ଖବରକାଗଜ ଖୋଲିଦେଲେ ନଜର ପଡ଼େ କିଛି ଅସଫଳ ପ୍ରେମର ନକାରାତ୍ମକ କାହାଣୀ ଉପରେ ଯଥା "ପ୍ରେମୀଯୁଗଳ ଲୁଣା ନଦୀକୁ ଡେଇଁ ପଡ଼ିଲେ', "ଟ୍ରେନ ଲାଇନରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର' ଓ "କଲେଜ ପଢୁଆ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା' ଇତ୍ୟାଦି ଇତ୍ୟାଦି। କୁହାଯାଏ ପ୍ରେମ ଏକ ପ୍ରବଳ ଶକ୍ତିଶାଳୀ ଅନୁଭୂତି । ବିନା ପ୍ରେମରେ କାଳେ ଜଣେ କବିଟିଏ, ଗାଳ୍ପିକଟିଏ, ଔପନ୍ୟାସିକଟିଏ ହୋଇପାରେନି । ପ୍ରେମ କେବେ କାହାକୁ ଜଣେ ପ୍ରତିଷ୍ଠିତ ଦାର୍ଶନିକ ବନେଇଛି ତ କେବେ ପୁଣି କାହାକୁ ମହାପୁରୁଷ । ପ୍ରେମ କରିଥିବା ମଣିଷଟି କାଳେ କେବଳ ତାର ପ୍ରେମିକାର ନୁହେଁ ବରଂ ସମସ୍ତ ମଣିଷର ମନକଥା ଭାରି ସହଜରେ ବୁଝିପାରେ । ପ୍ରେମ ହେଉଛି ଏକ ରହସ୍ୟ ଯାହାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରାଯାଇପାରିବ ନାହିଁ । ଏହା ଏକ ଶକ୍ତି ଯାହା ଶବ୍ଦ, ସଂସ୍କୃତି ଏବଂ ସମୟ ବି ଅତିକ୍ରମ କରିପାରେ, ଯାହା ଆମ ଜୀବନକୁ ଛୋଟ ବଡ଼ ଉପାୟରେ ରୂପାନ୍ତର କରିବାର ଶକ୍ତି ଯୋଗାଇଥାଏ । ପ୍ରେମ ହେଉଛି ଅନ୍ୟ ଜଣଙ୍କ ପାଇଁ ଏକ ତୀବ୍ର ଏବଂ ଗଭୀର ସ୍ନେହ ଅନୁଭବ କରିବାର ଉପାଦାନ ।
କିନ୍ତୁ "ପ୍ରେମବିବାହରେ' ଏତେ ସଂଖ୍ୟାରେ ଛାଡ଼ପତ୍ର କାହିଁକି? ସେ ପ୍ରେମବିବାହରେ କ’ଣ କେବଳ ପ୍ରେମ ଥାଏ ନା ଅନ୍ୟ କିଛି ଲୁକ୍କାୟିତ ପ୍ରଲୋଭନ? ଦୀର୍ଘ ସମୟ ଧରି ବିବାହକୁ ପବିତ୍ର ଭାବେ ବିବେଚନା କରାଯାଉଥିଲା । ଏକ ଆଜୀବନ ପ୍ରତିବଦ୍ଧତା, ବିଶେଷକରି ଭାରତ ଭଳି ଦେଶରେ ଯେଉଁଠାରେ ବିବାହ କେବଳ ଦୁଇଜଣଙ୍କ ନୁହେଁ ବରଂ ଦୁଇ ପରିବାରର ସମ୍ମିଶ୍ରଣ ହୋଇଥାଏ । ଏକ ସୁସ୍ଥ ସମାଜ ଗଠନରେ ବିବାହକୁ ଦୁଇଟି ଆତ୍ମା ଏବଂ ପ୍ରକୃତ ମନର ଏକ ମିଳନ ବୋଲି ବିବେଚନା କରାଯାଏ । ତେବେ ଆଧୁନିକ ଜୀବନର ଜଟିଳତା ସହିତ ଭାରତରେ ଛାଡ଼ପତ୍ର ହାର, ବିଶେଷକରି ପ୍ରେମବିବାହ କ୍ଷେତ୍ରରେ ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ଛାଡ଼ପତ୍ର ମାମଲାରେ ବୃଦ୍ଧି ଘଟିଛି । ବଡ଼ ବଡ଼ ସହରାଞ୍ଚଳରେ ଛାଡ଼ପତ୍ର ହାର ୩୦%ରୁ ଅଧିକ । ବିଶେଷକରି ପ୍ରେମବିବାହ କରିଥିବା ଯୁବପିଢ଼ି ମଧ୍ୟରେ ବିବାହ ଏବଂ ପାରିବାରିକ ଜୀବନ ପ୍ରତି ମନୋଭାବର ପରିବର୍ତ୍ତନ ହେତୁ ଛାଡ଼ପତ୍ର ଆବେଦନ ଗତ କିଛି ବର୍ଷ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି ।
ଛାଡ଼ପତ୍ର ଆଜିକାଲି ଆଉ ଏକ "ବିଫଳତା କିମ୍ବା ଲଜ୍ଜାଜନକ ବିଷୟ' ଭାବରେ ଦେଖାଯାଏ ନାହିଁ । ଏହା ପରିବର୍ତ୍ତେ ବ୍ୟକ୍ତିଗତ ସ୍ୱାଧୀନତାକୁ ପୁନଃ ଉଦ୍ଧାର କରିବା ଏବଂ ପୁନର୍ବାର ଆରମ୍ଭ କରିବାର ଏକ ସୁଯୋଗ ଭାବରେ ଦେଖାଯାଉଛି । ଅଧିକନ୍ତୁ, ମହିଳାମାନେ ବର୍ତ୍ତମାନ ନିଜ ଜୀବନକୁ ଅଧିକରୁ ଅଧିକ ନିୟନ୍ତ୍ରଣ କରିବା ସହିତ ଯଦି ସେମାନେ ଅନୁଭବ କରନ୍ତି ଯେ ପୁନଃ ସମନ୍ୱୟ ହେବାର କୌଣସି ଆଶା ନାହିଁ, ତେବେ ସେମାନେ ଅସନ୍ତୁଷ୍ଟ ବିବାହ ବନ୍ଧନରୁ ମୁକ୍ତି ପାଇବାକୁ ଶ୍ରେୟ ମଣୁଛନ୍ତି । ସେମାନଙ୍କର ଯୁକ୍ତି ହେଲା ବିବାହ ଏକ ବନ୍ଧନ ଏବଂ ଯେଉଁ ବନ୍ଧନରେ ଆଉ ପୂର୍ବପରି ସ୍ନେହ ନାହିଁ, ପ୍ରେମ ନାହିଁ ଓ ଆଦର ନାହିଁ, ତେଣୁ ସେଥିରେ ଆଉ ବାନ୍ଧିହୋଇ ରହିବାର କିଛି ଯୁକ୍ତିଯୁକ୍ତ କାରଣ ବି ନାହିଁ । ସେଥିରୁ ମୁକ୍ତି ପାଇବାକୁ ହେଲେ ସବୁଠାରୁ ସହଜ ଶୀଘ୍ର ଓ ଶାନ୍ତିପୂର୍ଣ୍ଣ ଉପାୟ ହେଉଛି ପାରସ୍ପରିକ ଛାଡ଼ପତ୍ର ପାଇଁ ଆବେଦନ କରିବା ।
ଆଜିକାଲି ଯୁବକ ଯୁବତୀମାନଙ୍କ ମୁହଁରୁ ରାସ୍ତାଘାଟ, ମନ୍ଦିର, ସ୍କୁଲ କଲେଜ ପରିସରରେ "ଆଇ ଲଭ ୟୁ' ବାକ୍ୟଟି ଖୋଲାଖାଲି ଭାବରେ ଶୁଣାଯାଏ, ପ୍ରେମ ଦିବସରେ (ଭାଲେଣ୍ଟାଇନ ଡେ)ରେ ସହରତଳି ପାର୍କରେ ସେମାନଙ୍କ ପ୍ରାଦୁର୍ଭାବ ଦେଖିଲେ ଏମାନଙ୍କ ପ୍ରେମର ଗଭୀରତା ସହଜରେ ଅନୁମାନ କରିହୁଏ! ଏଠି ଗପଟିଏ ମନେପଡ଼େ: ମଗଧର ମିଥିଳା ଅଞ୍ଚଳରେ "ଭାଚସ୍ପତି ମିଶ୍ର' ନାମକ ଜଣେ ବିଦ୍ୱାନ ବ୍ୟକ୍ତି ୯୦୦ରେ ଜନ୍ମଗ୍ରହଣ କରିଥିଲେ । ଯୁବକ ବୟସରେ ତାଙ୍କ ମାତା "ବତ୍ସଲା' ତାଙ୍କ ବିବାହ ପାଇଁ ନିକଟ ଗ୍ରାମରେ ଏକ ସୁନ୍ଦରୀ ତରୁଣୀ ବିଷୟରେ ତାଙ୍କ ପୁତ୍ର ସହିତ ଆଲୋଚନା କଲେ । ମାତାଙ୍କଠାରୁ ସବୁ ଶୁଣିଲା ପରେ ଭାଚସ୍ପତି ମିଶ୍ର କହିଲେ "ମାତା ମୋ ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବେଦାନ୍ତ ସୂତ୍ର ଓ ବ୍ରହ୍ମ ସୂତ୍ର ଉପରେ ଗୋଟିଏ ଭାଷ୍ୟ ରଚନା କରିବା । ଏହି ଶାସ୍ତ୍ରଗୁଡ଼ିକ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରିୟ । ମୋର ଏହି ଭାଷ୍ୟ ବା ମନ୍ତବ୍ୟ ମୋ ଦେଶ ପାଇଁ ଏକ ମହାନ ସେବା ହେବ' । ପୁଣି ପଚାରିଲେ "ମାତା ଆପଣ ଜାଣିଛନ୍ତି ଯେ ମୁଁ ଥରେ ଏହି ଭାଷ୍ୟ ଲେଖିବା ଆରମ୍ଭ କରିଦେଲେ ମୁଁ ଏଥିରେ ସମ୍ପୂର୍ଣ୍ଣ ନିମଗ୍ନ ରହିବି ଯେ ଜଣେ ସ୍ୱାମୀର କର୍ତ୍ତବ୍ୟ ସମ୍ପାଦନ କରିବାକୁ ସମର୍ଥ ହେଇପାରିବି କି ମାତା? ଦୟାକରି ମୋର ଏହି ମନ୍ତବ୍ୟକୁ ସେହି କନ୍ୟା ନିକଟରେ ପହଞ୍ଚାନ୍ତୁ । ମୋତେ କୁହନ୍ତୁ ମାତା, ଏସବୁ ଶୁଣିବା ପରେ ସେ ତଥାପି ବିବାହ କରିବାକୁ ଚାହୁଁଛନ୍ତି କି?'
ପୁତ୍ରର ଏହି ନିଷ୍ପତ୍ତିରେ ବତ୍ସଲା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଭାବିଲେ ଯେ, ପୁତ୍ରକୁ ବିବାହ କରାଇ ସେ କନ୍ୟାର ଜୀବନକୁ କାହିଁକି ବା ନଷ୍ଟ କରନ୍ତେ! ତଥାପି ବହୁତ ଦ୍ୱିଧାରେ ସେ ତାଙ୍କ ପୁଅର ମତାମତକୁ କନ୍ୟାର ପିତାଙ୍କ ସାମ୍ନାରେ ପ୍ରକାଶ କଲେ । ଆଶ୍ଚର୍ଯ୍ୟର କଥା, କନ୍ୟାର ପିତା ବତ୍ସଲାଙ୍କ ଖୋଲାଖୋଲି, ନମ୍ରତା ଓ ସଚ୍ଚୋଟତାକୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ନିଜ କନ୍ୟାଙ୍କ ମତାମତ ମାଗିଥିଲେ । ଯୁବତୀ ଜଣକ ପିତାଙ୍କ କଥା ଶୁଣି ଭାଚସ୍ପତି ମିଶ୍ରଙ୍କ ଭଳି ଜଣେ ବିଦ୍ୱାନ ବ୍ୟକ୍ତିଙ୍କୁ ବିବାହ କରିବାକୁ ରାଜି ହୋଇଗଲେ ଏବଂ ସ୍ତ୍ରୀ ହିସାବରେ ତାଙ୍କର ସମସ୍ତ ଦାୟିତ୍ୱ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଏହା ଶୁଣି ଭାଚସ୍ପତି ହୃଦୟଙ୍ଗମ କଲେ ଯେ ତାଙ୍କର ଅସୁବିଧା ବିଷୟରେ ସବୁକିଛି ଜାଣିସାରିବା ପରେ ବି ଯଦି ତାଙ୍କୁ ବିବାହ କରିବାକୁ ରାଜି ଅଛନ୍ତି ତେବେ ନିଶ୍ଚୟ ସେ ନାରୀ ଜଣକ ଅତ୍ୟନ୍ତ ଜ୍ଞାନୀ ଓ ଉପଯୁକ୍ତ ପତ୍ନୀ ହେବାର ଯୋଗ୍ୟା ।
