ନୂଆଦିଲ୍ଲୀ,୨୧/୦୩ : ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ର ମାଲିକ ତଥା ଆମେରିକୀୟ ଅରବପତି ଏଲନ୍ ମସ୍କଙ୍କ ଏଆଇ ଚାର୍ଟବଟ 'ଗ୍ରୋକ୍' ଏବେ ଚର୍ଚ୍ଚାରେ । ରାଗିଲେ ରାଗୁଛି ଗାଳି ଦେଲେ ଗାଳି ଦେଉଛି 'ଗ୍ରୋକ୍' । ସୋସିଆଲ ମିଡିଆରେ କିଛି ପ୍ରଶ୍ନରେ ଜବାବକୁ ନେଇ ବିବାଦ ଘେରକୁ ଆସିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଟୁଲ 'ଗ୍ରୋକ୍ ' । ନିକଟରେ ରାହୁଲ ଗାନ୍ଧୀ ଓ ଆରଏସଏସକୁ ନେଇ 'ଗ୍ରୋକ୍ ' ଦେଇଥିବା ଜବାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାହୁଲ ଗାନ୍ଧୀଙ୍କୁ 'ଗ୍ରୋକ୍ ' ଦେଶଭକ୍ତ ବୋଲି କହିଛି ଯାହାକୁ ନେଇ ବଢିଛି ବିରୋଧୀଙ୍କ ଚିନ୍ତା ।
'ଗ୍ରୋକ୍ 'କୁ ରାହୁଲ ଗାନ୍ଧୀଙ୍କୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା । ସେ ରାହୁଲଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲା । ରାହୁଲଙ୍କୁ ଦେଶଭକ୍ତ ବୋଲି କହିଥିଲା । ବର୍ତ୍ତମାନ ଭାରତର ସବୁଠୁ ଭଲ ରାଜନେତା କିଏ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ 'ଗ୍ରୋକ୍ ' ରାହୁଲଙ୍କ ନାମ ନେଇଥିଲା । କ'ଣ ରାହୁଲ ଗାନ୍ଧୀ ଭାରତ ବିରୋଧୀ କି ? ପ୍ରଶ୍ନର ଉତ୍ତରରେ 'ଗ୍ରୋକ୍ ' ରାହୁଲଙ୍କୁ ଦେଶଭକ୍ତ ବୋଲି କହିଥିଲା । କ'ଣ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ ? ଉତ୍ତରରେ ଗ୍ରୋକ୍ କହିଥିଲା ସମ୍ଭାବନା ବହୁତ କମ୍ । ଗ୍ରୋକ୍ ରାହୁଲଙ୍କୁ ପ୍ରଶଂସା କରିବା ବିରୋଧୀଙ୍କ ଟେନସନ ବଢାଇଛି । ଆଉ ଆରଏସଏସ ବିଷୟରେ ପଚରା ଯାଇଥିବା ପ୍ରଶ୍ନରେ 'ଗ୍ରୋକ୍ ' ସଫା ସଫା କହି ଦେଇଥିଲା କି ସ୍ବାଧୀନତା ଆନ୍ଦୋଳନରେ ଆରଏସଏସର କୌଣସି ଭୂମିକା ନାହିଁ ।
ତେଜପ୍ରତାପଙ୍କୁ ଗାଳି ଦେଲା- 'ଗ୍ରୋକ୍ ' ଯେ କୌଣସି ପ୍ରଶ୍ନର ଜବାବ ଦେବାରେ ମାହିର । ଏମିତି କି ଏହା ଅପଶଦ୍ଦ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ କ୍ଷେତ୍ରରେ କିଛି ଏଭଳି ଘଟଣା ଘଟିଛି । ତେଜପ୍ରତାପ ତାଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ହୋଲି ଶୁଭେଚ୍ଛା ଜଣାଇଥିଲେ । କେହି ଜଣେ ଏହି ମେସେଜକୁ ନେଇ 'ଗ୍ରୋକ୍ ' ଏଆଇକୁ ଟ୍ୟାଗ କରି ଦେଇଥିଲେ । 'ଗ୍ରୋକ୍ ' ଏହା ଉପରେ ଯେଉଁ ଜବାବ ଦେଇଥିଲା ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିରେ ଗ୍ରୋକ୍ ଗାଳି ଦେଇଥିବା ଅଭିଯୋଗ କରି ଆଇଟି ମନ୍ତ୍ରଣାଳୟ ତଦନ୍ତ ଦାବି କରିଛି ଆରଜେଡି ।