ନୂଆଦିଲ୍ଲୀ, ୨୨/୧୨ : ଭାରତରେ ହେବାକୁ ଥିବା ପ୍ରଥମ ଖୋ-ଖୋ ବିଶ୍ୱକପ ମ୍ୟାଚ୍ ସମୟରେ ଦର୍ଶକମାନେ ଷ୍ଟାଡିୟମରେ ମାଗଣା ପ୍ରବେଶ କରିବେ । ଖୋ-ଖୋ ମହାସଂଘ (କେକେଏଫ୍ଆଇ) ସଭାପତି ତଥା ବିଶ୍ୱକପ୍ ଆୟୋଜକ କମିଟିର ମୁଖ୍ୟ ସୁଧାଂଶୁ ମିତ୍ତଲ ରବିବାର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଆୟୋଜନର ଉଦ୍ଦେଶ୍ୟ ନୂତନ ପୀଢିକୁ ପ୍ରେରଣା ଦେବା ।
ତେଣୁ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଦର୍ଶକଙ୍କ ପାଇଁ ଷ୍ଟାଡିୟମର ପ୍ରବେଶ ମାଗଣା ରଖାଯିବ । ଏହି ବିଶ୍ୱକପ ଦେଖିବା ପାଇଁ ଷ୍ଟାଡିୟମକୁ ଆସୁଥିବା ସ୍କୁଲ ପିଲାମାନଙ୍କୁ ମଧ୍ୟ ସ୍ନାକ୍ସ ଯୋଗାଇ ଦିଆଯିବ ବୋଲି ସୁଧାଂଶୁ ମିତ୍ତଲ କହିଛନ୍ତି । ଏହି ପଦକ୍ଷେପ ଦର୍ଶକଙ୍କୁ ବିଶେଷ ରୂପରେ ଯୁବ ପିଢୀଙ୍କୁ ଖେଳ ସହିତ ଯୋଡ଼ିବ ଏବଂ ଖୋ-ଖୋକୁ ଏକ ପ୍ରମୁଖ ଖେଳ ଭାବରେ ପ୍ରତିଷ୍ଠିତ କରିବାରେ ପ୍ରେରଣା ଯୋଗାଇବ ।