ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ହାଥରସ୍‌ରେ ଦଳାଚକଟା ଘଟଣା : ମୃତଦେହ ଦେଖି ହୃଦ୍‌ଘାତରେ ପୁଲିସ କର୍ମୀଙ୍କ ମୃତ୍ୟୁ, ଫେରାର୍ ବାବାଙ୍କୁ ଖୋଜୁଛି ପୁଲିସ୍

ଲକ୍ଷ୍ନୌ, ୦୩/୦୭ : ଉତ୍ତରପ୍ରଦେଶର ହାଥରସ୍‌ ଜିଲ୍ଲାରେ ମଙ୍ଗଳବାର ଧର୍ମ ଗୁରୁ ଭୋଲେ ବାବା ଓରଫ୍‌ ନାରାୟଣ ସାକାର ହରଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା ହୋଇଛି । ସେଥିଯୋଗୁ ୧୨୨ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି । ସେମାନେ ହାଥରସ୍‌, ବଦାୟୁଁ, ପଶ୍ଚିମ ୟୁପିର ବିଭିନ୍ନ ଜିଲ୍ଲାରୁ ଆସିଥିଲେ । ଆହୁରି ୧୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । 

ବାବାଙ୍କ ପାଦ ଛୁଇଁବାକୁ ଓ ବାହାରିବା ଉଦ୍ୟମରୁ ଦଳାଚକଟା

ହାଥରସ୍‌ ଜିଲ୍ଲା ମୁଖ୍ୟାଳୟଠାରୁ ୪୭ କିମି ଦୂର ସିକନ୍ଦରାରାଓ ପୁଲିସ ଥାନା ଅଧୀନ ଫୁଲରଇ ଗାଁରେ ମଙ୍ଗଳବାର ଭୋଲେ ବାବାଙ୍କ ସତ୍‌ସଙ୍ଗ ଆୟୋଜନ କରାଯାଇଥିଲା । ସତ୍‌ସଙ୍‌ଗରେ ୨୦ ହଜାରରୁ ଅଧିକ ଲୋକ ଏକତ୍ର ହୋଇଥିଲେ । ସ୍ୱଳ୍ପ ସ୍ଥାନରେ ଏତେ ଲୋକ ଏକାଠି ହେବା ବିପଦ ହୋଇଥିଲା । ସଭାରେ ବାବାଙ୍କ ବେସରକାରୀ ସେନା ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିଲେ । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାତ୍ର ୭୨ ଜଣ ପୁଲିସଙ୍କୁ ମୁତୟନ କରାଯାଇଥିଲା । ସତ୍‌ସଙ୍ଗ ସରିବା ମାତ୍ରେ ସଭାର ପଛରେ ଥିବା ଭକ୍ତ ମାନେ ବାବାଙ୍କ ପାଦ ଛୁଇଁବାକୁ ଆଗକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ଭିଡ଼ ଅଧିକ ହୋଇଥିବାରୁ ଆଗରେ ଥିବା ଭକ୍ତ ମାନେ ତୁରନ୍ତ ପଦାକୁ ଆସିବାକୁ ପଛକୁ ଆସିବା ଚେଷ୍ଟା କରିଥିଲେ । ସଭାସ୍ଥଳରୁ ବାହାରିବାକୁ ଥିବା ଫାଟକ ମଧ୍ୟ ଛୋଟ ଥିଲା । ତେବେ ସଭାସ୍ଥଳର ଆଗ ପାଶ୍ୱର୍ରେ ଏକ ନାଳ ମଧ୍ୟ ଥିଲା । ଏହି ସମୟରେ ବାବାଙ୍କ ଗାଡ଼ି ବାହାରିଥିଲା ଯିବାକୁ । ତେଣୁ ତାଙ୍କ ସୁରକ୍ଷା କର୍ମୀମାନେ ଭିଡ଼ ନିୟନ୍ତ୍ରଣ ଛାଡ଼ି ବାବାଙ୍କ ସୁରକ୍ଷାରେ ବ୍ୟସ୍ତ ରହିଲେ । ଏହି କାରଣରୁ ଦଳାଚକଟା ହୋଇଥିଲା । ଲୋକମାନେ ପରସ୍ପର ଉପରେ ପଡି଼ଯାଇଥିଲେ । ଅଧିକାଂଶ ମହିଳା ଓ ପିଲା ଥିବାରୁ ସେମାନେ ଉଠିପାରିନଥିଲେ । ଶ୍ୱାସରୁଦ୍ଧ ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । 

