ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସରକାରୀ ବ୍ୟାଙ୍କ ଓ ନିଃସ୍ପୃହ ଗ୍ରାହକ

ଗୋଟିଏ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ତିଷ୍ଠି  ରହିବାର ମୁଖ୍ୟ ଆଧାର ଜମାରାଶି,  ଯାହା ସେମାନଙ୍କର ମୁଖ୍ୟ ଆୟ । ବର୍ତ୍ତମାନ ଦେଶର ବ୍ୟାଙ୍କସମୂହ ଜମାପୁଞ୍ଜି ଅଭାବର ଶିକାର । ଅର୍ଥମନ୍ତ୍ରୀ  ଡ. ନିର୍ମଳା ସୀତାରମଣ ବ୍ୟାଙ୍କମାନଙ୍କୁ ନିଜର ଜମା ବୃଦ୍ଧି  କରିବା ଉପରେ ଗୁରୁତ୍ୱ ଦେଇ ସେଥିପାଇଁ ଆବଶ୍ୟକୀୟ  ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ  ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ନିଜର ଚିନ୍ତା ପ୍ରକଟ କରି କହିଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା  କୋଡ଼ିଏ ବର୍ଷରେ ଜମାରାଶି ବାବଦରେ ସବୁଠାରୁ  ଖରାପ ସମୟ ଦେଇ ଗତି କରୁଛି । ଏହି ଧାରା ଚାଲୁ  ରହିଲେ ବ୍ୟାଙ୍କରେ ନଗଦ ଅର୍ଥର ଘୋର ଅଭାବ  ଦେଖାଦେବ । 

ଗୋଟିଏ ଦେଶର ସାମଗ୍ରିକ ବିକାଶ ତା'ର  ଅର୍ଥନୈତିକ ଅଭିବୃଦ୍ଧି ଉପରେ ନିର୍ଭର କରେ ।  ଅର୍ଥନୈତିକ ଅଭିବୃଦ୍ଧି ଅର୍ଥସୁଲଭତା ଉପରେ ନିର୍ଭରଶୀଳ, ଯାହା ନିର୍ଭରଶୀଳ ସଞ୍ଚୟ ଉପରେ ।  ସ୍ୱାଧୀନତା ପରବର୍ତ୍ତୀ ଏକ ଗରିବ  ରାଷ୍ଟ୍ରକୁ ବିକାଶ ପଥରେ ଆଗେଇ  ନେବାକୁ ଆବଶ୍ୟକୀୟ ଅର୍ଥ ସଂଗ୍ରହ  ପାଇଁ ଜନସାଧରଣଙ୍କୁ ସଞ୍ଚୟ  କରିବା ପାଇଁ ଉତ୍ସାହିତ କରିବା ଏବଂ  ତତ୍କାଳୀନ ସମାଜରେ ପ୍ରଚଳିତ  ତଣ୍ଟିଚିପା ସୁଧ ବ୍ୟବସାୟରୁ ସାଧାରଣ  ଲୋକଙ୍କୁ ସୁରକ୍ଷା ଦେଇ ସହଜ ଋଣ  ପ୍ରଦାନର ଲକ୍ଷ୍ୟ ନେଇ ୧୯୬୯ ମସିହାରେ ବ୍ୟାଙ୍କଗୁଡ଼ିକୁ ଜାତୀୟକରଣ କରାଯାଇ ସରକାରୀ ସଂସ୍ଥାରେ ପରିଣତ  କରାଗଲା । ଦେଶ ବିକାଶ ପଥରେ ଆଗେଇଲା,  ବ୍ୟାଙ୍କ ସଂଖ୍ୟା ବଢ଼ିଲା । ସହର ନଗର ଠାରୁ ଆରମ୍ଭ  କରି ଅପହଞ୍ଚ ଅଞ୍ଚଳରେ ସରକାରୀ ବ୍ୟାଙ୍କର ଶାଖା  ଖୋଲିଲା । ଜଗତୀକରଣ ପରେ ଭାରତରେ ଅନେକ  ବିଦେଶୀ ବ୍ୟାଙ୍କ ଦେଶରେ କାରବାର ଆରମ୍ଭ କଲେ  ଏବଂ ଗ୍ରାହକଙ୍କୁ ଉତ୍ତମ ମାନର ସେବା ପ୍ରଦାନ କରି  ନିଜର ବ୍ୟବସାୟ ବୃଦ୍ଧି କଲେ । 

