ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ଶୁକ୍ରାବାର ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ଜାମିନ ଅବଧି ଆଉ ୩ ମାସ ବଢ଼ାଇଛନ୍ତି । ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଆଶାରାମଙ୍କ ଜାମିନ ଅବଧି ବଢ଼ାଇଛନ୍ତି ହାଇକୋର୍ଟ । ଦୁଷ୍କର୍ମ ମାମଲାରେ ସଜା କାଟୁଥିବା ଆଶାରାମ ବାପୁଙ୍କୁ ଏହା ପୂର୍ବରୁ ସୁପ୍ରିମକୋର୍ଟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ତାଙ୍କର ଏହି ଅସ୍ଥାୟୀ ଜାମିନ ଆଉ ୩ ମାସ ବଢ଼ାଇ ଦେଇଛନ୍ତି ଗୁଜରାଟ ହାଇକୋର୍ଟ ।
ଜାନୁଆରୀରେ ଆଶାରାମଙ୍କୁ ଅନ୍ତରୀଣ ଜାମିନ ଦେବା ସହ ତାଙ୍କର କୌଣସି ଆନୁଗତ୍ୟଙ୍କୁ ଭେଟିବାକୁ ବାରଣ କରିଥିଲେ ସୁପ୍ରିମକୋର୍ଟ । ଅଗଷ୍ଟ ୨୦୨୪ରେ ଗୁଜରାଟ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ୍ ଗ୍ରାଉଣ୍ଡରେ ଅନ୍ତରୀଣ ଜାମିନ ଦେଇଥିଲେ ।
ଆଜୀବନ କାରାଦଣ୍ଡ ଭୋଗୁଥିବା ୮୬ ବର୍ଷୀୟ ଆଶାରାମଙ୍କୁ ତାଙ୍କର ହୃଦରୋଗ ଏବଂ ବୟସ ସମ୍ପର୍କିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଆଶ୍ୱସ୍ତି ମିଳିଛି। ସୂଚନା ଅନୁଯାୟୀ, ଆଶାରାମ ହାଇକୋର୍ଟରୁ ଛଅ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଦୁଇ ବିଚାରପତିଙ୍କ ଖଣ୍ଡପୀଠର ଭିନ୍ନ ମତ ଯୋଗୁଁ, ମାମଲାଟି ଏକ ବୃହତ୍ତର ଖଣ୍ଡପୀଠକୁ ଯାଇଥିଲା । ଶୁଣାଣି ସମୟରେ, ଖଣ୍ଡପୀଠ ତିନି ମାସ ପାଇଁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।
ଗୁଜରାଟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ୨୦୨୩ରେ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଗାନ୍ଧୀନଗର କୋର୍ଟ । ସେହିଭଳି ଯୋଧପୁର ଆଶ୍ରମରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଆଶାରାମ ବାପୁ । ଜାନୁଆରୀରେ ସୁପ୍ରିମକୋର୍ଟ ଆଶାରାମଙ୍କୁ ଅନ୍ତରୀଣ ଜାମିନ ଦେବା ପରେ ପୀଡ଼ିତାଙ୍କ ପରିବାର ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହା ପୂର୍ବରୁ ୨୦୧୮ରେ ୭ ଦିନିଆ ପାରୋଲ ପାଇଥିଲେ ଆଶାରାମ ଏବଂ ପରେ ଏହି ପାରୋଲ ଅବଧି ଆଉ ୫ ଦିନ ବଢ଼ିଥିଲା । ପରେ ଡିସେମ୍ବର ୨୦୨୪ରେ ୧୭ ଦିନିଆ ପାରୋଲ୍ରେ ଜେଲ୍ରୁ ବାହାରିଥିଲେ ଆଶାରାମ ।