ନୂଆଦିଲ୍ଲୀ,୨୧/୦୨: ଆଉ ନାହାଁନ୍ତି ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜୋଙ୍ଗ ଚାଙ୍ଗ । ୧୦୨ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ପୁଅ ଏବଂ ନାତିନାତୁଣୀ ଅଛନ୍ତି। ଚାଙ୍ଗ ୧୯୪୯ ମସିହାରେ ଉତ୍ତର ପୂର୍ବ ସୀମାନ୍ତ ଏଜେନ୍ସି ଅଧୀନରେ ଥିବା ଟୁଏନସାଙ୍ଗ ସୀମାନ୍ତ ଏଜେନ୍ସିରେ ନିଯୁକ୍ତ ପ୍ରଥମ ଅନୁବାଦକ ଥିଲେ । ପରେ ତାଙ୍କୁ 'ମୁଖ୍ୟ ଅନୁବାଦକ' ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ୧୯୫୭ ମସିହାରେ, ତାଙ୍କୁ ନବଗଠିତ ଗ୍ରାମ ରକ୍ଷକ ସଂଗଠନର ସମ୍ମାନଜନକ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା। ୧୯୬୫ ମସିହାରେ, ତାଙ୍କୁ ଡେପୁଟି କମିଶନରଙ୍କ ଦ୍ୱିତୀୟ ଶ୍ରେଣୀ ରାଜନୈତିକ ସହାୟକ ଭାବରେ ପଦୋନ୍ନତି ଦିଆଯାଇଥିଲା ଏବଂ ଜୁନ୍ ୧୯୯୧ ମସିହାରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ।
ଏହା ମଧ୍ୟ ପଢନ୍ତୁ- FBI ନୂଆ ନିର୍ଦ୍ଦେଶକ କାଶ୍ ପଟେଲ୍, ଆମେରିକା ସିନେଟ୍ ଦେଲା ମଞ୍ଜୁରୀ
ଅବସର ପରେ, ତାଙ୍କୁ ୧୯୯୧ ରୁ ୧୯୯୩ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ନାଗାଲାଣ୍ଡ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବରେ ପୁନଃନିଯୁକ୍ତ କରାଯାଇଥିଲା। କେଜୋଙ୍ଗ ଚାଙ୍ଗ ୧୯୯୮ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ତୁଏନସାଙ୍ଗ ସଦର-୨ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ। ୨୦୦୭ ଏବଂ ୨୦୦୯ ଉପନିର୍ବାଚନରେ ସେ ଦୁଇଥର ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କ ମୃତଦେହକୁ ତାଙ୍କ ଜନ୍ମମାଟି ଗାଁ ତୁଏନସାଙ୍ଗରେ କବର ଦିଆଯିବ। ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଏବଂ ଉପମୁଖ୍ୟମନ୍ତ୍ରୀ ୟାନ୍ଥୁଙ୍ଗୋ ପାଟନ୍ ଚାଙ୍ଗଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।