ଭୁବନେଶ୍ୱର: ବଡ଼ ଲକ୍ଷ୍ୟ, ଢେର ଚାଲେଞ୍ଜ। ଗଣତନ୍ତ୍ରର ମହାପର୍ବରେ ନୂଆ ସଂସ୍କାର । ପୁରୁଣାକାଳିଆ ବ୍ୟବସ୍ଥା ପଛକୁ ହଟିବ । ଦେଶ ଦେଖିବ ଅଭିନବ ଢ଼ାଞ୍ଚାରେ ଭୋଟ । ବଦଳିବ ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ‘ସାଧାରଣ ନିର୍ବାଚନ’ର ବ୍ୟବସ୍ଥା । ଦେଶରେ କାର୍ଯ୍ୟକାରୀ ହେବ ଏକକ ନିର୍ବାଚନ । ଏ ପ୍ରସ୍ତାବକୁ ଏବେ କେନ୍ଦ୍ର କ୍ୟାବିନେଟ୍ ମାରିଛି ମୋହର । କେଉଁଠି ହଁ ତ କେଉଁଠି ନା । ବିଜେପି ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ (ୱାନ ନେସନ, ୱାନ୍ ଇଲେକସନ୍) ଲାଗୁ କରିବାକୁ ପୂରା ଦମରେ ଅଣ୍ଟା ଭିଡ଼ିଛି । ବିଜେପିର ଏଜେଣ୍ଡା ବିରୋଧୀଙ୍କ ହଜମ ହେଉନି । ବିରୋଧୀ ଛିଡ଼ା କରାଇଛନ୍ତି ପ୍ରଚଣ୍ଡ ଆହ୍ୱାନ ।
ବିକଶିତ ଭାରତ, ସମୃଦ୍ଧ ଭାରତ, ଶ୍ରେଷ୍ଠ ଭାରତ । ଭୋଟ ବିକାଶର ବାଟ ଓଗାଳିବନି । ବାରମ୍ବାର ନିର୍ବାଚନ ଯୋଗୁଁ ଦେଶର ରାଜକୋଷରୁ ଅପବ୍ୟୟ ହେବନି ହଜାର ହଜାର କୋଟି ଟଙ୍କା । ମାନବସମ୍ବଳର ଅପଚୟକୁ ରୋକି ହେବ । ପ୍ରଶାସନ ଉପରେ ବାରମ୍ବାର ଝୁଲିବନି ଭୋଟ ପରିଚାଳନାର ଖଣ୍ଡା । ଏଥିପାଇଁ ଗୋଟିଏ ସମୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ସମଗ୍ର ଦେଶର ସବୁ ରାଜ୍ୟର ବିଧାନସଭା ସହ ଲୋକସଭା ଓ ପୌର ଏବଂ ପଞ୍ଚାୟତ ପାଇଁ ଏକକ ଭୋଟ ଗ୍ରହଣ କରାଯିବ । ଭୋଟରମାନେ ମତଦାନ କେନ୍ଦ୍ରରେ ଗୋଟିଏ ଥରରେ ନିଜର ପସନ୍ଦର ବିଧାୟକ, ସାଂସଦ, କାଉନସିଲର, ସରପଞ୍ଚ ବାଛିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ଜାତୀୟ ବିତର୍କ । ସମର୍ଥନ-ବିରୋଧର ଛକି ଶୂନ ଖେଳ ।
ମିଶନ ‘ଏକ ଦେଶ-ଏକ ଭୋଟ’
ଗୋଟିଏ ପିଢ଼ି ସ୍ୱପ୍ନ ଦେଖେ । ପର ପିଢ଼ି ତାକୁ ସାକାର କରେ । ନେହେରୁ ଯାହା କରିପାରିନଥିଲେ, ତା’କୁ ବାସ୍ତବ ରୂପ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ରାଷ୍ଟ୍ର ଗୋଟିଏ ଭୋଟ୍ ପ୍ରସ୍ତାବକୁ ନେଇ ୪୦ ବର୍ଷ ହେବ ଚାଲିଛି ଆଲୋଚନା । ମାତ୍ର ଏ ଐତିହାସିକ ସଂସ୍କାର କେବଳ ଚର୍ଚ୍ଚା ଭିତରେ ରହୁଥିଲା । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଏବେ ବଳ ଭରିଛନ୍ତି । ୨୦୨୯ରେ ଦେଶରେ ଏକ ଦେଶ ଏକ ନିର୍ବାଚନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ୍ ‘ହଁ’ ମାରିଛି । ପ୍ରଥମ ସିଡ଼ି ଚଢ଼ିଲା ପରେ ସଂସଦର ଆସନ୍ତା ଶୀତ ଅଧିବେଶନରେ ଆସିବ ଏ ସଂପର୍କିତ ବିଲ୍ ।