ପ୍ରଥମେ ଜାଣିବା ବ୍ୟାଙ୍କର ଆୟ କେଉଁଠୁ ଆସେ ।  ସାଧାରଣ ଲୋକ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବ୍ୟାଙ୍କରେ  ନିଜ ପଇସା ଜମା କରନ୍ତି, ଯାହା ପାଇଁ ବ୍ୟାଙ୍କ ସୁଧ  ଦିଏ । ବ୍ୟାଙ୍କ ତ ଏତେ ଟଙ୍କା ନିଜ ପାଖରେ ପକେଇ  ରଖିବନି । ସେ ଟଙ୍କାକୁ ବ୍ୟାଙ୍କ ଜନସାଧାରଣ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରଙ୍କୁ ବିଭିନ୍ନ ଉଦ୍ଦେଶ୍ୟରେ ଋଣ  ପ୍ରଦାନ କରି ଏବଂ ଅନ୍ୟ ନିବେଶରେ ବ୍ୟବହାର କରି  ସୁଧ ପାଇଥାଏ । ବ୍ୟାଙ୍କ ପାଉଥିବା ସୁଧ, ଦେଉଥିବା  ସୁଧ ଅପେକ୍ଷା ଯଥେଷ୍ଟ ଅଧିକ । ତାହା ହିଁ ବ୍ୟାଙ୍କର  ଜମା । ଉଦାହରଣ ଭାବରେ କୁହାଯାଇପାରେ ଜଣେ  ବ୍ୟକ୍ତି ଗୋଟିଏ ବ୍ୟାଙ୍କରେ ସଞ୍ଚୟ ଜମାଖତା (ସେଭିଙ୍ଗ୍‌ସ୍‌  ଏକାଉଣ୍ଟ) ଖୋଲି ଟଙ୍କା ଜମା କଲେ ଦୁଇରୁ ତିନି  ପ୍ରତିଶତ ସୁଧ ପାଉଛନ୍ତି । କିନ୍ତୁ ସେ ବ୍ୟାଙ୍କରୁ ଋଣ  ଆଣିଲେ ଆଠରୁ ନଅ ପ୍ରତିଶତ ସୁଧ ଦେଉଛନ୍ତି । ଅର୍ଥାତ  ବ୍ୟାଙ୍କ ଛଅ ପ୍ରତିଶତ ଲାଭ ପାଇଲା । ଏହା ବ୍ୟାଙ୍କର  ସବୁଠାରୁ ବଡ଼ ଆୟ । 

ବ୍ୟାଙ୍କର ଆୟ ଦୁଇ ପ୍ରକାର ସ୍ରୋତରୁ ଆସିଥାଏ ।  ଗୋଟିଏ କାସା (କରେଣ୍ଟ ଆକାଉଣ୍ଟ ଓ ସେଭିଙ୍ଗ୍‌ସ୍‌  ଆକାଉଣ୍ଟ) ଅନ୍ୟଟି ଫିକ୍ସଡ୍‌ ଡିପୋଜିଟ୍‌ । ବ୍ୟାଙ୍କ ପାଇଁ  କାସା ଅଧିକ ଲାଭଦାୟୀ³ କାରଣ ଫିକ୍ସଡ୍‌ ଡିପୋଜିଟ୍‌  ଅପେକ୍ଷା ଏଥିରେ ତାକୁ ଖୁବ୍‌ କମ୍‌ ସୁଧ ଦେବାକୁ ପଡ଼େ ।  ତେଣୁ କାସା ଯେତେ ଅଧିକ, ବ୍ୟାଙ୍କର ଲାଭ ସେତେ  ଅଧିକ । ଲୋକେ ଆକାଉଣ୍ଟ ନଖୋଲିଲେ ଅର୍ଥ ଆସିବ  କେମିତି? ବର୍ତ୍ତମାନ ସବୁ ବ୍ୟାଙ୍କରେ କାସା କମ୍‌ । ବ୍ୟାଙ୍କ୍‌  ଆୟର ଅନ୍ୟ ସ୍ରୋତ ହେଉଛି ଜମାଖାତା ଚଳେଇବାର  ସର୍ବନିମ୍ନ ଅର୍ଥ (ମିନିମମ୍‌ ବାଲାନ୍‌ସ), ଅନ୍ୟ ଭାଷାରେ  ବ୍ୟାଙ୍କ ସ୍ଥିର କରିଥିବା ନିର୍ଦ୍ଦିଷ୍ଟ ପରିମାଣ । ତା'ଠାରୁ କମ୍‌  ହେଲେ ଖାତା ଅଚଳ । ଏହା ଗୋଟିଏ ଛୋଟ ପରିମାଣ  ଜଣାପଡ଼ିଲେ ମଧ୍ୟ ସାମୂହିକ ଭାବେ ନେଲେ ଏହା ଏକ  ବଡ଼ ପରିମାଣ । ୨୯୨୩-୨୪ ବର୍ଷରେ ଏଗାର ସରକାରୀ  ବ୍ୟାଙ୍କ କ୍ଷେତ୍ରରେ ଏହା ୨୩୩୧ କୋଟି ଟଙ୍କା ଥିଲା ।  ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଖାତା ସଂଖ୍ୟା  ହ୍ରାସ ପାଇଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାଙ୍କ  ଏହି ବାଧ୍ୟତାମୂଳକ ଜମାକୁ ଛାଡ଼ କରିବାକୁ ଏକପ୍ରକାର  ବାଧ୍ୟ ହୋଇଛନ୍ତି । ତେଣୁ ଆୟର ଏକ ସ୍ରୋତ ବନ୍ଦ  ହେଇଯାଉଛି ।  

