ନୂଆଦିଲ୍ଲୀ: ଶନିବାର ହମାସ ଆଉ ତିନିଜଣ ଇସ୍ରାଏଲି ବନ୍ଧକଙ୍କୁ ମୁକ୍ତ କରିଛି। ମୁକ୍ତ ହୋଇଥିବା ବନ୍ଧକମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ମଧ୍ୟ ରହିଛନ୍ତି। ଯିଏ ଦୀର୍ଘ ୪୯୮ ଦିନ ଧରି ଗାଜାରେ ବନ୍ଦୀ ଜୀବନ କାଟୁଥିଲେ ବୋଲି ସୂଚନା ରହିଛି। ତେବେ ଉଭୟ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅତ୍ୟନ୍ତ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି। ଇସ୍ରାଏଲ ବାରମ୍ବାର ହମାସକୁ ନାଲିଆଖି ଦେଖାଉଥିବା ବେଳେ ଏହି ଅସ୍ତ୍ରବିରତି ପାଇଁ ମଧ୍ୟସ୍ତତା କରୁଥିବା ଇଜିପ୍ଟ ଓ କତାର ଦେଶ ଏହାକୁ ନେଇ ଯଥେଷ୍ଟ ସାବଧାନତା ଅବଲମ୍ୱନ କରୁଛନ୍ତି।
ହାମସ ପକ୍ଷରୁ ମୁକ୍ତ ହୋଇଥିବା ତିନିଜଣ ବନ୍ଧକ ହେଉଛନ୍ତି ୪୬ ବର୍ଷିୟ ଲାୟର ହର୍ଣ୍ଣ, ୩୬ ବର୍ଷିୟ ସଗୁଇ ଡେକେଲ ଚେନ ଓ ୨୯ ବର୍ଷିୟ ଶାଶା ଟ୍ରୋଉଫାନୋଭ। ବନ୍ଧକ ମାନଙ୍କୁ ପ୍ରଥମେ ଗାଜାରେ ଥିବା ଏକ ଷ୍ଟେଜକୁ ନେଇ ସେଠାରେ ସର୍ବ ସମ୍ମୁଖରେ ସେମାନଙ୍କ ମୁଖାଖୋଲି ହମାସର ଶସ୍ତ୍ରଧାରୀ ଲୋକମାନେ ସେମାନଙ୍କୁ ରେଡ କ୍ରସ ମାଧ୍ୟମରେ ଇସ୍ରାଏଲକୁ ପଠାଇ ଦେଇଥଲେ।
ସୂଚନା ମୁତାବକ, ଇସ୍ରାଏଲରେ ବନ୍ଦୀ ଥିବା ୩୬୯ ପାଲେସ୍ତିନି ନାଗରିକମାନଙ୍କ ବଦଳରେ ଗାଜାରୁ ବନ୍ଧକମାନଙ୍କୁ ଫେରାଇ ଅଣାଯାଉଛି। ତେବେ ଏହାକୁ ନେଇ ଉଭୟ ପକ୍ଷ ବହୁ ବିଳମ୍ବରେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। କିନ୍ତୁ ଏହା ଏକ ୪୨ ଦିନିଆ ଅସ୍ତ୍ରବିରତି ଚୁକ୍ତି ହୋଇଥିବାରୁ କେଉଁ ସମୟରେ ବି ଉଭୟ ଦେଶ ମଧ୍ୟରେ ଫୁଣି ଯୁଦ୍ଧ ଆରମ୍ଭ ହୋଇଯାଇପାରେ।
ବିଗତ ମାସରେ ହମାସ ମୋଟ ୩୩ ଜଣ ଇସ୍ରାଏଲି ବନ୍ଧକ ମାନଙ୍କୁ ମୁକ୍ତ କରିବ ବୋଲି ଘୋଷଣା କରିଥିଲା। ଏହା ପ୍ରତିବଦଳରେ ଇସ୍ରାଏଲରେ ବନ୍ଦି ଥିବା ମୋଟ ୧୦୦ ଜଣ ପିଲିସ୍ତିନି ବନ୍ଧିଙ୍କୁ ମୁକ୍ତ କରିବା ସହ ଯୁଦ୍ଧ ମଧ୍ୟରେ ଗାଜାରେ ଥିବା ଇସ୍ରାଏଲ ଅଧିକୃତ ଅଞ୍ଚଳକୁ ମୁକ୍ତ କରିବାକୁ ଦାବି କରିଥିଲା।
ତେବେ ଶନିବାର ପୂର୍ବରୁ ମୋଟ ୩୩ ଜଣ ଇସ୍ରାଏଲି ବନ୍ଧକମାନଙ୍କ ମଧ୍ୟରୁ ହମାସ ମୋଟ ୧୬ ଜଣ ବନ୍ଧକଙ୍କୁ ମୁକ୍ତ କରିସାରିଛି। ତେବେ ଏପର୍ଯ୍ୟନ୍ତ ଯାଏଁ ମୋଟ ଆଉ ୭୬ ଜଣ ବନ୍ଧକ ଗାଜାରେ ରହିଥିବା ନେଇ ସୂଚନା ରହିଛି। ତେବେ ସେମାନଙ୍କ ସ୍ଥିତି ସମ୍ପର୍କରେ ହମାସ କୌଣସି ସୂଚନା ପ୍ରଦାନ କରିନାହିଁ।