ଭୁବନେଶ୍ୱର,୨୫/୧୨: ମରାଠା ବାଘୁଣୀ ଜିନତ୍ ଓଡି଼ଶା ଛାଡି଼ବାକୁ ୨ ସପ୍ତାହ ପୂରିଛି । ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଡେରା ପକାଇଥିଲା । ହେଲେ ଗତକାଲିଠୁ ତା’ ସଠିକ୍ ଠିକଣା ମିଳୁନି । ଏହା ଓଡ଼ିଶାର ଗୋଟିଏ ଟିମ୍ ଓ ପଶ୍ଚିମବଙ୍ଗର ୨ଟି ଟିମ୍ର ଚିନ୍ତା ବଢ଼ାଇ ଦେଇଛି । ବନ ବିଭାଗ ସୂତ୍ରରୁ ପ୍ରକାଶ, ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର ଘଣ୍ଟାକୁ ଥରଟିଏ ଟ୍ରାକିଂ ସିଗନାଲ୍ ଛାଡି଼ଥାଏ । ତାକୁ ପିଛା କରୁଥିବା ବନ ବିଭାଗ ଟିମ୍ ଏହି ସିଗନାଲ୍ରୁ ତା’ ଅବସ୍ଥିତି ଜାଣିଥାନ୍ତି । ସୋମବାର ବିଳମ୍ବିତ ରାତିରେ ରେଡିଓ କଲାରରୁ ଥରଟିଏ ସିଗ୍ନାଲ ମିଳିଥିଲା । ଠିକଣା ଥିଲା, ପୁରୁଲିଆ ବନଖଣ୍ଡର ରାଇକା ପାହାଡ଼ । ତା’ପରେ କିନ୍ତୁ ରେଡିଓ କଲାର ଆଉ ସିଗ୍ନାଲ ଛାଡି଼ଲାନି।
ମଙ୍ଗଳବାର ସକାଳୁ ବାଘୁଣୀକୁ ଟ୍ରାକିଂ କରୁଥିବା ୩ଟି ଟିମ୍ର ଚିନ୍ତା ବଢ଼ିଥିଲା । ବାନ୍ଦ୍ୱାନ ଜଙ୍ଗଲ ନିକଟସ୍ଥ ଏକ ଗାଁରେ ଡେରା ପକାଇଥିବା ଟିମ୍ରୁ ୧୦ଜଣ କର୍ମଚାରୀ ୨ଟି ଭ୍ୟାନ୍ରେ ଜିନତ୍କୁ ଖୋଜିବାକୁ ବାହାରିଥିଲେ । ଜିନତ୍କୁ ଟ୍ରାକ୍ କରୁଥିବା ଜଣେ ବନ କର୍ମଚାରୀ କହିଛନ୍ତି, ପୁରୁଲିଆ ବାନ୍ଦ୍ୱାନ୍ର ଘଞ୍ଚ ଜଙ୍ଗଲରେ ଥିବା ରାଇକା ପାହାଡ଼ରେ ଅନେକ ପୁରୁଣା ଗୁମ୍ଫା ରହିଛି । ଯଦି ବାଘୁଣୀଟି କୌଣସି ଗୁମ୍ଫାରେ ପଶିଯାଇଥିବ, ତା’ ଭିତରୁ ରେଡିଓ କଲାର ନେଟ୍ୱର୍କ ମିଳୁନଥିବ । ସେଥିପାଇଁ ତା’ ଅବସ୍ଥିତି ନେଇ ସଠିକ୍ ଠିକଣା ମିଳୁନି । ସେଠାକାର ଜଙ୍ଗଲ ଇଲାକାରେ ଜିନତ୍ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ଅଛି । ତେଣୁ ଜଙ୍ଗଲ ଛାଡି଼ବାକୁ ମନ ବଳାଉନି ।
ସେ କହିଛନ୍ତି, ମୋଟ ୩ଟି ଟିମ୍କୁ ୧୩-୧୪ଟି ଭାଗରେ ବଣ୍ଟା ଯାଇଛି । ଜିନତ୍ ଥିବା ରାଇକା ପାହାଡ଼ ଚାରିପାଖେ ସବୁତକ ଟିମ୍ ଡେରା ପକାଇଛନ୍ତି । ୩ ଦିଗରେ ଶିକାର (ଛେଳି, ଘୁଷୁରୀ)ର ଥୋପ ଦିଆଯାଇଛି । କିନ୍ତୁ ଗତକାଲିଠୁ ତାକୁ ବିଛାଯାଇଥିବା ଖାଦ୍ୟ ଖାଇବାକୁ ଜିନତ୍ ଜଙ୍ଗଲରୁ ବାହାରକୁ ଆସୁନି । ତଥାପି ଟିମ୍ ଚେଷ୍ଟା ଜାରି ରଖିଛି । ବାଘୁଣୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି । ପୁରୁଲିଆ ଓ ଝାଡ଼ଗ୍ରାମ ଜିଲ୍ଲାର ଯେଉଁ ଇଲାକାରେ ବାଘୁଣୀର ପାଦ ଚିହ୍ନ ପଡି଼ଛି, ସେହି ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି ।
ଅନ୍ୟପଟେ ଜିନତ୍ ଫେରିବା ନେଇ ଆଶାବାଦୀ ଅଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି । ସେ କହିଛନ୍ତି, ଶିମିଳିପାଳ ପରିବେଶ ସହ ଖାପଖୁଆଇ ପାରୁନି ଜିନତ୍ । ନିଜ ମନ ମୁତାବକ ପରିବେଶ ଖୋଜୁଛି । ସେଥିପାଇଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରିବୁଲୁଛି । ବାଘୁଣୀଟି ଯେହେତୁ ଅଲଗା ପରିବେଶରୁ ଆସିଛି, ଏଠାକାର ପରିବେଶ ସହ ଖାପଖୁଇବାକୁ ଟିକେ ସମୟ ଲାଗୁଛି । ଶିମିଳିପାଳ ଜଳବାୟୁ ବେଶ୍ ଭଲ । କିଛି ସମୟ ରହଣି ପରେ ବାଘୁଣୀ ନିଶ୍ଚୟ ଏଠାକୁ ଫେରିବ । ଆମର ଜିପିଏସ୍ ଟ୍ରାକିଂ ଚାଲିଛି, ନିରନ୍ତର ମନିଟରିଂ କରାଯାଉଛି । ବିଶେଷଜ୍ଞମାନେ ଯାହା ପରାମର୍ଶ ଦେବେ, ସେହି ଅନୁସାରେ ପଦକ୍ଷେପ ନିଆଯିବ ।