ମନରେ ପ୍ରଶ୍ନ ଉଠେ, ବ୍ୟାଙ୍କମାନଙ୍କ ପାଖରେ  ଜମା କମ୍‌ ହେବାର କାରଣ କ'ଣ । ଏଥିପାଇଁ ଚାରିଟି  କାରଣ ଦାୟୀ– ୧) ଜମା ବୃଦ୍ଧିର ହାର ଖୁବ୍‌ ମନ୍ଥର,  ୨) ଆଜିର ଭାରତୀୟଙ୍କର ପୂର୍ବ ପିଢ଼ି ଅପେକ୍ଷା ସଞ୍ଚୟର  ଆଗ୍ରହ କମ୍‌ । ଆଧୁନିକତାର ସ୍ରୋତରେ ଭାସି ଆଜିକାଲି  ପିଲାମାନେ ଖର୍ଚ୍ଚ ଅଧିକ କରୁଛନ୍ତି । ଏହାଛଡ଼ା ରହିଛି  ପ୍ରଦର୍ଶନର ପ୍ରତିଯୋଗିତା ବା ଡେମନଷ୍ଟ୍ରେସନ୍‌ ଇଫେକ୍ଟ୍‌,  ୩) ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୪) ଲୋକଙ୍କର ଅଧିକ ଋଣ  ଉଠାଣ । 

ଆଜିର ଯୁବପିଢ଼ି ସଞ୍ଚୟ କରିବାକୁ ଆଗ୍ରହୀ  ନୁହଁନ୍ତି । ବ୍ୟାଙ୍କରେ ଫିକ୍ସଡ୍‌ ଡିପାଜିଟରେ ସୁଧ କମ୍‌  ମିଳିବା ସହିତ ତା' ଉପରେ କର ଦେବାକୁ ପଡ଼ୁଛି ।  ଏହା ଉପରେ ଅଛି ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି, ଯାହା  ଲାଭକୁ କମେଇ ଦିଏ । ସବୁ କଟିବା ପରେ ମୂଳ ଜମା  ଓ ସମୂଳ ସୁଧ ଭିତରେ ବେଶୀ ତଫାତ୍‌ ଆସେନି । ନିଜ  ଧନ ବ୍ୟାଙ୍କରେ ପକେଇ ରଖିବାକୁ ସେମାନେ ଚାହୁଁ  ନାହାଁନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରଭାବରେ ଆଜିର  ଗ୍ରାହକ ଘରେ ବସି ଜାଣି ପାରୁଛନ୍ତି ସଞ୍ଚୟର ସର୍ବୋତ୍ତମ  ମାଧ୍ୟମ କ’ଣ । ଯେଉଁ ସଂସ୍ଥାରେ ନିବେଶ କଲେ ଅଧିକ  ସୁଧ ମିଳିବ ସେ ସଂସ୍ଥାରେ ଜମା ରଖିବାକୁ ଆଗ୍ରହୀ ।  

