ଫିରିଙ୍ଗିଆ, ୨୨/୩ : ଗତ ପ୍ରାୟ ୧ ବର୍ଷ ହେବ ଲିଭର ଜନିତ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଫିରିଙ୍ଗିଆ ବ୍ଲକ କେଳପଡ଼ା ପଞ୍ଚାୟତର ତିଲକ ପଡ଼ି ଗାଁର ହରିବନ୍ଧୁ କହଁର l ହରିବନ୍ଧୁ ଜଣେ ସରକାରୀ କର୍ମଚାରୀ ଷ୍ଟାର୍ଟସ୍ଟିକାଲ ଅମିନ ଭାବରେ ନୁଆଁ ଗାଁ ବ୍ଲକରେ କାର୍ଯ୍ୟ କରି ଆସୁଥିଲେ l ସୁରୁଖୁରୁରେ ପରିବାର ମଧ୍ୟ ଚଳୁଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ କିଛି ବର୍ଷ ପରେ ହରିବନ୍ଧୁଙ୍କ ପାଇଁ ଅକାଳ ଚଡ଼କ ପଡ଼ିଥିଲା । ସାଧାରଣ ଭାବେ ଜ୍ୱର ହେବା ପରେ ସେ ପ୍ରଥମେ ବାଲିଗୁଡ଼ା ମେଡ଼ିକାଲ, ଫିରିଙ୍ଗିଆ ମେଡିକାଲରେ ଚିକିତ୍ସା ପରେ ଜ୍ୱର ନ କମିବାରୁ କନ୍ଧମାଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇଥିଲେ l
ଭଲ ନ ହେବାରୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଦେଖାଇଥିଲେ । କିଛି ଦିନ ଚିକିତ୍ସା ପରେ ହରିବନ୍ଧୁ ଲିଭର ଜନିତ ରୋଗରେ ପୀଡିତ ଥିବା ଜଣା ପଡିଥିଲା ଓ ଚିକିତ୍ସା ମଧ୍ୟ କରିଥିଲେ । କିନ୍ତୁ ଚିକିତ୍ସା ପରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା କୌଣସି ପରିବର୍ତ୍ତନ ହେଲା ନାହିଁ l ବ୍ରହ୍ମପୁର ମେଡ଼ିକାଲରେ ଭଲ ନ ହେବାରୁ ଭୁବନେଶ୍ୱରର ବିଭିନ୍ନ ମେଡ଼ିକାଲରେ ଅଧିକ ଚିକିତ୍ସା ପାଇଁ ଯାଇଥିଲେ । ଅଳ୍ପ ଦିନ ଭିତରେ ଯାହା ଟଙ୍କା ଥିଲା ସରିଯିବାରୁ ଅସହାୟ ଅବସ୍ଥାରେ ଘରକୁ ଆସି ପଡ଼ି ରହିଲେ । ରୋଗ ବଢିବା ସାଙ୍ଗକୁ ଅର୍ଥ ଅଭାବ ହରିବନ୍ଧୁ ଓ ପରିବାରକୁ ବିଚଳିତ କରିଦେଇଥିଲା । ଶେଷରେ ସୁନା ରୁପା, ବିକ୍ରି କରି ଚିକିତ୍ସା କରିଥିଲେ । ପୁଣି ଭଲ ନ ହେବାରୁ ଜମି ବାଡ଼ି ବିକ୍ରି କରିବା ସହ ଧାର ଉଦ୍ଧାର କରି ପ୍ରାୟ ୧୭ ଲକ୍ଷରୁ ଅଧିକ ଟଙ୍କା ନିଜ ଚିକିତ୍ସାରେ ଲଗାଇଥିଲେ । ତଥାପି କୌଣସି ପରିବର୍ତ୍ତନ ନ ହୋଇ ଦୈନିକ ୪୦ରୁ ୫୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ଅସହାୟ ହୋଇ ବର୍ତ୍ତମାନ ପୁଣି କଟକ ଏସସିବି ମେଡିକାଲରେ ଗତ ମାର୍ଚ୍ଚ ୧ତାରିଖଠାରୁ ଚିକିତ୍ସା ଧୀନ ଅବସ୍ଥାରେ ପଡ଼ି ରହିଛନ୍ତି l
ପାଖରେ ଟଙ୍କା ନାହିଁ । ଯାହା ଦ୍ୱାରା ଚିକିତ୍ସା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବର୍ତ୍ତମାନ ଚିକିତ୍ସା ପାଇଁ ବନ୍ଧୁ ବାନ୍ଧବ ଏବଂ ସାଙ୍ଗ ସାଥୀଙ୍କୁ କୋହ ଭରା କଣ୍ଠରେ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରୁଥିବାବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ହରିବନ୍ଧୁ ଓ ପରିବାର ଲୋକେ l ଚିକିତ୍ସା ପାଇଁ ଲିଭର ପ୍ରତ୍ୟାରୋପଣ ଦରକାର ପଡୁଥିବା ଡାକ୍ତର କହୁଥିବା ପାଖରେ ଟଙ୍କା ନ ଥିବାରୁ ବର୍ତ୍ତମାନ ପ୍ରଶାସନ ହରିବନ୍ଧୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ଚିକିତ୍ସା ପାଇଁ ସହଯୋଗ କଲେ ସେ ରୋଗ ମୁକ୍ତ ହୋଇପାରିବେ ବୋଲି ହରିବନ୍ଧୁଙ୍କ ସ୍ତ୍ରୀ ସୁଜାତା ମଲିକ ଆକୁଳ ନିବେଦନ କରିଛନ୍ତି l ଅନ୍ୟପଟେ କେଳା ପଡ଼ା ଅଞ୍ଚଳବାସୀ ଏବଂ ତିଲକ ପଡ଼ି ଗ୍ରାମବାସୀ ହରିବନ୍ଧୁଙ୍କ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ସହଯୋଗ କରିବାକୁ ଦାବି କରିଛନ୍ତି l