ବାଙ୍କୀ,୧୧/୦୧: ବାଲି ବୋଝେଇ ହାଇୱା ଗାଡ଼ିକୁ ଟେକା ପଥର ମାରିବାରୁ ଗୋଷ୍ଠୀ ସଂଘର୍ଷ । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ କିଛି ସମୟ ପାଇଁ ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା କମିଛି । କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଶୁକ୍ରବାର ରାତିରେ ବାଙ୍କୀ କଟକ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବାଲି ବୋଝେଇ ହାଇୱା ଗାଡ଼ି ଗୁଡ଼ିକୁ ଭାଗିପୁର ଗ୍ରାମର ଶବର ସାହି ପିଲା ଟେକା ପଥର ମାରିଥିଲେ । ଉକ୍ତ ଗାଡ଼ି ମଧ୍ୟରେ ଭାଗିପୁର ଗ୍ରାମର ୩ ଟି ହାଇୱା ଗାଡ଼ି ରହିଥିଲା । ଯାହାକୁ ନେଇ ଶବର ସାହିକୁ ଗ୍ରାମର ଅନ୍ୟ ଲୋକମାନେ ଯାଇ ପଥର ମାରିବା ନେଇ ପଚରା ଉଚରା କରିଥିଲେ । କିନ୍ତୁ ଶବର ସାହି ଲୋକମାନେ ସେମାନଙ୍କୁ ଅଟକ ରଖିବା ସହ ମାଡ଼ ମାରିଥିଲେ । ଏହାକୁ ନେଇ ଗ୍ରାମ ଲୋକ ଓ ଶବର ସାହି ଲୋକଙ୍କ ଭିତରେ ଝଗଡ଼ା ହେବା ସହ ଟେକା ପଥର ଓ ବୋତଲ ମରାମରି ହୋଇଥିଲେ । ଯାହାଦ୍ବାରା ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା । ଏହା ଦେଖି ଗାଁର ଅନ୍ୟ ଲୋକମାନେ ବାଙ୍କୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା କମିଥିଲା।