ବ୍ୟାସପୂର୍ଣ୍ଣିମା ଭଳି ଶୁଭଦିନରେ ଏହି ଦମ୍ପତି ବିବାହ କରିଥିଲେ । ସେହି ଦିନ ମଧ୍ୟ ଭାଷ୍ୟ ଲେଖା ଆରମ୍ଭ କରିବାକୁ ତାଙ୍କପାଇଁ ସବୁଠାରୁ ଅଦ୍ଭୁତ ସମୟ ଥିଲା । ବିବାହ ପରେ ସେ ଘରେ ପହଞ୍ଚିବା କ୍ଷଣି ସେ ବାରଣ୍ଡାରେ ବସି ଲେଖିବା ଆରମ୍ଭ କରିଥିଲେ । ଯାହା ସବୁ ଦରକାର ପଡୁଥିଲା ମାତା ବତ୍ସଲା ରୀତିମତ ତାହା ଯୋଗାଉଥିଲେ । କେଉଁ ସମୟରେ କ’ଣ ଦରକାର ଏସବୁ ତାଙ୍କ ପତ୍ନୀ ନଜର ରଖୁଥିଲେ, ନିଜେ ଶିଖୁଥିଲେ । ଏମିତିରେ ମାସ, ଋତୁ, ବର୍ଷ ବିତିଗଲା ଏବଂ ଭାଚସ୍ପତି କେବଳ ତାଙ୍କ ଭାଷ୍ୟ ଲେଖାରେ ହିଁ ଧ୍ୟାନ ନିମଗ୍ନ ଥିଲେ । କିଛିବର୍ଷ ପରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ତାଙ୍କ ପତ୍ନୀ ତାଙ୍କର ଯତ୍ନ ନେଇଥିଲେ, ଯାହାଙ୍କର ଶାରୀରିକ ଆବଶ୍ୟକତା ଥିଲା କେବଳ ସ୍ନାନ, ଖାଦ୍ୟ ଏବଂ କିଛି ଘଣ୍ଟା ଶୋଇବା ।
ବର୍ଷ ବର୍ଷ ଧରି କୌଣସି ଆଶା ନରଖି ପତ୍ନୀ ତାଙ୍କୁ ସେବାଯତ୍ନ କରିଚାଲିଥିଲେ । ସେ ଲେଖୁଥିବା ତାଳପତ୍ର ସବୁବେଳେ ହାତରେ ଥାଏ, ରାତି ପାଇଁ ଦୀପରେ ଭଲଭାବରେ ତୈଳ ଭରି ଦିଆଯାଉଥାଏ, ତାଜା ଖାଦ୍ୟ ସବୁବେଳେ ଠିକ୍ ସମୟରେ ପରିବେଷଣ କରାଯାଉଥାଏ ଏବଂ କାମ କରିବା ସମୟରେ କେବେ ତାଙ୍କୁ ଡିଷ୍ଟର୍ବ କରୁନଥିଲେ । ଶେଷରେ ଦିନେ ରାତିରେ ସେ ନିଜର ଭାଷ୍ୟ ସମାପ୍ତ କଲେ । ଭାଚସ୍ପତି ତାଙ୍କ କଲମଟି ତଳେ ରଖିଦେଇ ଛିଡ଼ାହେଲେ । ସେ ଅତ୍ୟନ୍ତ ଆନନ୍ଦିତ ଥିଲେ ସେଦିନ! ଶେଷରେ, ତାଙ୍କ ଜୀବନର ଏକ ମହତ୍ କାର୍ଯ୍ୟର ପରିସମାପ୍ତ ହେଲା । ଅନ୍ଧାର ଆଲୋକରେ ସେ ଦେଖିଲେ ଜଣେ ବୃଦ୍ଧ ମହିଳା କୋଠରି କୋଣରେ ଶୋଇଛନ୍ତି । ସାମାନ୍ୟ ଶବ୍ଦରେ ସେ ନିଦରୁ ଉଠି ବସିପଡ଼ିଲେ । ଭାଚସ୍ପତି ତାଙ୍କୁ ପଚାରିଲେ- କିଏ ତୁମେ ବୃଦ୍ଧା? ଏହି ସମୟରେ ତୁମେ ମୋ କୋଠରିରେ କ’ଣ କରୁଛ? “ମୁଁ ତୁମର ସ୍ତ୍ରୀ, ତୁମେ ମୋତେ ଦଶନ୍ଧି ପୂର୍ବରୁ ବିବାହ କରିଥିଲ । ବର୍ଷ ବର୍ଷ ଧରି ଆପଣ ଲେଖିବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ମୁଁ ଆପଣଙ୍କୁ କେବେ ବିଚଳିତ କରିବାକୁ ଚାହିଁନାହିଁ ।” ଭାଚସ୍ପତି ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାଙ୍କର ସେହି ସୁନ୍ଦର ଯୁବତୀ ସ୍ତ୍ରୀଙ୍କୁ ଅସ୍ପଷ୍ଟ ଭାବରେ ମନେ ପକାଇଲେ, ଯିଏକି ବର୍ତ୍ତମାନ ଏହି ବୃଦ୍ଧ ମହିଳା । ଜାଣିପାରିଲେଣି ପ୍ରକୃତରେ ଏତେ ସମୟ ଅତିବାହିତ ହୋଇସାରିଛି କି? ତା’ପରେ ସେ ଏକ ତୈଳହାଣ୍ଡିରେ ତାଙ୍କ ନିଜର ପ୍ରତିଫଳନ ଦେଖିଲେ ଏବଂ ନିଜକୁ ପ୍ରାୟ ଚିହ୍ନିପାରିଲେ ନାହିଁ- ଏହା ଜଣେ ବୃଦ୍ଧଙ୍କ ଚେହେରା ।
ଭାଚସ୍ପତି ତାଙ୍କ ପତ୍ନୀଙ୍କ ନିକଟକୁ ଯାଇ ତାଙ୍କ ହାତଧରି ନିରୀକ୍ଷଣ କଲେ । ସେ ମନେ ପକାଇଲେ ଯେ, ଏଗୁଡ଼ିକ ସେହି ସମାନ ଆଙ୍ଗୁଳି ଯିଏ ତାଙ୍କ ଖାଦ୍ୟ ପରିବେଷଣ କରିବା ପାଇଁ ଏବଂ ତାଙ୍କ ଦୀପରେ ତୈଳ ଭରିବା ପାଇଁ ତାଙ୍କ ନିକଟକୁ ଆସୁଥାନ୍ତି । ତେଣୁ ସେ ସେହି ହାତ ସହିତ ପରିଚିତ ଥିଲେ, କିନ୍ତୁ ତାଙ୍କ ଚେହେରା ଦେଖିନଥିଲେ କେବେ । ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା । କୋହଭରା କଣ୍ଠରେ କହିଲେ “ମୁଁ ତୁମ ପ୍ରତି ଅନ୍ୟାୟ କରିଛି । ତୁମ ପ୍ରତି ମୋର କୌଣସି କର୍ତ୍ତବ୍ୟ ପୂରଣ କରିବାରେ ସକ୍ଷମ ହୋଇପାରିନାହିଁ, କିନ୍ତୁ ଅନ୍ୟପକ୍ଷରେ ତୁମେ ବିନା ପ୍ରତିବାଦରେ ନିରନ୍ତର ଭାବରେ ବର୍ଷ ବର୍ଷ ଧରି ମୋର ସେବା କରିଚାଲିଛ! ତୁମପରି ଜଣେ ମହିଳା ପାଇ ମୁଁ ଅତ୍ୟନ୍ତ ଭାଗ୍ୟବାନ³ ଯିଏ ମୋତେ ବିନା ସର୍ତ୍ତରେ ଏତେ ପ୍ରେମ ଦେଇଛି, ମୋ ସହ ଏକ ବିଶାଳ ହୃଦୟରେ ବହୁତ ଧୈର୍ଯ୍ୟର ସହ ଜୀବନ ଜିଇଛି! ତୁମେ ବାସ୍ତବରେ ଅତୁଳନୀୟ । ମୁଁ ତୁମର ନାମ କ’ଣ ଜାଣିପାରିବି କି?”
