ଧାନକିଣାରେ ମିଲର୍ସଙ୍କ ମନମାନି, କଟ୍ନୀ ଛଟ୍ନୀ । ଫସଲ ବୀମା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ । ମଣ୍ଡିରେ ହଟହଟା । ଦହଗଞ୍ଜ ଅନ୍ନଦାତା। ଚାଷୀର ନିଷ୍ଠା, ପରିଶ୍ରମକୁ ନାହିଁ ସମ୍ମାନ । ଅମଳ ସାମଗ୍ରୀର ମିଳୁନି ହକ୍ ମୂଲ୍ୟ । ଚାଷୀର ଦୁଃଖ ଓ ଯନ୍ତ୍ରଣାକୁ କିଏ ବା ବୁଝୁଛି? ଭୋଟ ପାଇଁ ଖାଲି ପ୍ରତିଶ୍ରୁତିର ମାୟା କୁହୁଡ଼ି ।
ଖୁସି ମିଳେଇଗଲା । ଭାସିଗଲା ସ୍ୱପ୍ନ । ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ଚାଷୀର ଦୁଃଖ କହିଲେ ନସରେ । ଧାନକ୍ଷେତର ଯନ୍ତ୍ରଣାରୁ ବଳିଗଲାଣି ମଣ୍ଡି ଅବ୍ୟବସ୍ଥା । ