ନୂଆଦିଲ୍ଲୀ : ଦେଶରେ ଚଳିତ ବର୍ଷ ଅନୁମାନ ଠାରୁ ବହୁ ଅଧିକ ମାତ୍ରାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଭାରତୀୟ ପାଣିବାଗ ବିଭାଗ (ଆଇଏମ୍ଡି) ଅନୁସାରେ, ଭାରତରେ ହିଟ୍ୱେଭ ଦିନ ସଂଖ୍ୟା ଦୁଇଗୁଣା ହୋଇପାରେ। ଏପ୍ରିଲ ଜୁନ୍ରେ ୧୦ରୁ ୧୨ ଦିନ ଧରି ଲଗାତର ଲୁ’ ଚାଲିପାରେ। ଅର୍ଥାତ ଏହି ଦିନ ଗୁଡ଼ିକରେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୫ ଡିଗ୍ରୀ ସେଲ୍ସିୟସ ବା ଅଧିକ ରହିପାରେ।
ସାଧାରଣତଃ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ୫ରୁ ୬ ଦିନ ଲୁ’ ଚାଲିଥାଏ। ଦେଶର ଉତ୍ତର-ପୂର୍ବ ରାଜ୍ୟ ହରିୟାଣା, ପଞ୍ଜାବ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ଦିଲ୍ଲୀରେ ଗ୍ରୀଷ୍ମପ୍ରବାହ ବା ଲୁ’ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଯଦି ହିଟ୍ୱେଭ୍ ସଂଖ୍ୟା ଦୁଇଗୁଣ ହୁଏ ତେବେ ୨୦୨୫ ଏପର୍ଯ୍ୟନ୍ତର ସବୁଠୁ ଉତ୍ତପ୍ତ ବର୍ଷ ହେବ ବୋଲି ପାଣିପାଗ ବୈଜ୍ଞାନିକମାନେ ଚେତାଇଛନ୍ତି।
୨୦୨୪ ଭାରତରେ ସବୁଠୁ ଗରମ ବର୍ଷ ମଧ୍ୟରୁ ଅନ୍ୟତମ ଥିଲା। ଗତବର୍ଷ ଦେଶରେ ୫୫୪ ଦିନ ହିଟ୍ୱେଭ୍ର ପ୍ରଭାବ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ବର୍ଷ ୩୬୫ ଦିନ ହୋଇଥିଲେ ହେଁ ହିଟ୍ୱେଭ୍କୁ ଗଣିବାର ପ୍ରକ୍ରିୟା ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ୧୦ ଦିନ, ରାଜସ୍ଥାନରେ ୧୫ ଦିନ, ୟୁପିରେ ୧୨ ଦିନ ଏପରି ସବୁ ରାଜ୍ୟରେ ଚାଲିଥିବା ଗ୍ରୀଷ୍ମପ୍ରବାହ ଦିନକୁ ମିଶାଇ ମୋଟ ହିଟ୍ୱେଭ୍ ସଂଖ୍ୟା ହିସାବ କରାଯାଇଥାଏ। ଅର୍ଥାତ ହିଟ୍ୱେଭ ଦିନ ସଂଖ୍ୟା ହେଉଛି ଦେଶରେ ମୋଟ ଗ୍ରୀଷ୍ମପ୍ରବାହ ଘଟଣା। ଏହାକୁ କ୍ୟାଲେଣ୍ଡର ଦିନ ହିସାବରେ ଗଣାଯାଏ ନାହିଁ। ସମତଳ, ପାହାଡ଼, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ହିଟ୍ୱେଭ୍ ସ୍ଥିତି ସ୍ଥିର କରିବାର ଆଧାର ଭିନ୍ନ ହୋଇଥାଏ।
ପାହାଡ଼ିଆ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ହେଲେ, ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ଏବଂ ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହେଲେ ସେଠାରେ ହିଟ୍ୱେଭ ବା ଲୁ’ ଚାଲିଥିବା କୁହାଯାଏ । ସାଧାରଣ ତାପମାତ୍ରାଠାରୁ ୫ ଡିଗ୍ରୀ ବା ଅଧିକ ଥିଲେ ମଧ୍ୟ ତାହାକୁ ହିଟ୍ୱେଭ୍ କୁହାଯାଇଥାଏ । ଭାରତରେ ପ୍ରତିବର୍ଷ ହିଟ୍ୱେଭ୍ ଦିନ ସଂଖ୍ୟା ବଢି ଚାଲିଛି । ୨୦୨୪ରେ ଏହା ୫୫୪ ଥିଲା ବେଳେ ୨୦୨୩ରେ ୨୩୦ ଦିନ, ୨୦୨୨ରେ ୨୦୨ ଦିନ, ୨୦୨୧ରେ ୩୬ ଦିନ ଥିଲା। ପ୍ରଶାନ୍ତ ମହାସାଗରରେ ପାଣିର ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିଲେ ଅଲ୍-ନିନୋ ସ୍ଥିତି ସୃଷ୍ଟି ହୋଇଥାଏ। ଏଥିଯୋଗୁ ଭାରତରେ କମ୍ ବର୍ଷା ଏବଂ ଅଧିକ ଗରମ ଅନୁଭୂତ ହୋଇଥାଏ। ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି।