ନୂଆଦିଲ୍ଲୀ,୨୪/୧୨: ହାତକୁ ଦୁଇହାତ ହେଲେ ପିଭି ସିନ୍ଧୁ । ଭାରତର ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଶିଷ୍ଟ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି ସିନ୍ଧୁ । ଜୟପୁରରେ ପାରମ୍ପରିକ ତେଲୁଗୁ ସମାରୋହରେ ସିନ୍ଧୁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି ।
ବିବାହ ଉତ୍ସବ ପୂର୍ବରୁ ସଙ୍ଗୀତ, ହଳଦୀ ଏବଂ ମେହେନ୍ଦୀ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସିନ୍ଧୁ ଏବଂ ତାଙ୍କ ସ୍ବାମୀ ବିବାହର କୌଣସି ଫଟୋ ସୋସିଆଲ ମିଡିଆରେ ଛାଡି ନଥିଲେ ସୁଦ୍ଧା କେବଳ ବାହାଘରର କିଛି ଫଟୋ ସାମ୍ନାକୁ ଆସିଛି । ସିନ୍ଧୁଙ୍କ ବିବାହରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆରେ ସିନ୍ଧୁଙ୍କ ବିବାହ ଫଟୋ ଛାଡି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଡିସେମ୍ବର ୧୩ ତାରିଖରେ ପିଭି ସିନ୍ଧୁ ଓ ଭେଙ୍କଟ ଦତ୍ତା ସାଇଙ୍କ ନିର୍ବନ୍ଧ ହୋଇଥିଲା । ଡିସେମ୍ବର ୨୨ ତାରିଖରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ବ୍ୟାଡମିଣ୍ଟନରେ ଭାରତକୁ ଦୁଇଟି ଅଲମ୍ପିକ ପଦକ ଦେଇଛନ୍ତି ପି.ଭି ସିନ୍ଧୁ। ଲକ୍ଷ୍ନୋରେ ସୟୈଦ ମୋଦି ଇଣ୍ଟରନେସନାଲରେ ବିଜୟୀ ହେବା ପରେ ନିଜ ବିବାହ ତାରିଖ ଘୋଷଣା କରିଥିଲେ । ହାଇଦ୍ରାବାଦରେ ରହୁଥିବା ଭେଙ୍କଟ ଦତ୍ତା ସାଇଙ୍କୁ ସେ ବିବାହ କରିଛନ୍ତି । ସିଦ୍ଧୁଙ୍କ ସ୍ୱାମୀ ଭେଙ୍କଟ ଦତ୍ତା ସାଇ ପୋସାଇଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଫାଇନାନ୍ସ, ଡାଟା ସାଇନ୍ସ ଏବଂ ଏସେଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସେ କାମ କରନ୍ତି ।
ସିନ୍ଧୁ ଭାରତ ପାଇଁ ୨୦୧୯ ରେ ସ୍ୱର୍ଣ୍ଣ ସହିତ ଏଯାଏ ବିଶ୍ୱ ଚାମ୍ପିୟନସିପରୁ ମୋଟ ୫ଟି ପଦକ ଜିତିଛନ୍ତି। ଅନ୍ୟପଟେ ସେ ଅଲମ୍ପିକ୍ସରୁ ରୌପ୍ୟ ଓ କାଂସ୍ୟ ପଦକ ମଧ୍ୟ ଜିତିଛନ୍ତି । ୨୦୧୭ରେ ବୈଶ୍ୱିକ ସ୍ତରରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୨ ନମ୍ବର ସ୍ଥାନ ଅଧିକାର କରିଥିଲେ ।