ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଜି ବିଦାୟ ନେବ ଆଷାଢ; ବିକଳ ସ୍ଥିତିରେ ହୀରାକୁଦ

ସମ୍ବଲପୁର, ୨୧/୭ : ରବିବାର ଗୁରୁପୂର୍ଣ୍ଣିମା । ବିଦାୟ ନେବ ଆଷାଢ଼ । ସୋମବାରଠାରୁ ଶ୍ରାବଣ ଆରମ୍ଭ । ହେଲେ ଏବେ ବି ଶୁଖିଲା ପଡ଼ିଛି କ୍ଷେତ । ବର୍ଷାର ଲୁଚକାଳି ଖେଳ ଯୋଗୁଁ ବୁଣାରୁ ଆରମ୍ଭ କରି ପହ୍ଲାରୁଆ ସବୁ କିଛି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଚାଷ ଆରମ୍ଭ ନ ହେଉଣୁ କେନାଲ ଓ ଉଠା ଜଳସେଚନକୁ ଭରସା କଲାଣି ଚାଷୀ । ଏଭଳି ସ୍ଥିତିରେ ଅଧା ଓଡ଼ିଶାର ଜଳସେଚନ ଓ ପାନୀୟ ଜଳର ଏକମାତ୍ର ଭରସା ହୀରାକୁଦ ଜଳଭଣ୍ଡାରର ବିକଳ ଚିତ୍ର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଗତବର୍ଷ ଏହି ସମୟରେ ହୀରାକୁଦର ଜଳସ୍ତର ୬୧୧ ଫୁଟ୍‌ ଉପରେ ଥିଲା । ହେଲେ ଶନିବାର (୨୦ ଜୁଲାଇ)ରେ ୬୦୧ ଫୁଟ୍‌ ତଳେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଗତବର୍ଷ ଜୁଲାଇ ୨୩ରେ ଜଳସ୍ତର ୬୧୪ ଫୁଟ୍‌ ଟପିଥିବା ବେଳେ ସେହିଦିନ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା । କିନ୍ତୁ ଚଳିତବର୍ଷ ବନ୍ୟାଜଳ ନିଷ୍କାସନ ତ ଦୂରର କଥା କେନାଲ ଜଳସେଚନ ଚିନ୍ତା ଘନେଇଲାଣି । ଦୀର୍ଘ ବର୍ଷ ପରେ ଏବର୍ଷ ଅଣମୌସୁମୀ ଅବଧି ସାରା ହୀରାକୁଦରେ ପ୍ରାୟ ୪ରୁ ୫ ଫୁଟ୍‌ ପର୍ଯ୍ୟନ୍ତ ଅଧିକ ପାଣି ରହି ଆସିଥିଲା । 

ହେଲେ ମୌସୁମୀ ଉଭାନ ମାରିବା ପରେ ସ୍ଥିତି ଓଲଟିଯାଇଛି । ଜୁଲାଇରୁ ଧୀରେ ଧୀରେ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳିଛି । ସ୍ଥିତିକୁ ଦେଖି କିଛିଦିନ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଓଏଚ୍‌ପିସିକୁ କମ୍‌ ପାଣି ଯୋଗାଣ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଥିଲେ । ଯଦ୍ୱାରା ଉଭୟ ବୁର୍ଲା ଏବଂ ଚିପିଲିମାରୁ ମୋଟ୍‌ ଉତ୍ପାଦନ ୨୫ ମେଗାୱାଟ୍‌ ତଳକୁ ଖସି ଆସିଥିଲା । ହେଲେ ଦୁଇ ସପ୍ତାହ ତଳେ ଉପରମୁଣ୍ଡରୁ ପ୍ରାୟ ୨୦ରୁ ୫୦ ହଜାର କ୍ୟୁସେକ୍‌ ପାଣି ଆସିବାରୁ ସ୍ଥିତି ସାମାନ୍ୟ ସୁଧୁରିଥିଲା । ଜଳସ୍ତର ୬୦୦ ଫୁଟ୍‌ରୁ ୬୦୨ ଯାଏ ଛୁଇଁଥିଲା । ଇତିମଧ୍ୟରେ ବନ୍ଧ କର୍ତ୍ତୃପକ୍ଷ ପାୱାର୍‌ ହାଉସ୍‌କୁ ୨୫ ହଜାରରୁ ୨୮ ହଜାର କ୍ୟୁସେକ୍‌ ଯାଏ ପାଣି ଛାଡ଼ିବାରୁ ଜଳସ୍ତର ପୁଣି ୬୦୦କୁ ଖସି ଆସିଥିଲା । ଏବେ ୬୦୧ ଫୁଟ୍‌ ଭିତରେ ଜଳ ଥିବାରୁ ପୁଣି ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଜଳଭଣ୍ଡାରର ପାଣି ଉପରେ ନିର୍ଭର କରି ଉପରମୁଣ୍ଡରେ ପ୍ରାୟ ୮ଟି ବୃହତ ଉଠାଜଳସେଚନ ପ୍ରକଳ୍ପରୁ ଆରମ୍ଭ କରି ଏକାଧିକ ପାନୀୟ ଜଳ ପ୍ରକଳ୍ପ ରହିଛି । ତଥାପି ସେହି ଅନୁପାତରେ ପାଣି ଉପରମୁଣ୍ଡରୁ ଆସୁ ନ ଥିବାରୁ ଜଳସ୍ତର ବୃଦ୍ଧି ହେଉନାହିଁ । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୦୦.୮୯ ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩୦୭୧୭ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି । ଏହାଛଡା ପାୱାର ହାଉସ୍‌କୁ ୮୬୬୯ କ୍ୟୁସେକ୍‌ ଯୋଗାଣ ହେଉଥିବା ବେଳେ ଜଳସେଚନ ବାବଦକୁ ୪୨୭୨ କ୍ୟୁସେକ୍‌ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍‌ ୧୩,୨୧୬ କ୍ୟୁସେକ୍‌ ଜଳ ଯୋଗାଣ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.