ ପରିବର୍ତ୍ତନ ତଥା ଉପରମୁଣ୍ଡରେ ବହୁ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ ଦ୍ୱାରା ଏହି ଗଜ୍ ଷ୍ଟେସନଗୁଡିକ ପ୍ରଭାବିତ ହୋଇଛି । ଯଦ୍ୱାରା ଏଠାରୁ ସଠିକ୍ ତଥ୍ୟ ଆସିପାରୁନଥିବା ବେଳେ ଏହା ହୀରାକୁଦର ଜଳ ପରିଚାଳନାକୁ ପ୍ରଭାବିତ କରିବା ସହିତ ଟ୍ରିବ୍ୟୁନାଲ ଲଢେଇ ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହରେ ଅନ୍ତରାୟ ସୃଷ୍ଟି କରୁଛି । ଏଥିରୁ ସାରଡିହିର ଗଜ୍ ଷ୍ଟେସନଟି ସଂପୂର୍ଣ୍ଣ ଭାବେ ଅପ୍ରାସଙ୍ଗିକ ହୋଇଯାଇଛି । ଏହାର କାରଣ ହେଲା ଯେ, ସେଠାରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ବ୍ୟାରେଜ୍ ନିର୍ମାଣ ପରେ ଉକ୍ତ ଗଜ୍ ଷ୍ଟେସନ୍ଟି ଜଳଭଣ୍ଡାର ନିକଟରେ ରହିଯାଇଛି । ଯଦ୍ୱାରା ଏଠାରୁ ସଠିକ୍ ତଥ୍ୟ ଆସିପାରୁନାହିଁ । ସେହିପରି ଅନ୍ୟ ଗଜ୍ ଷ୍ଟେସନଗୁଡିକ ମଧ୍ୟ ଦୀର୍ଘ ଦଶନ୍ଧି ପରେ ନୂତନ ସ୍ଥାନକୁ ପରିବର୍ତ୍ତନ ସହ ନବୀକରଣ ଆବଶ୍ୟକ ହୋଇପଡିଛି ।
ଏନେଇ ୩ ବର୍ଷ ତଳୁ ସରକାରୀସ୍ତରରେ ବି ସୁପାରିସ କରାଯାଇଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ବର୍ତ୍ତମାନ ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମସ୍ତ ୮ଟି ଗଜ୍ ଷ୍ଟେସନର ନବୀକରଣ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତି ଚାଲିଥିବା ବେଳେ ଖୁବ୍ ଶୀଘ୍ର ଟେଣ୍ଡର ହୋଇ କାମ ଆରମ୍ଭ ହେବ ବୋଲି ହୀରାକୁଦ ମୁଖ୍ୟଯନ୍ତ୍ରୀ ସୁଶୀଳ କୁମାର ବେହେରା ସୂଚନା ଦେଇଛନ୍ତି ।