୧୯୫୨ରୁ ୧୯୬୭ ଯାଏ ୪ଟି ସାଧାରଣ ନିର୍ବାଚନରେ ଏହି ଢ଼ାଞ୍ଚାରେ ଭୋଟ ହୋଇଥିଲା । ଦେଶବାସୀ ଏକାଥରକେ ସାଂସଦ ଓ ବିଧାୟକ ଚୟନ କରୁଥିଲେ । ମାତ୍ର ଆମ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବାରମ୍ବାର ବିଧାନସଭା ଓ ଲୋକସଭା ଭଙ୍ଗ ସହ ରାଷ୍ଟ୍ରପତି ଶାସନ ଜାରି କାରଣରୁ ବାରମ୍ବାର ନିର୍ବାଚନ ଅନୁଷ୍ଠିତ ହେଲା । ଏକାଥରକେ ଭୋଟର ଶୃଙ୍ଖଳ ଭାଙ୍ଗିଗଲା । ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ଏବେ ଅଲଗା ଅଲଗା ଭୋଟ ଗ୍ରହଣ କରାଯାଉଛି । ଏହା ବ୍ୟୟବହୁଳ ଓ ସମୟସାପେକ୍ଷ ।
ପରିସଂଖ୍ୟାନ କହୁଛି, ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶାସନକାଳରେ ୮ ଥର ବିଧାନସଭା ଭଙ୍ଗ ସହ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଆଇରନ୍ ଲେଡି ଇନ୍ଦିରାଙ୍କ ଅମଳରେ ସର୍ବାଧିକ ୫୦ଥର ଏବଂ ମନମୋହନ ସିଂହଙ୍କ ଶାସନରେ ୧୨ ଥର ବିଧାନସଭା ଭଙ୍ଗ ହୋଇଛି । ଏନଡିଏ ସରକାରରେ ୫ଥର ଏଭଳି ଘଟଣା ଘଟିଛି । ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ଭଙ୍ଗ ଓ ଲୋକସଭା ନିର୍ବାଚନ ଯୋଗୁଁ ଦେଶ ହଜାର ହଜାର କୋଟିର ପାଣ୍ଠି ହରାଉଛି । ନିର୍ବାଚନ ଆୟୋଗ ୧୯୮୩ ମସିହାର ବାର୍ଷିକ ରିପୋର୍ଟରେ ‘ଏକ ଦେଶ ଏକ ନିର୍ବାଚନ’ର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପଚାଶ ଦଶକ ଭଳି ଏକାଥରକେ ଭୋଟ ଗ୍ରହଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । କଥା ଆଗକୁ ବଢ଼ିଲା ୧୯୯୯ରେ । ଜାତୀୟ ଆଇନ କମିଶନ ତାଙ୍କ ରିପୋର୍ଟରେ ଏକକାଳୀନ ଭୋଟ ସପକ୍ଷରେ ସୁପାରିସ କଲେ, ଦେଶରେ ହେଉ ଗୋଟିଏ ଭୋଟ । ସରପଞ୍ଚରୁ ସାଂସଦ ଯାଏ ନିର୍ବାଚନ ପାଇଁ ଗୋଟିଏ ଭୋଟ ବ୍ୟବସ୍ଥା ରହୁ ।
୨୦୧୪ ବିଜେପି ନିର୍ବାଚନ ଇସ୍ତାହାରରେ ଏହାକୁ ସ୍ଥାନିତ କଲା । ୨୦୧୫ରେ ଆଇନ କମିଶନ ଓ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏକକ ଭୋଟ ସପକ୍ଷରେ ସୁପାରିସ କଲେ । ଏବେ କେନ୍ଦ୍ରର ବିଜେପି ସରକାର ନିଆଁରେ ଘିଅ ଢ଼ାଳିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ବିଜେପି ସରକାର ଏକ କମିଟି ଗଠନ କରିଥିଲେ । ଏ କମିଟି ୧୯୧ ଦିନ ଏ ପ୍ରସ୍ତାବକୁ ନେଇ ଅନୁଧ୍ୟାନ କରିଥିଲା । ଏକକ ନିର୍ବାଚନର ବିଭିନ୍ନ ଦିଗ ଉପରେ ତର୍ଜମା କରି ପ୍ରସ୍ତୁତ ୧୮,୬୨୬ ପୃଷ୍ଠାର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତ ମାର୍ଚ୍ଚରେ ପ୍ରଦାନ କରିଥିଲେ କୋବିନ୍ଦ । ପ୍ରକିୟାକୁ ଆଗକୁ ନେବାକୁ ବିଜେପି ସରକାର ଓ ଦଳ ଫୁଲଦମରେ ଅଣ୍ଟା ଭିଡ଼ିଛି । ସାରା ଦେଶରେ ଏବେ ଚର୍ଚ୍ଚା, ବିତର୍କ, ସମର୍ଥନ ଆଉ ପ୍ରତିବାଦର ସ୍ୱର ।
କୋବିନ୍ଦ କମିଟି ସୁପାରିସରେ କ’ଣ ଅଛି?