ରିସ୍କ ନେଇ ସେମାନେ ବ୍ୟାଙ୍କ ଭିନ୍ନ ଅନ୍ୟ ସଂସ୍ଥାରେ  ବିଶେଷ କରି ମ୍ୟୁଚୁଆଲ୍‌ ଫଣ୍ଡ୍‌, ପେନ୍‌ସନ୍‌ ଫଣ୍ଡ୍‌ ଏବଂ  ଇନ୍‌ସୁରାନସ୍‌ ଫଣ୍ଡରେ ସଞ୍ଚୟ କରୁଛନ୍ତି । ବିଗତ ଦଶ  ବର୍ଷରେ ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ୍‌ ନିଟ୍‌ ଆସେଟ୍‌  ୫୨୭% ବଢ଼ିଛି । ୨୦୧୪ ମସିହାର ୯.୭୫ଲକ୍ଷ କୋଟିରୁ  ୨୦୨୪ ମସିହା ଜୁନ ମାସ ବେଳକୁ ଏହା ୬୧.୧୬ଲକ୍ଷ  କୋଟି ହୋଇଛି । ଏହାଛଡ଼ା ଦରଦାମ ବୃଦ୍ଧି ହେଲେ  ଲୋକେ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୁଅନ୍ତି । ଫଳରେ  ସଞ୍ଚୟ ପାଇଁ ଧନ କମିଯାଏ । ନିବେଶର ଅନ୍ୟ ଏକ ଆକର୍ଷଣ ସେୟାର ବଜାର । ସେୟାର ବଜାରରେ ନିବେଶ ପାଇଁ ପ୍ରଥମେ ଗୋଟିଏ  ଡିମାଟ୍‌ ଆକାଉଣ୍ଟ ଖୋଲାଯାଏ । 

୨୦୧୫ ମସିହାରେ  ଡିମାଟ୍‌ ଆକାଉଣ୍ଟ ସଂଖ୍ୟା ଦୁଇ କୋଟି ଥିବାବେଳେ  ୨୦୨୪ ବେଳକୁ ତାହା ପନ୍ଦର କୋଟି । ଅର୍ଥାତ୍‌ ଛୋଟ  ନିବେଶକଙ୍କ ସଂଖ୍ୟା ବହୁତ ବଢିଛି । ବିଶେଷଜ୍ଞଙ୍କ  ମତରେ, ଏହି ଧାରାକୁ ଦେଖି ସରକାର ୨୦୨୪- ୨୫ ବଜେଟରେ ସ୍ୱଳ୍ପ ଓ ଦୀର୍ଘମିଆଦୀ ପୁଞ୍ଜିଗତ ଲାଭ  ଉପରେ କର ବଢ଼େଇଛନ୍ତି ।  ବ୍ୟାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାମ ଋଣ  ପ୍ରଦାନ । ଋଣ ଦେଲେ ବ୍ୟାଙ୍କ ଅଧିକ ସୁଧ ପାଆନ୍ତି ।  ଆଗେ ଲୋକମାନେ ଘର, ଶିକ୍ଷା ଓ ବ୍ୟବସାୟ ଆଦି  ନିହାତି ଆବଶ୍ୟକ ଥିବାରୁ ଅର୍ଥ ଅଭାବରେ ଋଣ  କରୁଥିଲେ । ଭୋଗବାଦ ବଢ଼ିବା ସହିତ ଲୋକେ  ମୋବାଇଲ ଠାରୁ ଆରମ୍ଭ କରି ସୌଖୀନ ଗାଡ଼ି ପର୍ଯ୍ୟନ୍ତ  ସବୁ ଲୋନ୍‌ ନେଇ କିଣୁଛନ୍ତି । ଅର୍ଥନୈତିକ ଅଭିବୃଦ୍ଧି  ଅଧିକ ଖର୍ଚ୍ଚ ଓ ନିବେଶକୁ ପ୍ରୋତ୍ସାହିତ କରୁଛି³ ଯାହା  ଅଧିକ ଋଣ ଆବଶ୍ୟକ କରୁଛି । ଲୋକମାନେ ଘରୋଇ  ବ୍ୟାଙ୍କ ଅପେକ୍ଷା ସରକାରୀ ବ୍ୟାଙ୍କରୁ ଋଣ ଆଣିବା ପାଇଁ  ପସନ୍ଦ କରୁଛନ୍ତି । 

ଅଧିକ ଋଣ ଉଠାଣ ଦେଶର ବିକାଶରେ ସାହାଯ୍ୟ  କରେ । କାରଣ ଏହା ଅଧିକ ଖର୍ଚ୍ଚ ଏବଂ ଅଧିକ  ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ପୁଞ୍ଜି  ନିର୍ମାଣ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ଏବଂ  ବିଦେଶୀ ନିବେଶ ବୃଦ୍ଧିରେ ସାହାଯ୍ୟ କରେ । ଦେଶର  ନିରବଚ୍ଛିନ୍ନ ବିକାଶ ପାଇଁ ଋଣ ବୃଦ୍ଧି ସହିତ ତାଳଦେଇ  ଜମା ବା ସଞ୍ଚୟ ବୃଦ୍ଧି ଘଟିବା ଆବଶ୍ୟକ । କିନ୍ତୁ ଯେଉଁ  ପରିମାଣରେ ଜମା ଆସିବା କଥା ଆସୁନି। ଋଣ ବୃଦ୍ଧିର  ହାର ଜମା ବୃଦ୍ଧିର ହାର ଅପେକ୍ଷା ବହୁତ ଅଧିକ ।  ଜମା ୧୨ ପ୍ରତିଶତ ହାରରେ ବଢୁଥିବା ବେଳେ ଋଣ  ପ୍ରଦାନ ୧୭.୫ ପ୍ରତିଶତ ହାରରେ ବଢୁଛି । ଏ ସମସ୍ତ  କାରକ ପ୍ରଭାବରେ ସରକାରୀ ବ୍ୟାଙ୍କ ପାଖରେ ଜମା  କମିଯାଉଛି । 

ବ୍ୟାଙ୍କସମୂହ ବଡ଼ ଆହ୍ୱାନର ସମ୍ମୁଖୀନ । ସର୍ବନିମ୍ନ  ବାଧା ଓ ସହଜରେ ହେଉଥିବା ଜମା ଓ ଋଣ ବ୍ୟବସ୍ଥା  ଆଜିକାଲିକା ଗ୍ରାହକଙ୍କର ପସନ୍ଦ। ଏହି ଦୁଇଟି  ଆବଶ୍ୟକତା ଯଥାକ୍ରମେ ମ୍ୟୁଚୁଆଲ ଫଣ୍ଡ୍‌ ଏବଂ ବ୍ୟାଙ୍କଭିନ୍ନ ବିତ୍ତୀୟ ସଂସ୍ଥା (ନନ୍‌-ବ୍ୟାଙ୍କିଙ୍ଗ ଫାଇନାନ୍‌ସିଆଲ୍‌  ଇନଷ୍ଟିଚ୍ୟୁସନ) ପୂରଣ କରୁଛନ୍ତି । ତେଣୁ ଅଯଥା  କାଗଜପତ୍ର କାମ ଏବଂ ବିଳମ୍ବ ସେବା ସହିତ  ବ୍ୟାଙ୍କମାନଙ୍କର ମନମୁଖୀ ବ୍ୟବହାର ଯୋଗୁଁ ଗ୍ରାହକ  ସରକାରୀ ବ୍ୟାଙ୍କକୁ ଯିବାକୁ ପସନ୍ଦ କରୁନାହାଁନ୍ତି । ସୂଚନା  ଓ ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ଯୁଗରେ ଗ୍ରାହକମାନଙ୍କ  ପାଖରେ ଅନେକ ବିକଳ୍ପ । ତେଣୁ ବ୍ୟାଙ୍କ ନିଜର  କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ସହିତ ବନ୍ଧୁତ୍ୱପୂର୍ଣ୍ଣ  ପରିବେଶ ସୃଷ୍ଟି କରି ଲୋକଙ୍କୁ ତ୍ୱରିତ ସେବା ଦେବା ଆବଶ୍ୟକ । ଏହା ସହିତ ବ୍ୟାଙ୍କମାନଙ୍କୁ ଆୟ ବା ଜମାର  ବିକଳ୍ପ ସ୍ରୋତ ଖୋଜିବା ଆବଶ୍ୟକ । ଋଣ ଦେଲାବେଳେ  ସେଗୁଡିକର ଫେରସ୍ତ ନିଶ୍ଚିତ କରିବା ଆବଶ୍ୟକ,  ଯାହାଫଳରେ ସେମାନଙ୍କର ଅନାଦେୟ ଋଣବୋଝ କମ୍‌  ହେବ । ନିଜର ବିଶ୍ୱସନୀୟତା ବଜାୟ ରଖିପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବିତ୍ତୀୟ ସଂସ୍ଥାରୁ କମ୍‌ ସୁଧରେ  ଋଣ ଆଣି ଅଧିକ ସୁଧରେ ଋଣ ପ୍ରଦାନ କରି ବ୍ୟାଙ୍କ  ଲାଭ ପାଇପାରିବେ । ପରିବର୍ତ୍ତିତ ସମୟ ଓ ପରିସ୍ଥିତି  ସହିତ ଦୃଷ୍ଟିକୋଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ  ଏକାନ୍ତ ଅପରିହାର୍ଯ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.