ଈଶ୍ୱର ଏକମାତ୍ର ସତ୍ୟ । ଇଂରାଜୀରେ କୁହାଯାଏଞକ୍ସଙ୍କଗ୍ଧଷ ସଗ୍ଦ ଏକ୍ଟୟ । କିନ୍ତୁ ଏହି ସତ୍ୟ ଯଦି କେବଳ କେତୋଟି ଶବ୍ଦରେ ପାଇଯାଇ ହେବ, ତେବେ ତ ଭାଷାଶାସ୍ତ୍ରୀ ଧର୍ମଶାସ୍ତ୍ରୀ ହୋଇଯାଇ ପାରିବେ । ଯଦି ଶବ୍ଦର ଶିଡ଼ିରେ ଚଢ଼ି ସତ୍ୟ ନିକଟରେ ପହଞ୍ଚିଯାଇ ହୁଅନ୍ତା ତେବେ ବ୍ୟାକରଣ ଯଥେଷ୍ଟ, ଯୋଗ ଧ୍ୟାନର ଆଦୌ କୌଣସି ଆବଶ୍ୟକତା ନାହିଁ । କେବଳ ଶୁଦ୍ଧ ଭାଷା ହିଁ ମାର୍ଗ ହୋଇଯାଇ ପାରନ୍ତା । କିନ୍ତୁ ସତ୍ୟର ଶବ୍ଦ ସହ କୌଣସି ସମ୍ବନ୍ଧ ନାହିଁ ନା ଭାଷା ସହ କୌଣସି ସମ୍ବନ୍ଧ । କିନ୍ତୁ କୌତୁହଳର କଥା ହେଲା- ଆଜିକାର ଧର୍ମ ଭାଷା ଭିତରେ ହିଁ ବନ୍ଦୀ । ସତ୍ୟ ସିଦ୍ଧାନ୍ତର କାରାଗୃହରେ ବନ୍ଦ ହୋଇଯାଇଛି । ଆଉ ଲୋକମାନଙ୍କର ଧାରଣା ହୋଇଯାଇଛି ଜୀବନରେ ଯାହା ଜାଣିବାର କଥା ତାହା ଶାସ୍ତ୍ର ପଢ଼ିବା ଦ୍ୱାରା ମିଳିଯାଇ ପାରିବ । ତଥାକଥିତ ପଣ୍ଡିତ ଧର୍ମଗୁରୁମାନେ ଲୋକଙ୍କୁ ବୁଝାଇ ଦେଇଛନ୍ତି ଯେ, ଅମୁକ ଶାସ୍ତ୍ର ଦୈନନ୍ଦିନ ପଢ଼ିନିଅ- ଗୀତା ଭାଗବତ ବାଇବେଲ୍, କୋରାନ୍ । ତେବେ ତୁମେ ଧାର୍ମିକ ହେବା ସହ ଈଶ୍ୱରଙ୍କ ସହ, ସତ୍ୟ ସହ ତୁମର ସମ୍ବନ୍ଧ ସ୍ଥାପନ ହୋଇଯାଇ ପାରିବ । ପୂରାପୂରି ମିଛ । ଭ୍ରାନ୍ତ ଧାରଣା ।
ଭ୍ରାନ୍ତ ଧାରଣା ଏଇଥିପାଇଁ ଯେ, ସତ୍ୟକୁ ପ୍ରାପ୍ତ ହେବା ଅତି କଠିନ କାର୍ଯ୍ୟ ଅଥଚ ଶବ୍ଦକୁ ବୁଝିନେବା ବଡ଼ ସହଜ । କେହିବି ବୁଝିନେଇ ପାରିବ । ସତ୍ୟର ବ୍ୟାକରଣ ବଡ଼ କଠିନ । ଶବ୍ଦର ବ୍ୟାକରଣ ବଡ଼ ସୁଗମ । ସତ୍ୟଯାଏଁ ଯିବାର ଯଦି ଅଛି, ତେବେ ଜୀବନର ବ୍ୟାକରଣକୁ ବଦଳାଇବାକୁ ପଡ଼ିବ । ଶବ୍ଦକୁ ବୁଝିନେବା ପାଇଁ ଭାଷା ବିଜ୍ଞାନ ପର୍ଯ୍ୟାପ୍ତ । ଭାଷାର ଶିକ୍ଷା ଦିଆଯାଇ ପାରେ । କିନ୍ତୁ ଧର୍ମର କୌଣସି ଶିକ୍ଷା ହୋଇନପାରେ । ଭାଷାକୁ ଅନ୍ୟ ଜଣେ ବୁଝାଇ ଦେଇପାରେ ହେଲେ ଧର୍ମକୁ ଅନ୍ୟଦ୍ୱାରା ବୁଝାଇବାର କୌଣସି ଉପାୟ ନାହିଁ । ଧର୍ମ ହେଲା ମୂକ, ଗୁଙ୍ଗାର ଗୁଡ଼ ପରି । ଯିଏ ଏହାର ସ୍ୱାଦ ପାଇଗଲା ସେ ଗୁଙ୍ଗା ହୋଇଗଲା । ସେ ସ୍ୱାଦ କେମିତି, ସେ ମିଠା କେମିତି କହିବା ଯେତିକି ମୁସ୍କିଲ୍ କାମ ବତେଇବା ବି ତା ଠାରୁ ମୁସ୍କିଲ୍ ବ୍ୟାପାର । ସେ ସମ୍ବନ୍ଧରେ କିଛି କହିବାର ସରଳ ଉପାୟ ନାହିଁ । ଆଉ ଯିଏ କହିଲା ଜାଣିନେବ ଯେ ସେ ଜାଣିନାହିଁ । ଗୋଟେ ସମୟରେ କୃଷ୍ଣ ବି କହିଥିଲେ, ବୁଦ୍ଧ ବି କହିଥିଲେ । କିନ୍ତୁ ଯାହା ସେମାନେ କୁହନ୍ତି ତାହା ଧର୍ମ ନୁହେଁ । ତାହା କେବଳ ଧର୍ମଯାଏଁ ପହଞ୍ଚିବାର ଇଙ୍ଗିତ ମାତ୍ର । ତାହା କେବଳ ରାସ୍ତାକଡ଼ର ଦୂରତ୍ୱ ଜଣେଇବାର ପଥର ଚିହ୍ନ । କିନ୍ତୁ କେହି ଯଦି ସେ ପଥରକୁ ଗନ୍ତବ୍ୟସ୍ଥଳ ଭାବି, ମନ୍ଦିର ଭାବି ସେହିଠାରେ ବସିଯାଏ ତେବେ ସେ ପଥ ହୁଡ଼ିଲା ।
କୋରାନ୍ ପାଖରେ, ଗୀତା ପାଖରେ ଯିଏ ମଥା ଥାପି ବସିଛନ୍ତି ସେମାନେ ଏହି ରାସ୍ତା ପାଶ୍ୱର୍ର ଦୂରତ୍ୱ ଚିହ୍ନିତ ପଥର ପାଖରେ ମନ୍ଦିର ଭାବି ବସି ଯାଇଛନ୍ତି । ସେମାନେ ଜୀବନସାରା ସେହିଠାରେ ରହିଯିବେ । ସମସ୍ତ ଶାସ୍ତ୍ର ଇଙ୍ଗିତ କେବଳ କରିଥାଆନ୍ତି- ଶୂନ୍ୟ ଆଡ଼କୁ । କିନ୍ତୁ ଶୂନ୍ୟର କୌଣସି ଶାସ୍ତ୍ର ହୋଇପାରେନା । ସମସ୍ତ ଶାସ୍ତ୍ର କହିଥାଆନ୍ତି- ମୌନ ହୋଇଯାଅ । କିନ୍ତୁ ମୌନକୁ ପ୍ରକଟ କରିବା ପାଇଁ କୌଣସି ଶବ୍ଦ ତ ନାହିଁ । ଆଉ ଏକ କଥା ହେଲା- ତୁମେ କ’ଣ କହୁଛ ତାହା ପ୍ରଶ୍ନ ନୁହେଁ । କ'ଣ ତୁମର ଭାବ ଏହାହିଁ ବଡ଼ ପ୍ରଶ୍ନ । ଦେଖାଯାଏ ଗାଁ ଗାଁ, ସହର ସହର ବୁଲି ଆଜିକାର ଛଦ୍ମବେଶୀ ଧାର୍ମିକ ବ୍ୟକ୍ତିବିଶେଷ ପ୍ରବଚନ ଦେବାରେ ଲାଗିଛନ୍ତି । ତୁମେମାନେ କ'ଣ ଭାବୁଛ ଏମାନେ ପ୍ରତ୍ୟେକ ଧାର୍ମିକ ବ୍ୟକ୍ତି? ଏମାନେ ଈଶ୍ୱର ଉପଲବ୍ଧ ମଣିଷ? ଏମାନେ ଐଶ୍ୱରୀୟ ଭାବରେ ଜଡ଼ସଡ଼? ନା, ଏମାନେ ଧର୍ମର ବେପାରୀ । ଏମାନଙ୍କର ମୁଖନିଃସୃତ ପ୍ରବଚନ ଏବଂ ଅନ୍ତଃକରଣର ଭାବରେ ଆକାଶ ପାତାଳ ଫରକ । ବାଲସେମ ନାଁରେ ଜଣେ ୟୁହୁଦୀ ଫକୀର ଥିଲେ । ୟୁହୁଦୀଙ୍କର ପବିତ୍ର ଦିନରେ ସେ କିଛି କହୁଥିଲେ ।
କହିସାରିବା ପରେ ନିୟମାନୁସାରେ ପ୍ରାର୍ଥନା ପାଇଁ ଦୁଇ ମିନିଟ୍ ଉପସ୍ଥିତ ସଭିଏଁ ଆଖିମୁଦି ଛିଡ଼ା ହେଲେ । ଯଥେଷ୍ଟ ସମୟ ଗଡ଼ିଗଲା । ବାଲସେମ ସେମିତି ଆଖି ବନ୍ଦ କରି ଛିଡ଼ା ହୋଇଥାଆନ୍ତି । କିଛି ସମୟ ପରେ ଲୋକମାନେ ଘବରେଇ ଗଲେ । ଆମେ ଯେମିତି କାହାରି ଅମର ଆତ୍ମା ପାଇଁ ଦୁଇ ମିନିଟ୍ ସଭା ସମିତିରେ ଆଖି ମୁଦି ଛିଡ଼ା ହୋଇଥାଉ । ଯେହେତୁ ମୌନତାରେ ଛିଡ଼ା ହେବାର ଆମର ଅଭ୍ୟାସ ଆଦୌ ନାହିଁ । ତେଣୁ ବାଲସେମ ଯେବେ ପ୍ରାୟ ଘଣ୍ଟାଏ କାଳ ଆଖି ନଖୋଲି ସେମିତି ଛିଡ଼ା ହୋଇଥାଆନ୍ତି, ଉପସ୍ଥିତ ଲୋକମାନେ ମଧ୍ୟ ଛିଡ଼ାହୋଇ ରହିଥାଆନ୍ତି । ସେଠାକାର ନିୟମାନୁସାରେ ଯେତେବେଳ ପର୍ଯ୍ୟନ୍ତ ବାଲସେମ ତାଙ୍କର ପ୍ରାର୍ଥନା ଶେଷ କରି ନାହାନ୍ତ କେହି ଯାଇପାରୁନଥାନ୍ତି ।
ବାଲସେମ ସେଇମିତି ଆଖି ବନ୍ଦ କରି ଛିଡ଼ା ହୋଇଥାଆନ୍ତି । ଏକଘଣ୍ଟା ଏଣେ ବିତିଗଲାଣି । ଏହା ପୂର୍ବରୁ କେବେବି ବାଲସେମ ଏପରି କରିନଥିଲେ । ବାଲସେମ ଜଣେ ସିଦ୍ଧପୁରୁଷ ଥିଲେ । ଲୋକେ ମଧ୍ୟ ତାଙ୍କୁ ବହୁତ ଆଦର କରୁଥିଲେ । ଯେବେ ବାଲସେମ ଆଖି ଖୋଲିଲେ ସାମ୍ନାରେ ଛିଡ଼ା ହୋଇଥିବା ଧୈର୍ଯ୍ୟଚ୍ୟୁତ ବୃଦ୍ଧ ମଣିଷ ବାଲସେମଙ୍କୁ ପଚାରିଲା- ଦୁଇ ମିନିଟ୍ର ପ୍ରାର୍ଥନାକୁ ତୁମେ ଗୋଟାଏ ଘଣ୍ଟା ଲଗେଇଦେଲ! ଏତେ ସମୟ କ'ଣ କରୁଥିଲ?
ବାଲସେମ କହିଲେ- ମୁଁ କ’ଣ କରିବି? ମୁଁ ନିଜେ ବଡ଼ ହଇରାଣରେ ପଡ଼ିଯାଇଥିଲି । ଆଜି ଆମର ଏହି ପ୍ରାର୍ଥନା ସଭାକୁ କେହି ଜଣେ ବିନା ପଢ଼ାଲେଖା ଅପାଠୁଆ ମଣିଷଟେ ଆସିଯାଇଛି । ଆଉ ସେହି ଅପାଠୁଆ ମଣିଷଟି ବଡ଼ ଓଲଟା ପ୍ରାର୍ଥନା କରିଦେଲା । ସେ ପଢ଼ାଲେଖା ଜାଣେନାହିଁ । ତାକୁ ପ୍ରାର୍ଥନା ମଧ୍ୟ ଜଣାନାହିଁ । ପ୍ରାର୍ଥନାର ଶବ୍ଦ ତାକୁ ଆଦୌ ମାଲୁମ ନାହିଁ । ଆଉ ସେହି ଦୁଇ ମିନିଟ୍ର ପ୍ରାର୍ଥନା ସମୟରେ ସେ ଛିଡ଼ା ହୋଇ ପରମାତ୍ମାଙ୍କୁ କହିଲା ମୋତେ ପ୍ରାର୍ଥନା ଜଣାନାହିଁ । ମୁଁ କେବଳ ବର୍ଣ୍ଣମାଳା ଜାଣିଛି- ଅ, ଆ, କ, ଖ, ଗ, ଘ, ହ, କ୍ଷ ଇତ୍ୟାଦି । ତ, ମୁଁ ସେହିସବୁ ବର୍ଣ୍ଣମାଳାକୁ ଦୋହରାଇ ଦେଉଛି ଆଉ ବାକି ପ୍ରାର୍ଥନା ତୁ ନିଜେ ବନେଇ ନେ । ତୋତେ ତ ସବୁକିଛି ଜଣା । ଆଉ ମୋ ଭାବକୁ ତୁ ଭଲ ଭାବରେ ଜାଣିଛୁ ।
ବାଲସେମ କହୁଥିଲେ- ଆଉ ଏକଥା ଶୁଣିବା ପରେ ଭଗବାନଙ୍କୁ ପ୍ରାୟ ଘଣ୍ଟାଏ ଲାଗିଗଲା ପ୍ରାର୍ଥନାକୁ ଜମେଇବା ପାଇଁ । ଆଉ ଯେତେବେଳ ଯାଏଁ ଭଗବାନ ପ୍ରାର୍ଥନାକୁ ଯୋଡ଼ି ପାରୁନଥିଲେ ମୁଁ ବା କେମିତି ଆଖି ଖୋଲି ପାରିଥାଆନ୍ତି? କିନ୍ତୁ ଆଜିଯାଏଁ ଭଗବାନଙ୍କ ଉପରେ ଏପରି କାମ କେହି ଦେଇନଥିଲେ । ଏଠାରେ କିଏ ସେହି ମଣିଷ ଅଛି ଯିଏ ଭଗବାନଙ୍କୁ କେବଳ ବର୍ଣ୍ଣମାଳା ଦେଇ ନିଜପାଇଁ ପ୍ରାର୍ଥନା ବନେଇ ଦେବାକୁ କହିପାରିଲା? ଉପସ୍ଥିତ ମଣିଷଙ୍କ ଭିତରୁ ଜଣେ ଉପରକୁ ହାତ ଉଠେଇଲା । କହିଲା- ମୋତେ କ୍ଷମା କରିବ । ମୁଁ ସେହି ମୂର୍ଖ ମଣିଷ । କଥା କ’ଣ କି ମୁଁ ଯେଉଁ ଗାଁରୁ ଆସିଛି ସେଠାରେ କୌଣସି ମନ୍ଦିର ନାହିଁ କି କେହି ପୂଜାରୀ ନାହାନ୍ତି । ମୋତେ କେହି କେବେ କିଛି ପ୍ରାର୍ଥନା ମଧ୍ୟ ଶିଖେଇ ନାହାନ୍ତି । ଯେବେ ସମସ୍ତେ ଆଖି ବନ୍ଦ କରି ପ୍ରାର୍ଥନା କଲେ ମୁଁ ଭାବିଲି ମୁଁ କ’ଣ କରିବି? ତେଣୁ ମୁଁ ଭଗବାନଙ୍କୁ କହିଲି- ତୁ ତ ସବୁ ଜାଣିଛୁ । ମୁଁ ବର୍ଣ୍ଣମାଳା ପୂରା ବୋଲି ଦେଉଛି । ତା’ ଭିତରେ ପ୍ରାର୍ଥନାର ସମସ୍ତ ଶବ୍ଦ ନିଶ୍ଚୟ ଆସିଥାଏ । ତୁ ନିଜେ ପ୍ରାର୍ଥନା ଯୋଡ଼ିନେ।
ଶବ୍ଦ ନୁହେଁ, ତୁମର ଭାବ ହେଲା ମୂଲ୍ୟବାନ । ଭାବରେ ବର୍ଣ୍ଣମାଳା ବି ମନ୍ତ୍ର ହୋଇଯାଏ । ଆଉ ଭିତରେ ଯଦି ଭାବନାହିଁ ତେବେ ତୁମର ମହାମନ୍ତ୍ର ମଧ୍ୟ ପାଉଁଶ ମୁଠାଏ । ତା’ ଭିତରେ କୌଣସି ଜୀବନ ନାହିଁ । ଆଉ ଧର୍ମର ସମ୍ବନ୍ଧ ହେଲା- କ’ଣ ତୁମେ ଭାବୁଛ ସେଥିରେ ନାହିଁ । ତୁମେ ନିଜେ କ'ଣ, ତୁମର ଭାବଦଶା କ'ଣ, ତୁମର ହୃଦୟ କିପରି- ସେଇଥିରେ ଥାଏ ଧର୍ମ । ତୁମ ମୁଣ୍ଡ ଭିତରେ କେତେ ବିଚାର ଅଛି, କେତେ ତର୍କ ଅଛି, କେତେ ବୁଝିବାର ଶକ୍ତି ଅଛି, ଧର୍ମ ବଜାରରେ ଏହାର କୌଣସି ମୂଲ୍ୟ ନାହିଁ । ତୁମ ହୃଦୟରେ କେତେ ଶୋଷ ଅଛି, କେତେ ପ୍ରାର୍ଥନା ଅଛି, ଭଗବାନଙ୍କ ପାଇଁ କେତେ ପ୍ରେମ ଅଛି? ପରମାତ୍ମାଙ୍କୁ ପାଇବା ପାଇଁ ତୁମ ବୁଦ୍ଧିର, ତୁମ ପାଣ୍ଡିତ୍ୟର, ତୁମ ଶବ୍ଦର କୌଣସି ସଂପତ୍ତି କାମରେ ଆସିବ ନାହିଁ । ସେସବୁ ହେଲା ଅଚଳନ୍ତି ମୁଦ୍ରା । ସେଠାରେ ପଣ୍ଡିତ, ଜ୍ଞାନୀ ପଛରେ ପଡ଼ି ଯାଇଥାଆନ୍ତି, ହେଲେ କେବେ କେବେ ହୃଦୟପୂର୍ବକ ଅଜ୍ଞାନ, ମୂର୍ଖ ମଣିଷଟିଏ ପ୍ରବେଶ କରିଯାଇଥାଏ ।