ନୂଆଦିଲ୍ଲୀ,୨୫/୧୨ : ଖେଳ ରତ୍ନ ପୁରସ୍କାର ତାଲିକାରେ ନାହିଁ ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ଡବଲ ପଦକ ଜିତିଥିବା ସୁଟର ମନୁ ଭାକରଙ୍କ ନାମ । ଏହାକୁ ନେଇ ଏବେ ବିବାଦ ଦେଖା ଦେଇଛି । ବିବାଦ ଭିତରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ସୁଟର ମନୁ ଭାକର । ସେ କହିଛନ୍ତି ହୁଏତ ଆବେଦନ ପତ୍ର ଭରିବାରେ ମୋର କିଛି ଭୁଲ ରହିଯାଇଥାଏ ପାରେ । ଏହା ସହିତ ତାଙ୍କ ବାପା ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ଚର୍ଚ୍ଚାକୁ ଆସିଛନ୍ତି ଅଲମ୍ପିକ୍ସରେ ଡବଲ ପଦକ ଜିତିଥିବା ମନୁ ଭାକର । ଏଥର କୌଣସି ମେଡାଲ ଜିତିବାକୁ ନୁହେଁ ସମ୍ମାନ ପାଇବାକୁ ବଞ୍ଚିତ ହେବାରୁ ଚର୍ଚ୍ଚାରେ ରହିଛନ୍ତି । ଦେଶର ସବୁଠାରୁ ବଡ ଖେଳ ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ନୋମିନେସନରୁ ମନୁ ବାଦ ପଡିଛନ୍ତି । ଖେଳ ରତ୍ନ ପୁରସ୍କାର ବିବାଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ମନୁ ଭାକର । ସେ କହିଛନ୍ତି, ଖେଳ ରତ୍ନ ପୁରସ୍କାର ତାଲିକାରେ ମୋର ନାମ ନାହିଁ । ହୁଏତ ଆବେଦନ ପତ୍ର ଭରିବାରେ ମୋର କିଛି ଭୁଲ ରହିଯାଇଥାଏ ପାରେ । କେବଳ ପୁରସ୍କାର ପାଇବା ମୋର ଲକ୍ଷ୍ୟ ନୁହେଁ । ପୁରସ୍କାର ଓ ସମ୍ମାନ ପ୍ରେରଣା ଦେଇଥାଏ ସତ । କିନ୍ତୁ ଏହା ତାଙ୍କର ଏକମାତ୍ର ଗୋଲ ନୁହେଁ ବୋଲି ମନୁ ଭାକର ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି । ବିବାଦକୁ ନେଇ ମନୁ ଭାକରଙ୍କ ବାପା ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ସୁଟିଂରେ ଅଲମ୍ପିକ୍ସରେ ଦେଶ ପାଇଁ ଡବଲ ପଦକ ଜିତିଥିଲେ ତାଙ୍କୁ ଖେଳ ରତ୍ନ ମିଳିବା ଦରକାର ବୋଲି ଅନେକ ମତ ଦେଇଥିଲେ ।
ପ୍ରକାଶ ଥାଉ କି, ଗତ ୨୩ ତାରିଖରେ ଖେଳ ରତ୍ନ ପୁରସ୍କାର ତାଲିକା ପ୍ରକାଶ ପାଇଥିଲା । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାର ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ମାତ୍ର ପ୍ୟାରିସ୍ ଅଲିମ୍ପିକ୍ସରେ ଡବଲ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା ତାରକା ସୁଟର ମନୁ ଭାକରଙ୍କ ନାମ ତାଲିକାରେ ସାମିଲ ନହେବା ସମସ୍ତଙ୍କୁ ଚକିତ କରିଥିଲା ।