ଏକକ ନିର୍ବାଚନ ନେଇ ନୀତି ଆୟୋଗ ସହ ସହମତ ହୋଇଛନ୍ତି କୋବିନ୍ଦ କମିଟି । କମିଟି ମତ ରଖିଛି, ବିଶାଳ ଭାରତବର୍ଷରେ ବହୁ ସମୟରେ ମତଦାନ ପ୍ରକ୍ରିୟା ଲାଗି ରହୁଥିବାରୁ ଆମ ପ୍ରଶାସନ ଉପରେ ଅଯଥା ଚାପ ଲାଗି ରହୁଛି । ଶିକ୍ଷା, ଅର୍ଥନୀତି, ରାଜନୀତି, ସରକାରୀ ଜନକଲ୍ୟାଣ ଯୋଜନାରେ ବାଧା ଆସୁଛି । ଜାତୀୟ ପିରାପତ୍ତା ମଧ୍ୟ ବହୁଳ ଭାବେ ପ୍ରଭାବିତ ହେଉଛି । ଦୁର୍ନୀତି ସହ ଅପରାଧ କାୟା ମେଲାଉଛି । ଅର୍ଥନୀତି ଦୁର୍ବଳମୁହାଁ ଧରୁଛି । ସମୟର ଆହ୍ୱାନକୁ ଗ୍ରହଣ କରି ଏକକାଳୀନ ଭୋଟ ପ୍ରକ୍ରିୟାକୁ ପୁନଃ ଚାଲୁ କରିବା ଜରୁରି ।
ହିସାବ କହୁଛି, ଦେଶରେ ଗତ ନିର୍ବାଚନରେ ଥିଲେ ୯୬ କୋଟି ଭୋଟର । ଖୋଲିଥିଲା ସାଢ଼େ ୧୦ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର । ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ଦେଢ଼ କୋଟି କର୍ମଚାରୀ ନିୟୋଜିତ ଥିଲେ । ଗତ ନିର୍ବାଚନରେ ନିର୍ବାଚନ କମିଶନ, ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା କହୁଛି ଆକଳନ । କୋବିନ୍ଦ କମିଟି ସୁପାରିସ କରିଛି, ସବୁ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଆଗାମୀ ଲୋକସଭା ନିର୍ବାଚନ ଅର୍ଥାତ ୨୦୨୯ ପର୍ଯ୍ୟନ୍ତ ବଢ଼ାଯାଉ । କୌଣସି ଦଳକୁ ବହୁମତ ନ ମିଳିଲେ କିମ୍ବା ଅନାସ୍ଥା କ୍ଷେତ୍ରରେ ବାକି ୫ ବର୍ଷ କାର୍ଯ୍ୟକାଳ ପାଇଁ ସାନି ନିର୍ବାଚନ କରାଯାଇ ପାରିବ । ଏକକ ଭୋଟରେ ପ୍ରଥମ ଦଫାରେ ଲୋକସଭା-ବିଧାନସଭା ନିର୍ବାଚନ ହେବ । ଶହେ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପୌରପାଳିକା ଓ ପଞ୍ଚାୟତ ପାଇଁ ହେବ ମତଦାନ । ଏକକ ଭୋଟର ତାଲିକା ଏବଂ ଭୋଟ ପରିଚୟପତ୍ର ପ୍ରସ୍ତୁତ କରିବାକୁ ହେବ । ଏକକ ଭୋଟ କାର୍ଯ୍ୟକାରୀ କରିବାକୁ ୧୮ଟି ସାମ୍ବିଧାନିକ ସଂଶୋଧନ ଜରୁରି ।
ସହମତିରେ ହେଉ ସଂସ୍କାର
