ନୂଆଦିଲ୍ଲୀ,୨୯/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସ୍ମାରକ ପାଇଁ ଏ ପର୍ଯ୍ୟନ୍ତ ଜମି ଦିଆ ନ ଯିବା ଓ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହାକୁ କେନ୍ଦ୍ରକରି ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି, ଶିଖ ସମୁଦାୟର ପ୍ରଥମ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କରାଇ କେନ୍ଦ୍ର ସରକାର ତାଙ୍କୁ ଅପମାନ କରିଛନ୍ତି । ଡ. ସିଂହ ଦେଶର ଜଣେ ଉଚ୍ଚ ସମ୍ମାନାସ୍ପଦ ନେତା । ତାଙ୍କର ସ୍ମାରକ ପାଇଁ ସ୍ୱତନ୍ତ୍ର ସ୍ଥାନ ଦିଆଯିବା ଉଚିତ । କିନ୍ତୁ କେନ୍ଦ୍ର ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଇଛି ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଏହି ଖବର ଶୁଣି ମୁଁ ସ୍ତବ୍ଧ ହୋଇଯାଇଛି । ମନମୋହନଙ୍କ ଅନ୍ତିମ ସଂସ୍କାର ଓ ସ୍ମାରକ ଲାଗି ବିଜେପି ସରକାର ୧ ହଜାର ଗଜ୍ ଜମି ବି ଦେଇପାରିଲାନି । ଏ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଶେଷ ସଂସ୍କାର ରାଜଘାଟରେ କରାଯାଉଥିଲା । କିନ୍ତୁ ମନମୋହନଙ୍କ କ୍ଷେତ୍ରରେ ତାହାର ବିଡ଼ମ୍ବନା ଦେଖିବାକୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଚିଠି ଲେଖିଥିଲି । ଡ. ସିଂହଙ୍କର ଯେଉଁଠାରେ ଅନ୍ତିମ ସଂସ୍କାର ହେବ, ସେଇଠାରେ ହିଁ ସ୍ମାରକ ନିର୍ମାଣ ବାବଦରେ କହିଥିଲି । ଡ. ସିଂହଙ୍କ ପତ୍ନୀ ଗୁରଶରଣ କୌର ମଧ୍ୟ ଏହା ଚାହୁଁଥିଲେ । ଏହାକୁ ନେଇ ବିବାଦ ଉପୁଜିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ଅନ୍ତିମ ସଂସ୍କାର ନିମନ୍ତେ ନିଗମବୋଧ ଘାଟ ଚୟନ କରାଯାଇଥିଲା । ସ୍ମାରକ ଦିଲ୍ଲୀରେ ନିର୍ମାଣ ହେବ । ଏଥିଲାଗି ଉଚିତ ସ୍ଥାନ ସନ୍ଧାନ କରାଯିବ ଓ ଟ୍ରଷ୍ଟ ଗଠନ ହେବ । ଏହି ପ୍ରକ୍ରିୟାରେ କିଛି ସମୟ ଲାଗିବ।
ସେପଟେ ମନ୍ତ୍ରଣାଳୟର ଏହି ଜବାବ ପରେ କଂଗ୍ରେସ ନେତା କେ ସି ବେଣୁଗୋପାଳ କହିଛନ୍ତି, ସରକାର ସ୍ମାରକ ନିର୍ମାଣ ଲାଗି ଜମି ସନ୍ଧାନ କରିପାରି ନାହିଁ । ଏହା ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀଙ୍କର ଅପମାନ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଡ. ସିଂହଙ୍କ ସ୍ମାରକ ଶକ୍ତି ସ୍ଥଳ (ଇନ୍ଦିରା ଗାନ୍ଧୀଙ୍କ ସ୍ମାରକ) କିମ୍ବା ବୀରଭୂମି (ରାଜୀବ ଗାନ୍ଧୀଙ୍କ ସ୍ମାରକ) ନିକଟରେ ହେବା ଉଚିତ । ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, କଂଗ୍ରେସ ଡ. ସିଂହଙ୍କୁ କଦାପି ସମ୍ମାନ ଦେଇନାହିଁ । ଆଜି ତାଙ୍କ ବିୟୋଗ ପରେ ବି ରାଜନୀତି କରୁଛି । ବିଜେପି ମୁଖପାତ୍ର ସି ଆର କେଶୱନ କହିଛନ୍ତି, ୟୁପିଏ ସରକାର ନରସିହ୍ମା ରାଓଜୀଙ୍କ ନିମନ୍ତେ ଦିଲ୍ଲୀରେ କୌଣସି ସ୍ମାରକ ବନାଇ ନ ଥିଲେ । ପାର୍ଥିବ ଶରୀରକୁ କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ରଖାଯାଇ ନ ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ । ବିଜେପି ସାଂସଦ ତ୍ରିବେଦୀ ଆହୁରି କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କଂଗ୍ରେସ ଅଧ୍ୟକ୍ଷ ଖଡ୍ଗେଙ୍କୁ କହିଥିଲେ କି ଭୂମି ଅଧିଗ୍ରହଣ, ଟ୍ରଷ୍ଟ ଗଠନ ଭଳି ପ୍ରକ୍ରିୟା ଶେଷ ହେବା ପରେ ଯାହା ବି ସମୟ ଲାଗିବ, ସେହି କାମକୁ ଉଚିତ ଉପାୟରେ କରାଯିବ । ତାଙ୍କ ମୁତାବକ, ଡ. ସିଂହ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାରେ ନେହରୁ-ଗାନ୍ଧୀ ପରିବାର ବାହାରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଜି ଦୁଃଖର ଏହି ଘଡ଼ିରେ ରାଜନୀତି କରାଯିବା ଉଚିତ ନୁହେଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଦଳଗତ ଭାବନାରୁ ଊଦ୍ଧ୍ୱର୍କୁ ଉଠି ସମସ୍ତ ନେତାଙ୍କୁ ସମ୍ମାନ ଦେଇଛନ୍ତି ।