ଭୁବନେଶ୍ୱର, ୨୩/୦୪ : ଆକାଶରୁ ଅଗ୍ନି ବର୍ଷା। ନିଆଁ ହୁଳା ମାଡ଼ ହେବା ଭଳି ଯନ୍ତ୍ରଣା। ତାତି ଯେତିକି ପ୍ରଚଣ୍ଡ , ଗୁଳଗୁଳି ବି ସେତିକି ଭୀଷଣ । ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ। ଝାରସୁଗୁଡ଼ାରେ ଏପ୍ରିଲ ମାସର ରେକର୍ଡ ଭାଙ୍ଗିଛି ତାତି । ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଉପକୂଳରେ ତାତି କମ୍ ଥିଲା ସତ, କିନ୍ତୁ ଅଧିକ ଆର୍ଦ୍ରତା ପାଇଁ ତାତି ୪୫ରୁ ୫୦ ଡିଗ୍ରୀ ଭଳି ଅନୁଭବ ହେଉଥିଲା । ଆସନ୍ତା ୨୭ ତାରିଖରୁ କାଳବୈଶାଖୀ ବର୍ଷା ଯୋଗୁ ଅଗ୍ନିବର୍ଷାରେ ବିରାମ ଲାଗିବ । ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ରାଜ୍ୟର ୧୪ଟି ସ୍ଥାନରେ ତାତି ୪୦ ଡିଗ୍ରୀ ପାର୍ କରିଛି । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ ହୋଇଛି । ୧୯୫୩ ମସିହା ପରଠାରୁ ଏପ୍ରିଲ ମାସ ପାଇଁ ସର୍ବକାଳୀନ ରେକର୍ଡ ୪୬.୧ ଡିଗ୍ରୀ ଥିଲା। ୨୦୧୦ ଏପ୍ରିଲ ୧୯ ତାରିଖରେ ତାତି ଏଭଳି ରେକର୍ଡ କରିଥିଲା । ଆଜି ଏହି ରେକର୍ଡ ଭାଙ୍ଗିବା ସହ ସର୍ବୋଚ୍ଚ ତାପମାତ୍ରା ୪୬.୨ ଡିଗ୍ରୀରେ ପହଞ୍ଚିଛି। ବରିଷ୍ଠ କୃଷି ପାଣିପାଗ ବିଷାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୨୭ରୁ କାଳବୈଶାଖୀ ବର୍ଷା ଆରମ୍ଭ ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଉପକୂଳ ଜିଲ୍ଲାରେ ବର୍ଷା ଅଧିକ ହେବାର ସମ୍ଭାବନା ଅଛି । ଭଦ୍ରକ ଓ ଗଞ୍ଜାମର ସଂଲଗ୍ନ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ୨୭ ତାରିଖରୁ ନେଇ ମେ ୪ ତାରିଖ ଯାଏ କାଳବୈଶାଖୀ ବର୍ଷା ହେବ । ତେବେ ୨୮ରୁ ୧ ତାରିଖ ଭିତରେ ଅଧିକ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ବର୍ଷା ଯୋଗୁ ୨୭ରୁ ତାପମାତ୍ରା କମିଯିବ । ୨୯ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୫ରୁ ୬ ଡିଗ୍ରୀ କମିଯିବ । ରାଜଧାନୀରେ ତାତି ୩ ଡିଗ୍ରୀ କମିବ ।
ଏବେ ରାଜ୍ୟର ଉପକୂଳ ଜିଲ୍ଲାରେ ବଙ୍ଗୋପସାଗରୀୟ ଦକ୍ଷିଣ-ପଶ୍ଚିମା ପବନ ବହୁଛି । ପଶ୍ଚିମ ଓଡ଼ିଶାରେ ପଶ୍ଚିମା ଶୁଷ୍କ ପବନ ବହୁଛି । ୨୭ ତାରିଖରୁ ପବନର ଦିଗ ବଦଳିବ । ରାଜ୍ୟରେ ପୂର୍ବା ପବନ ବହିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ଏବେ ୨୬ତାରିଖ ଯାଏ ତାତି ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ସମେତ ସମସ୍ତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା, ଢେଙ୍କାନାଳ, ଅନୁଗୁଳ, ଆଭ୍ୟନ୍ତରୀଣ ଗଞ୍ଜାମ ଓ କଟକର ପଶ୍ଚିମ ଭାଗର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହିବ । ଆଉ କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିବ ବୋଲି ସେ କହିଛନ୍ତି । ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୩ ତାରିଖ(ବୁଧବାର) ଝାରସୁଗୁଡ଼ାରେ ଭୀଷଣ ଗରମ ସ୍ଥିତି ରହିବ । ଝାରସୁଗୁଡ଼ା ସମେତ ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁରରେ ଗ୍ରୀଷ୍ମ ପ୍ରବାହ ବହିପାରେ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଗରମ ସହିତ ଗୁଳଗୁଳି ଅନୁଭୂତ ହୋଇପାରେ । ସମ୍ବଲପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ରାତି ବେଳା ପ୍ରବଳ ଗରମ ଅନୁଭବ ହେବ । ୨୪ରୁ ୨୬ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ଏଭଳି ପ୍ରଚଣ୍ଡ ରୌଦ୍ରତାପ ସ୍ଥିତିକୁ ଦେଖି କର୍ମଜୀବୀ ଓ ଶ୍ରମିକଙ୍କ ସୁରକ୍ଷାକୁ ଜଗିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ବିଭିନ୍ନ ନିଯୁକ୍ତିଦାତା, ବ୍ୟବସାୟୀ, ନିର୍ମାଣ କମ୍ପାନୀ, ଶିଳ୍ପ ସଂସ୍ଥା ଅଧୀନରେ କାମ କରୁଥିବା କର୍ମଜୀବୀ ଓ ଶ୍ରମିକଙ୍କୁ ତାତିରୁ ସୁରକ୍ଷା ଦେବା ସହ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟକୁ କୁହାଯାଇଛି । କାର୍ଯ୍ୟସ୍ଥଳରେ ପିଇବା ପାଣି ସୁବିଧା, ବରଫ ପ୍ୟାକ୍ ଓ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମଙ୍ଗଳବାର ଝାରସୁଗୁଡ଼ା ତଳକୁ ହୀରାକୁଦରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ହୀରାକୁଦରେ ୪୪.୭, ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୫, ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ ଓ ସୋନପୁରରେ ୪୩.୮, ବଲାଙ୍ଗୀରରେ ୪୩.୨, ଭବାନୀପାଟଣା, ରାଉରକେଲା ଓ ବରଗଡ଼ରେ ୪୨.୮, ଅନୁଗୁଳରେ ୪୨.୩, ନୂଆପଡ଼ାରେ ୪୨ ଓ ତାଳଚେରରେ ୪୦.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା କମ୍ ଥିଲେ ବି ଭୀଷଣ ଗୁଳଗୁଳି ନାକେଦମ୍ କରିଥିଲା । ଭୁବନେଶ୍ୱରରେ ତାପମାତ୍ରା ମାତ୍ର ୩୬.୭ ଡିଗ୍ରୀ ଥିଲା । କିନ୍ତୁ ଆର୍ଦ୍ରତା ୬୦ରୁ ୭୦% ରହୁଥିବାରୁ ତାପମାତ୍ରା ୪୮ରୁ ୫୦ ଡିଗ୍ରୀ ଅନୁଭବ ହେଉଥିଲା । କଟକରେ ତାପମାତ୍ରା ୩୬.୮ ଡିଗ୍ରୀ ଥିଲେ ବି ୪୫ରୁ ୫୦ ଡିଗ୍ରୀ ଭଳି ଲାଗୁଥିଲା । ବାୟୁମଣ୍ଡଳରେ ମାତ୍ରାଧିକ ଆର୍ଦ୍ରତା ଯୋଗୁ ପାରାଦୀପରେ ୪୭ ଡିଗ୍ରୀ, ପୁରୀରେ ୫୦ ଡିଗ୍ରୀ, ଢେଙ୍କାନାଳରେ ୪୫ରୁ ୫୦ ଡିଗ୍ରୀ ଭଳି ତାତି ଅନୁଭବ ହେଉଥିଲା ।