୨୦୨୯ରେ ଦେଶ ଦେଖିବ ଐତିହାସିକ ଭୋଟ । ଏମିତି ଚର୍ଚ୍ଚା ସାରା ଦେଶରେ ଆରମ୍ଭ ହୋଇଥିଲା ବେଳେ କଂଗ୍ରେସ ସହ ବହୁ ବିରୋଧୀ ଦଳ ପୂରା ଖପ୍ପା । ଗୋଟିଏ ଦଳ, ଗୋଟିଏ ନେତା ନୀତି ଧରିଛି ବିଜେପି । ଅଖଣ୍ଡ ଭାରତରେ ଶାସନ ଗାଦି ମାଡ଼ିବସିବାକୁ ଏହା ବିଜେପିର ବ୍ଲୁପ୍ରିଣ୍ଟ । ‘ନିରଙ୍କୁଶ କ୍ଷମତା’ର ଗୁପ୍ତ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ମୋଦିଙ୍କର ଏହା ସୁଚିନ୍ତିତ ଗେମ୍ପ୍ଲାନ । ଆରଜେଡି, ବିଜେଡି, ଟିଏମ୍ସି, ଆପ୍, ଡିଏମକେ, ଶିବସେନା, ସମାଜବାଦୀ ପାର୍ଟି ଭଳି ଆଞ୍ଚଳିକ ଦଳଠୁ ବିଜେପି ଆହ୍ୱାନର ସମ୍ମୁଖୀନ ହେବନି । ଧୀରେ ଧୀରେ ଆଞ୍ଚଳିକ ଦଳର ସତ୍ତା ହଜାଇଦେବାକୁ ବିଜେପିର ଏହା ଜୁମ୍ଲା । ସଂଘୀୟ ବ୍ୟବସ୍ଥା ସମାଧି ନେବ । ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ବିରୋଧୀ ରାଜନୈତିକ ଦଳ ।
ବିଜେପି କିନ୍ତୁ ଯୁକ୍ତି ଦର୍ଶାଇଛି, ଐତିହାସିକ ନିର୍ବାଚନ ସଂସ୍କାରକୁ ଦେଶର ସବୁବର୍ଗ ସମର୍ଥନ କରୁଛନ୍ତି । ଏହା ଆମ ଗଣତନ୍ତ୍ରକୁ ଅଧିକ ମଜଭୁତ କରିବ । ଦେଶର ବିକାଶକୁ ଆଗକୁ ନେଇ ଗଢ଼ିବ ବିକଶିତ ଭାରତ । ବିରୋଧୀ ଏବେ ଭୟଭୀତ କାହିଁକି? ସମ୍ବିଧାନ ବିଶାରଦ ମତ ରଖୁଛନ୍ତି, ଜର୍ମାନୀ, ସ୍ୱିଡେନ୍,ଇଂଲଣ୍ଡ ଭଳି ଦେଶ ‘ଫିକ୍ସଡ ଟର୍ମ ପାର୍ଲାମେଣ୍ଟ’ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଆମ ସମ୍ବିଧାନ ଓ ଗଣତନ୍ତ୍ର ବେଶ ବଳୁଆ । ପ୍ରାୟ ୮୦ ପ୍ରତିଶତ ଭୋଟର ହେଉଛନ୍ତି ସଚେତନ । ପ୍ରତିନିଧି ଚୟନ ବେଳେ ସେମାନେ ନିଜ ବିବେକର ପୂର୍ଣ୍ଣ ବିନିଯୋଗ କରନ୍ତି । ଏହି ନୂଆ ଢ଼ାଞ୍ଚା ଦେଶ ପାଇଁ ହେବ ନୂଆ ମଡେଲ । ହଁ...ନୂଆ ବ୍ୟବସ୍ଥାରେ ରହିଛି ଅନେକ ଚାଲେଞ୍ଜ । ରାଜନୈତିକ ଦଳ ମଧ୍ୟରେ ସହମତି ହେବ ‘ମିଲିୟନ ଡଲାରର’ ପ୍ରଶ୍ନ । ନିଃସନ୍ଦେହ ଏହା ଜଟିଳ ପ୍ରକ୍ରିୟା । ମାତ୍ର ଅସମ୍ଭବ ନୁହଁ ।
ଆବ୍ରାହମ୍ ଲିଙ୍କନଙ୍କ ଭାଷାରେ ବାଲଟ ବୁଲେଟ ଠାରୁ ଶକ୍ତିଶାଳୀ । ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା । ଏକକ ଭୋଟ ବ୍ୟବସ୍ଥା ଯେ ଏହାକୁ କ୍ଷୁର୍ଣ୍ଣ କରିବନି କିଏ ଦେବ ଗ୍ୟାରେଣ୍ଟି? ଗଠନମୂଳକ ବିତର୍କ ହେଉ । ସହମତିରେ ହେଉ ଐତିହାସିକ ଭୋଟ ସଂସ୍କାର ।