ନୂଆଦିଲ୍ଲୀ,୨୩/୧୨: ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଟେଷ୍ଟ ଆସନ୍ତା ୨୬ ତାରିଖରେ ଖେଳାଯିବ । ଏହାକୁ ବକ୍ସିଂ ଡେ ଟେଷ୍ଟ କୁହାଯାଉଛି । ଏହି ଟେଷ୍ଟକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦୁଇଦଳ ଗୋଟିଏ ଲେଖାଏ ମ୍ୟାଚ ଜିତି ସ୍ଥିତି ବରାବର କରିଛନ୍ତି । ଗୋଟିଏ ଡ୍ର ରହିଛି । ତେଣୁ ଚତୁର୍ଥ ଅର୍ଥାତ ବକ୍ସିଂ ଡେ ଟେଷ୍ଟର ଗୁରୁତ୍ବ ବଢିଯାଇଛି । ବକ୍ସିଂ ଡେ ଟେଷ୍ଟକୁ ନେଇ ଚର୍ଚ୍ଚା କାହିଁକି । ଏଥିରେ ଭାରତର ରେକର୍ଡ କଣ ରହିଛି । ତେବେ ଏହି ଟେଷ୍ଟର ଏପରି ନିଆରା ନାମ କାହିଁକି ରହିଛି । ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି । ଆସନ୍ତୁ ଜାଣିବା ଏହା ପଛର ରୋଚକ କାହାଣୀ ।
ବକ୍ସିଂ ଡେ ଟେଷ୍ଟ କଣ- ଆସନ୍ତା ଡିସେମ୍ବର ୨୬ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଏହି ଟେଷ୍ଟକୁ ବକ୍ସିଂ ଡେ ଟେଷ୍ଟ କୁହାଯାଉଛି । ବକ୍ସିଂ ଡେ ଟେଷ୍ଟ କ୍ରିକେଟର ଏକ ଉତ୍ସବ । ଖ୍ରୀଷ୍ଟମାସ ଅର୍ଥାତ ବଡଦିନ ପରଦିନ ଡିସେମ୍ବର ୨୬କୁ ବକ୍ସିଂ ଡେ କୁହାଯାଇଥାଏ । ଏହା ଏକ ଛୁଟି ଦିନ । ଅନ୍ୟପଟେ ଖ୍ରୀଷ୍ଟମାନ ଛୁଟିର ପର ସପ୍ତାହର ପ୍ରଥମ ଦିନକୁ ବକ୍ସିଂ ଡେ କୁହାଯାଇଥାଏ । ଏହି ଦିନ ଲୋକ ପରସ୍ପର ମଧ୍ୟରେ ବକ୍ସିଂ ବା ବାକ୍ସ ଉପହାର ଦିଆ ନିଆ ହୋଇଥାନ୍ତି । କାମକୁ ଯାଉଥିବା ଲୋକଙ୍କୁ ସେମାନଙ୍କ ମାଲିକ ଖ୍ରୀଷ୍ଟମାସ ବକ୍ସ ଗିଫ୍ଟ ଦିଅନ୍ତି । କୁହାଯାଏ ଖ୍ରୀଷ୍ଟମାସରେ ଚର୍ଚ୍ଚଗୁଡିକରେ ଏହି ଗିଫ୍ଟ ରହିଥାଏ । ବଡଦିନ ପରଦିନ ଏହାକୁ ଗରିବ ଓ ସାଧାରଣ ଲୋକ ବକ୍ସଗୁଡିକୁ ସଂଗ୍ରହ କରିଥାନ୍ତି । ତେଣୁ ଏହାକୁ ବକ୍ସିଂ ଡେ କୁହାଯାଏ । ତେଣୁ ଡିସେମ୍ବର ୨୬ରୁ ଏହି ଟେଷ୍ଟ ଆରମ୍ଭ ହେଉଥିବାରୁ ଏହାକୁ ବକ୍ସିଂ ଡେ ଟେଷ୍ଟ କୁହାଯାଏ ।
ବକ୍ସିଂ ଡେ ଟେଷ୍ଟରେ ଭାରତର ରେକର୍ଡ- ପ୍ରତିବର୍ଷ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ସହ ବିଶ୍ବର ଏକାଧିକ ଷ୍ଟାଡିୟମରେ ଏହି ବକ୍ସିଂ ଡେ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ଖେଳାଯାଇଥାଏ । ବକ୍ସିଂ ଡେ ଟେଷ୍ଟରେ ଭାରତକୁ ମିଶ୍ରିତ ଫଳ ମିଳିଛି । ବକ୍ସିଂ ଡେ'ରେ ଖେଳିଥିବା ୧୪ଟି ମ୍ୟାଚରୁ ଭାରତ ୪ଟି ମ୍ୟାଚ ଜିତିଛି । ୮ଟି ମ୍ୟାଚରେ ପରାସ୍ତ ହୋଇଥିବାବେଳେ ୨ଟି ଡ୍ର ରହିଥିଲା । ୨୦୨୦ଗସ୍ତରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୮ଟି ୱିକେଟରେ ହରାଇଥିଲା । ଏହା ଭାରତର ସବୁଠୁ ବଡ ଟେଷ୍ଟ ବିଜୟର ମାନ୍ୟତା ପାଇଥିଲା । ରାହାଣେ ବ୍ୟକ୍ତିଗତ ଭାବେ ଏହି ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ । ଭାରତୀୟ ବୋଲର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ।
କ୍ରିକେଟରେ ଏହାର ଏଣ୍ଟ୍ରୀ- ୧୮୯୨ରେ କ୍ରିକେଟରେ ବକ୍ସିଂ ଡେର ପ୍ରବେଶ ହୋଇଥିଲା । ଏହି ବର୍ଷ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆର ଭିକ୍ଟୋରିଆ ଓ ନ୍ୟୁସାଉଥୱେଲ୍ଥ ମଧ୍ୟରେ ବଡଦିନ ଅବସରରେ ଏକ ମ୍ୟାଚ ହୋଇଥିଲା । ପ୍ରତିବର୍ଷ ଏହି ଦିନ ଦୁଇଦେଶ ମଧ୍ୟରେ ମ୍ୟାଚ ହୋଇଥାଏ । ଅଷ୍ଟ୍ରେଲିଆ ଘରୋଇ କ୍ରିକେଟର ବକ୍ସିଂ ଡେ ଟେଷ୍ଟର ପରମ୍ପରା ୧୮୬୫ରୁ ଆରମ୍ଭ ହୋଇଛି । ଆଧୁନିକ ବକ୍ସିଂ ଡେ ମ୍ୟାଚ ୧୯୫୦-୫୧ରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଆସେସ୍ ଟେଷ୍ଟରୁ ଖେଳାଯାଉଛି ।