ମାଲକାନଗିରି ୨୪/୧୨: ଛତିଶଗଡ କାଙ୍କେର ଜିଲ୍ଲାରେ ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ। ୪୦ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିଲା ପ୍ରଭାକର। ପ୍ରଭାକରକୁ ଧରିବା ଲାଗି ୨୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ।
ସୂଚନା ମୁତାବିକ, ମାଲକାନଗିରି- ଛତିଶଗଡ଼ରେ ହାର୍ଡକୋର ମାଓବାଦୀ ପ୍ରଭାକର ଅନେକ ହିଂସା ଘଟାଇଥିଲା। ବିଭିନ୍ନ ଥାନାରେ ପ୍ରଭାକରଙ୍କ ନାରେ ଏକାଧିକ ହିଂସା ମାମଲା ରହିଛି । ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ଗିରଫଦାରୀ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ପାଇଁ ଏକ ବଡ ସଫଳତା ।
ଉଲ୍ଲେଖ ଯୋଗ୍ୟ ଯେ ୧୯୮୪ ମସିହାରେ ନକ୍ସଲ ସଂଗଠନରେ ଏକ ଦଳୀୟ ସଦସ୍ୟ ଭାବରେ ଯୋଗ ଦେଇଥିଲେ ଏବଂ ଗତ ୪୦ ବର୍ଷ ଧରି ସକ୍ରିୟ ରହିଛନ୍ତି । ୫୭ ବର୍ଷୀୟ ପ୍ରଭାକର ଓରଫ ବାଲମୁରୀ ନାରାୟଣ ରାଓ ତେଲେଙ୍ଗାନା ରାଜ୍ୟର ଜଗିତିଆଲ ଜିଲ୍ଲାର ବୀରପୁର ଗ୍ରାମର ବାସିନ୍ଦା । ସେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ଶୀର୍ଷ ମାଓ ନେତାଙ୍କ ନିକଟତର ସହଯୋଗୀ ଥିଲେ । ଆଇଜି କହିଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ପତ୍ନୀ ରାଜେ କାଙ୍ଗେ ରାଓଘାଟ ଏରିଆ କମିଟିର ପ୍ରଭାରୀ । ଏହା ସହ ସେ ମାଓ ସଚିବ ଗଣପତିଙ୍କ ସମ୍ପର୍କୀୟ ଭାଇ । ୨୦୨୪ ମସିହାରେ ଏପର୍ଯ୍ୟନ୍ତ ମୋଟ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୁଚନା ଦେଇଛନ୍ତି ।