ସତ୍‌ସଙ୍ଗ ପାଲଟିଲା ଶ୍ମଶାନ

ଦଳାଚକଟା ପରେ ସତ୍‌ସଙ୍ଗ ସ୍ଥଳ ଶ୍ମଶାନ ଭଳି ଦେଖାଯାଉଥିଲା । ଚାରିଆଡ଼େ ମୃତାହତ ଲୋକମାନେ ପଡ଼ିରହିଥିଲେ । କେହି କେହି ସହାୟତା ଲାଗି ଆର୍ତ୍ତ ଚିତ୍କାର ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । କିଏ ଆହତ ପରିଜନଙ୍କୁ କାନ୍ଧରେ ଧରି ଦୌଡ଼ୁଥିଲା ତ ଆଉ କିଏ ସମ୍ପର୍କୀୟଙ୍କ ମୃତଦେହ ଧରି କାନ୍ଦୁଥିଲା । ମୃତାହତଙ୍କୁ ନେବା ଲାଗି ଆମ୍ବୁଲାନ୍ସ ମିଳି ନଥିଲା । ବସ୍‌, ଅଟୋ, ବାଇକ୍‌ ଆଦିରେ ଲଦି ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ସ୍ଥାନୀୟ ସିକନ୍ଦରାରାଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଏଟା ଜିଲ୍ଲା ହସ୍ପିଟାଲ ଓ ଆଲିଗଡ ମେଡିକାଲ କଲେଜରେ ଆହତଙ୍କୁ ଭର୍ତ୍ତି କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ କୁଢ଼କୁଢ଼ ଶବ ପଡ଼ି ରହିଥିଲା । ସେଠାରେ ପ୍ରାୟ ୯୫ଟି ମୃତଦେହ ରହିଥିଲା ବେଳେ ଏଟା ଜିଲ୍ଲା ହସ୍ପିଟାଲରେ ୨୭ଟି ମୃତଦେହ ପହଞ୍ଚିଥିବା ସୂଚନା ମିଳିଛି । ପରିସ୍ଥିତି ଏପରି ହୋଇଥିଲା କି ମୃତଦେହକୁ ଢାଙ୍କିବା ପାଇଁ ଚାଦର ମଧ୍ୟ ମିଳି ନଥିଲା । ଆହତଙ୍କୁ ଚିକିତ୍ସା କରିବା ଲାଗି ହସ୍ପିଟାଲରେ ଡାକ୍ତର ମଧ୍ୟ ନଥିଲେ । 

ମୃତଦେହ ଦେଖି ହୃଦ୍‌ଘାତରେ ପୁଲିସ କର୍ମୀଙ୍କ ମୃତ୍ୟୁ

ଏତେ ସଂଖ୍ୟକ ଲୋକଙ୍କୁ କିଭଳି ଚିକିତ୍ସା କରାଯିବ ତାହା ମଧ୍ୟ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଥିଲା । ଅନେକ ସ୍ଥାନରେ ଲୋକମାନେ ବଞ୍ଚିଥିଲେ ମଧ୍ୟ ଅଚେତ ଥିବାରୁ ସେମାନଙ୍କୁ ମୃତଦେହ ପାଖରେ ଶୁଆଇ ଦିଆଯାଇଥିଲା । ହସ୍ପିଟାଲରେ ପରିଜନମାନେ ପହଞ୍ଚିବାରୁ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ଏଟା ମେଡିକାଲ୍‌ କଲେଜରେ ଶବ ଗଦା ଦେଖି ଡ୍ୟୁଟିରେ ମୁତୟନ ଜଣେ କନ୍‌ଷ୍ଟେବଳ ରଜନେଶ ହୃଦ୍‌ଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । 

ବାବାଙ୍କ ଫୋନ୍‌ ବନ୍ଦ, ଫେରାର, ପୁଲିସ ଖୋଜୁଛି

ଘଟଣା ପରେ ବାବାଙ୍କ ଫୋନ୍‌ ବନ୍ଦ ରହିଛି ଏବଂ ସେ ଫେରାର ହୋଇ ଯାଇଛନ୍ତି । ଆୟୋଜକମାନଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ପୁଲିସ ଖୋଜୁଛି । ହାଥରସ୍‌ ଜିଲ୍ଲାପାଳ ଆଶିଷ କୁମାରଙ୍କ ଅନୁସାରେ ଏହା ଏକ ଘରୋଇ କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ସ୍ଥାନୀୟ ଏସ୍‌ଡିଏମ୍‌ଙ୍କ ପକ୍ଷରୁ ଅନୁମତି ମଧ୍ୟ ମିଳିଥିଲା । ସୁରକ୍ଷା ଲାଗି ପୁଲିସ ମୁତୟନ ହୋଇଥିଲେ । ତେବେ କାର୍ଯ୍ୟକ୍ରମ ଭିତରର ବ୍ୟବସ୍ଥା ଆୟୋଜକଙ୍କ ଦ୍ୱାରା କରାଯିବାର ଥିଲା । ହେଲେ ଏଭଳି ଭୟାବହ ଘଟଣା କାହିଁକି ଘଟିଲା ତାର ସବିଶେଷ ତଦନ୍ତ କରାଯିବ। 

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଏହା ଦୁର୍ଘଟଣା ନା ଷଡ଼ଯନ୍ତ୍ର ତାର ତଦନ୍ତ କରାଯିବ। ଆଗ୍ରା ଏଡିଜି, ଆଲିଗଡ଼ କମିଶନରଙ୍କ ଅଧ୍ୟକ୍ଷତାର ଏକ ଉଚ୍ଚସ୍ତରୀୟ କମିଟି ଘଟଣାର ତଦନ୍ତ କରିବ । ସେହିପରି ଆୟୋଜକଙ୍କ ବିରୋଧରେ ଏତଲା ରୁଜୁ ହେବ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । 