ବୃଦ୍ଧା ଜଣକ ହସିଲେ । କହିଲେ "ମୁଁ ତୁମର ସମସ୍ତ ପରିସ୍ଥିତି ଜାଣି ମଧ୍ୟ ତୁମକୁ ବିବାହ କରିଛି ପ୍ରିୟ ସ୍ୱାମୀ । ମୁଁ ଜାଣେ ଯେ ଯେତେବେଳେ ତୁମେ ଦର୍ଶନରେ ଏତେ ବଡ଼ ଉଚ୍ଚତା ହାସଲ କରିଛ, ଦୟା ଏବଂ ସ୍ନେହ ସହିତ ତୁମର ଯତ୍ନ ନେବାକୁ ତୁମର କେହି ଜଣେ ଆବଶ୍ୟକ ହେବ ଏବଂ ଯାହା କରିବା ମୋର କର୍ତ୍ତବ୍ୟ ମୁଁ ତାହାହିଁ କେବଳ କରିଛି ସ୍ୱାମୀ । ମୋର ନାମ ଭାମତି ।”
ଭାଚସ୍ପତି ତାଙ୍କ ଲେଖୁଥିବା ଡେସ୍କ ନିକଟରେ ଆଣ୍ଠେଇ ପଡ଼ିଲେ, କଲମ ଧରି ନିଜର ଶେଷ ହୋଇଥିବା ଭାଷ୍ୟର ପ୍ରଥମ ପୃଷ୍ଠାକୁ ଖୋଲିଲେ । ଏକ ଉପଯୁକ୍ତ ଆଖ୍ୟା(ଟାଇଟେଲ) ପାଇଁ ଏହି ପୃଷ୍ଠାକୁ ଖୋଲି ରଖାଯାଇଥିଲା । ସେ ତାଙ୍କ ପ୍ରକମ୍ପିତ ହାତରେ ସେଥିରେ ଲେଖିଦେଲେ- ଭାମତି । ଭାଚସ୍ପତି ତାଙ୍କ ପତ୍ନୀ ଆଡ଼କୁ ମୁହଁକରି କହିଲେ "ମୁଁ ଏହି କାମର ନାମ ତୁମ ନାମରେ ରଖିଛି । ଯିଏ ଏହା ପାଠ କରିବେ, ମୋତେ ହୁଏତ ମନେ ରଖିନପାରେ, କିନ୍ତୁ ସେମାନେ ନିଶ୍ଚିତ ଭାବରେ ତୁମକୁ ମନେ ରଖିବେ । ଜଣେ ପୁରୁଷର ପ୍ରତ୍ୟେକ ମହତ୍ କାର୍ଯ୍ୟ ପଛରେ ଜଣେ ମହିଳାଙ୍କର ସର୍ବଦା ନିଃସର୍ତ୍ତ ପ୍ରେମ ରହିଥାଏ । ଏହି ଭାଷ୍ୟ ରଚନା କାର୍ଯ୍ୟ ଅପେକ୍ଷା ମହିଳାମାନେ ବହୁତ ବିଶାଳ ବୋଲି ବିଶ୍ୱକୁ ଜଣାଇବା ପାଇଁ ତୁମ "ନିଃସର୍ତ୍ତ ପ୍ରେମ' ଇତିହାସର ସର୍ବୋତ୍ତମ ଉଦାହରଣ ହେବ'