ମାଲକାନଗିରି, ୯/୭ : ମାଲକାନଗିରି ଶକ୍ତି ସଦନ ଗୃହରେ ରହୁଥିବା ଜଣେ ନାବାଳିକାର ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଆରମ୍ଭ କରିଛି । ମୃତ ନାବାଳିକାର ପରିବାର ଲୋକେ ଘଟଣାସ୍ଥଳରେ ଉତ୍ତେଜନା ଜାରି ରଖିଛନ୍ତି।
ସୂଚନା ଅନୁସାରେ, ମୋଟୁ ଥାନାସ୍ଥ ଜନୈକା ନାବାଳିକା ଝିଅ ଜଣେ ଯୁବକକୁ ଭଲ ପାଉଥିବା ବେଳେ ଉକ୍ତ ପ୍ରେମିକ ତାଙ୍କୁ ଅପହରଣ କରି ଚାଲିଯାଇଥିଲା। ଯାହାକୁ ନେଇ ପରିବାର ଲୋକେ ମୋଟୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଉକ୍ତ ପ୍ରେମିକକୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିବା ସହ ଜିଲ୍ଲା ସଦରରେ ଥିବା ଶକ୍ତି ସଦନ ଗୃହରେ ଗତ ୬ ମାସ ତଳେ ଆଣି ରଖିଥିଲେ। ତେବେ ଗତ କିଛି ମାସ ଧରି ଝିଅଟି ଏଠାରେ ରହିଥିବାବେଳେ ଗତକାଲି ଉକ୍ତ ଗୃହର ରୋଷେୟା ତାଙ୍କୁ ମାଡ଼ ମାରିଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିବା ପରିବାର ଲୋକେ ପ୍ରକାଶ କରିଥିଲେ।
ଆଜି ପରିବାର ଲୋକେ ଝିଅ ନିକଟକୁ ଆସୁଥିବାବେଳେ ଝିଅ ଶକ୍ତି ସଦନ ଗୃହରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ଝିଅର ଝୁଲନ୍ତା ମୃତ ଦେହ ଦେଖି ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ପରିବାର ଲୋକେ ଝିଅକୁ ମାରି ଦିଆଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।
ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ଜିଲ୍ଲା ବିଜୁ ଜନତା ଦଳର ସଭପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ପହଞ୍ଚି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଏବଂ ନାବାଳିକାର ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହି ଶକ୍ତି ସଦନ ଗୃହକୁ ପରିଚାଳନା କରୁଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି।
ଏ ନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ତଦନ୍ତ କରୁଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତେବେ ଘଟଣା ସ୍ଥଳରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସଞ୍ଜୁକ୍ତା ପ୍ରଧାନ ପହଞ୍ଚି ତଦନ୍ତ କରିବା ସହ ସେ ପ୍ରକାଶ କରିଛନ୍ତି ଯେ, ନାବାଳିକା ଜଣଙ୍କ ଏକ କଠୋରୀ ମଧ୍ୟରେ ଭିତରୁ କବାଟ ଦେଇ ରହିଥିବାବେଳେ କବାଟ ଫାଙ୍କରେ ଦେଖିବା ସମୟରେ ଝିଅଟିର ଝୁଲନ୍ତା ମୃତଦେହ ଝୁଲୁ ଥିବାର ଅନ୍ୟ ଅନ୍ତେବାସୀ ଦେଖି ଜଣାଇଥିଲେ। ତେବେ ଝିଅଟି ଆତ୍ମହତ୍ୟା କରିଥିବା ଅନୁମାନ କରି ପୋଲିସକୁ ଖବର ଦେଇଥିଲୁ। ଝିଅଟିକୁ ଶକ୍ତି ସଦନ ଗୃହରେ ମାଡ କିମ୍ବା ଦୁର୍ବ୍ୟବହାର ହୋଇଥିବା ନେଇ ଆମ ନିକଟରେ କେବେ କୌଣସି ଅଭିଯୋଗ କରି ନଥିବା ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି।