ପ୍ୟାରିସ୍,୨୮/୫: ଚଳିତ ଫ୍ରେଞ୍ଚ ଓପନର ଦ୍ୱିତୀୟ ଦିବସରେ ବିଶାଳ ବିପର୍ଯ୍ୟୟ ଘଟିଛି । ରୋଲାଣ୍ଡ ଗ୍ୟାରସ୍ର କ୍ଲେ କୋର୍ଟରେ ଦୀର୍ଘ ବର୍ଷ ଧରି ରାଜୁତି କରିବା ସହ ରେକର୍ଡ ୧୪ଥର ଚାମ୍ପିଅନ୍ ହୋଇଥିବା ରାଫେଲ ନାଦାଲ ପ୍ରଥମ ରାଉଣ୍ଡ୍ରେ ପରାଜିତ ହୋଇ ବିଦାୟ ନେଇଛନ୍ତି। ଅନ୍ୟ ତାରକା ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ବର୍ଗରେ ଟପ୍ ସିଡ୍ ଇଗା ସ୍ୱିଟେକ, ତୃତୀୟ ସିଡ୍ କୋକୋ ଗୌଫ, ପୁରୁଷ ବର୍ଗରେ ଷ୍ଟିଫାନସ ସିସିପାସ, କାର୍ଲୋସ ଅଲ୍କାରାଜ, ଜାନିକ ସିନର, ଆଲେକଜାଣ୍ଡର ଭେରେଭ ପ୍ରମୁଖ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି ।
ମହିଳା ସିଙ୍ଗଲ୍ସ: ଟପ ସିଡ ସ୍ୱିଟେକ ମାତ୍ର ୬୧ ମିନିଟ୍ ମଧ୍ୟରେ କ୍ୱାଲିଫାୟର ଲିଓଲିଆ ଜିନଜିନଙ୍କୁ ହରାଇଥିଲେ । ସ୍ୱିଟେକ ଏହି ମ୍ୟାଚ୍ରେ ୬ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ଅଷ୍ଟମ ସିଡ୍ ଜାବେଓର ୬-୩, ୬-୨ ସେଟ୍ରେ ସାଚିଆ ଭିକେରିଙ୍କୁ ପରାସ୍ତ କରିଥିବାବେଳେ ଗୌଫ ୬-୧, ୬-୧ ସେଟ୍ରେ ଜୁଲିଆ ଆବଡିଭାଙ୍କୁ ହରାଇଥିଲେ । ଗୌଫଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ମାତ୍ର ୫୨ମିନିଟ୍ ଲାଗିଥିଲା । ପଞ୍ଚମ ସିଡ୍ ମର୍କେଟା ଭଣ୍ଡ୍ରୁସୋଭା ୬-୧, ୬-୩ ସେଟ୍ରେ ରେବେକା ମାସାରେଭାଙ୍କୁ, ଡାନିଏଲା କଲିନ୍ସ ୬-୩, ୬-୪ ସେଟ୍ରେ କାରୋଲିନ୍ ଡୋଲେହାଇଡଙ୍କୁ, ଜସ୍ମିନ ପାଓଲିନ୍ ୬-୩, ୬-୪ ସେଟ୍ରେ ଡାରିଆ ସେଭିଲଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୈଲା ଫର୍ଣ୍ଣାଣ୍ଡେଜ, ଆନାସ୍ତାସିଆ ପାବ୍ଲ୍ୟୁଚେନକୋଭା, ଲୁଡମିଲା ସାମସୋନୋଭା ଆନାସ୍ତାସିଆ ପୋଟାପୋଭା ପ୍ରମୁଖ ସହଜ ବିଜୟ ହାସଲ କରିଥିଲେ ।
ପୁରୁଷ ସିଙ୍ଗଲ୍ସ: କ୍ଲେ କୋର୍ଟ କିଙ୍ଗ୍ ନାଦାଲଙ୍କ ପରାଜୟ ଦ୍ୱିତୀୟ ଦିବସର ବଡ଼ ବିପର୍ଯ୍ୟୟ ରହିଥିଲା । ଅବଶ୍ୟ ଦୀର୍ଘ ଦିନ ପରେ ଫିଟ୍ ହୋଇ କୋର୍ଟକୁ ଓହ୍ଲାଇଥିଲେ ନାଦାଲ । ଏଥର ତାଙ୍କୁ କୌଣସି ମାନ୍ୟତା ମିଳି ନଥିଲା । ପ୍ରଥମ ରାଉଣ୍ଡ୍ରେ ତାଙ୍କୁ ଚତୁର୍ଥ ସିଡ୍ ଆଲେକଜାଣ୍ଡର ଭେରେଭଙ୍କୁ ସାମ୍ନା କରିବାକୁ ପଡ଼ିଥିଲା । ପୂର୍ବରୁ ଉଭୟ ୨୦୨୨ ସେମି ଫାଇନାଲ୍ରେ ଉଭୟ ପରସ୍ପରକୁ ଭେଟିଥିଲେ । ଭେରେଭ ଉକ୍ତ ମ୍ୟାଚ ବେଳେ ଗୁରୁତର ଆହତ ହୋଇ ବିଦାୟ ନେଇଥିଲେ । ନାଦାଲ ପରେ ଫାଇନାଲ୍ ଜିତି କ୍ୟାରିୟର୍ର ୨୨ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କରିଥିଲେ । ୨ବର୍ଷ ପରେ ଉଭୟଙ୍କ ମଧ୍ୟରେ ପୁନର୍ବାର ଭେଟ ହୋଇଥିଲା । ଏଥର ବାଜି ମାରି ନେଇଥିଲେ ଭେରେଭ । ବିଶ୍ୱର ତୃତୀୟ ଖେଳାଳି ଭାବେ ଭେରେଭ ରୋଲାଣ୍ଡ ଗ୍ୟାରସ୍ରେ ନାଦାଲଙ୍କୁ ହରାଇଥିଲେ ।
ସୋମବାର ଉଭୟଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହେବ ବୋଲି ଆଶା କରାଯାଉଥିଲା । ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ନୋଭାକ ଜୋକୋଭିକ୍, ଇଗା ସ୍ୱିଟେକ ପ୍ରମୁଖ ଗ୍ୟାଲେରୀରେ ବସି ନାଦାଲଙ୍କୁ ଉତ୍ସାହିତ କରିଥିଲେ । ମାତ୍ର ଭେରେଭ ଚମତ୍କାର ଖେଳ ପ୍ରଦର୍ଶନ କରି ୬-୩, ୭-୬(୭-୫), ୬-୩ ସେଟ୍ରେ ବିଜୟ ହାସଲ କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଭେରେଭଙ୍କୁ ୩ଘଣ୍ଟା ୫ ମିନିଟ୍ ଲାଗିଥିଲା । ଅନ୍ୟ ମ୍ୟାଚ ଗୁଡ଼ିକରେ ଯଥାକ୍ରମେ ଦ୍ୱିତୀୟ ସିଡ୍ ତଥା ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ୍ ଜାନିକ ସିନର ୬-୩, ୬-୩, ୬-୪ ସେଟ୍ରେ ଖ୍ରୀଷ୍ଟୋଫର ୟୁବାଙ୍କ୍ସଙ୍କୁ ପରାସ୍ତ କରିଥିବାବେଳେ ନବମ ସିଡ୍ ସିସିପାସ୍ ୭-୬(୯-୭), ୬-୪, ୬-୧ ସେଟ୍ରେ ମାର୍ଟନ ଫସକୋଭିକ୍ସଙ୍କୁ ହରାଇଥିଲେ । ୧୮ତମ ସିଡ୍ କାରେନ କାଚାନୋଭ ୬-୨, ୬-୦, ୭-୬(୭- ୫) ସେଟ୍ରେ ଭାରତର ସୁମିତ ନଗଲଙ୍କୁ ପରାସ୍ତ କରିଥିବାବେଳେ ଫେଲିକ୍ସ ଅଗର-ଆଲିଆସେମ ୬-୨, ୬-୪, ୬-୪ ସେଟ୍ରେ ୟୋଶିହିତୋ ନିଶିଓକା୍କୁ ହରାଇଥିଳେ । ଆନ୍ଦ୍ରେ ସେଭଚେଙ୍କୋ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଅସଲାନ କାରାସେଭଙ୍କୁ ୬-୪, ୪-୬, ୧-୬, ୬-୧, ୬-୪ ସେଟ୍ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ ।