ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ, ଏହି ଆକ୍ରମଣ ନୂତନ କେନାଲ ପ୍ରକଳ୍ପ ବିରୋଧରେ ଏକ ରାଲି ବାହାର କରୁଥିବା ପ୍ରଦର୍ଶନକାରୀ ମାନେ ଜଣେ ହିନ୍ଦୁ ରାଜ୍ୟ ମନ୍ତ୍ରୀଙ୍କ ଉପରେ କରିଛନ୍ତି। ଶନିବାର ଦିନ ପାକିସ୍ତାନ ମୁସଲିମ ଲିଗ୍-ନୱାଜ୍ ସାଂସଦ ଏବଂ ଧାର୍ମିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଖୈଲ ଦାସ କୋହିସ୍ତାନି ଥାଟ୍ଟା ଜିଲ୍ଲା ଦେଇ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଛି । ହଠାତ୍ ପ୍ରଦର୍ଶନକାରୀ ମାନେ ତାଙ୍କ କାରକେଡ୍ ଉପରେ ଟମାଟୋ ଏବଂ ଆଳୁ ଫିଙ୍ଗିବା ଆରମ୍ଭ କରିଥିଲେ ଏବଂ ସଂଘୀୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।
ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ, ଆକ୍ରମଣରେ କୋହିସ୍ତାନିଙ୍କ କୌଣସି କ୍ଷତି ହୋଇନାହିଁ। ରେଡିଓ ପାକିସ୍ତାନ ରିପୋର୍ଟ କରିଛି ଯେ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କୋହିସ୍ତାନୀଙ୍କୁ ଫୋନ୍ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ଜନ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ। ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କୁ କଠୋର ଦଣ୍ଡ ଦିଆଯିବ।" ସୂଚନା ମନ୍ତ୍ରୀ ଆତା ତାରାର ସିନ୍ଧ ପୋଲିସ ମହାନିରୀକ୍ଷକ (ଆଇଜିପି) ଗୁଲାମ ନବୀ ମେମନଙ୍କ ଠାରୁ ଘଟଣାର ବିବରଣୀ ଏବଂ ସଂଘୀୟ ଗୃହ ସଚିବଙ୍କ ଠାରୁ ଏକ ରିପୋର୍ଟ ମାଗିଛନ୍ତି।
ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲ୍ଲୀ ଶାହ ମଧ୍ୟ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ ହାଇଦ୍ରାବାଦ ଜୋନର ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସଙ୍କୁ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।