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ହାଥରସ୍‌ ଘଟଣା ନେଇ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ହାଥରସ୍‌ରେ ମହିଳା ଓ ପିଲାଙ୍କ ସମେତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟ ବିଦାରକ । ସେ ମୃତବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସଂସଦରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁପି ହାଥରସ୍‌ରେ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହେବା ନେଇ ଦୁଃଖଦ ସୂଚନା ମିଳିଛି । ମୃତକଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଉଦ୍ଧାର କାର୍ଯ୍ୟ ଚାଲିଛି । କେନ୍ଦ୍ରର ବରିଷ୍ଠ ଅଧିକାରୀ ରାଜ୍ୟ ସହିତ ଯୋଗାଯୋଗରେ ଅଛନ୍ତି । ପୀଡ଼ିତମାନଙ୍କର ସମସ୍ତ ପ୍ରକାର ସହାୟତା କରାଯିବ । 

ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିଜନଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟ ସରକାର ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଏନ୍‌ଡିଆରଏଫର ଏକ ମେଡିକାଲ ଟିମ୍‌ ହାଥରସ ପଠାଯାଇଛି । ସେମାନେ ଦଳାଚକଟାରେ ଆହତ ଲୋକଙ୍କର ଚିକିତ୍ସା କରିବେ । 

ପୁଲିସ ଚାକିରି ଛାଡ଼ି ପ୍ରବଚନ ଦେଉଥିବେ ବାବା

ଉଲ୍ଳେଖଯୋଗ୍ୟ, ଭୋଲେବାବା ପୁଲିସ ଚାକିରି ଛାଡ଼ି ପ୍ରବଚନ ଦେବା ଆରମ୍ଭ କରିଥିଲେ । ପ୍ରାୟ ୩/୪ଟି ରାଜ୍ୟରେ ତାଙ୍କର ଅନୁଗାମୀ ଅଛନ୍ତି । ଉତ୍ତରପ୍ରଦେଶର ବାହାଦୂରନଗରରେ ଥିବା ତାଙ୍କ ଆଶ୍ରମ ବାହାରେ ଥିବା ଏକ ନଳକୂପରୁ ସେ ସମସ୍ୟା ଦୂର କରୁଥିବା ଚମତ୍କାର ପାଣି ବାଣ୍ଟିଥାନ୍ତି । ତାକୁ ପାଇବା ପାଇଁ ହଜାର ହଜାର ଲୋକ ଭିଡ଼ ଜମାଇଥାନ୍ତି । ବିଭିନ୍ନ ସ୍ଥାନରେ ତାଙ୍କ ସତ୍‌ସଙ୍ଗସ୍ଥଳରେ ମଧ୍ୟ ଏହି ଚମତ୍କାର ପାଣି ନେବାକୁ ଲୋକେ ଭିଡ଼ କରିଥାନ୍ତି । 

ରାଜ୍ୟରେ ପୂର୍ବରୁ ହୋଇଥିବା ଦଳାଚକଟା ଘଟଣା 

ହାଥରସ୍‌ରେ ହୋଇଥିବା ଦଳାଚକଟା ପୂର୍ବରୁ ରାଜ୍ୟରେ ଆଉ କେତେ ଥର ମଧ୍ୟ ଦଳାଚକଟାରେ ଲୋକଙ୍କର ପ୍ରାଣଘାନି ଘଟିଛି । ୧୯୫୪ରେ ଉତ୍ତରପ୍ରଦେଶ ଆହ୍ଲାବାଦର କୁମ୍ଭ ମେଳାରେ ହୋଇଥିବା ଦଳାଚକଟାରେ ପ୍ରାୟ ୮୦୦ ଜଣ ପ୍ରାଣ ହରାଇଥିଲେ । ମାର୍ଚ୍ଚ ୨୦୧୦ରେ ପ୍ରତାପଗଡ଼ ଜିଲ୍ଲାର ମନଗଢ଼ ଆଶ୍ରମରେ ଦଳାଚକଟା ହୋଇଥିଲା । ସେଥିଯୋଗୁ ୬୩ ଜଣଙ୍କର ଜୀବନହାନି ହୋଇଥିଲା । ୨୦୧୩ ଫେବ୍ରୁଆରୀ ୧୦ରେ ଅର୍ଦ୍ଧକୁମ୍ଭ ସମୟରେ ପ୍ରୟାଗରାଜ ଜଙ୍କସନ୍‌ରେ ଦଳାଚକଟା ହେବାରୁ ଲିଭିଯାଇଥିଲା ୩୬ ଜଣଙ୍କ ଜୀବନଦୀପ । ଏହାପରେ ୨୦୧୬ ଅକ୍ଟୋବର ୧୫ରେ ବାରାଣସୀର ରାଜଘାଟ ପୋଲରେ ବି ଦଳାଚକଟା ହୋଇଥିଲା । ସେଥିଯୋଗୁ ୨୫ ଜଣ ପ୍ରାଣ ହରାଇଥିବାବେଳେ ୬୦ ଜଣ ଆହତ ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.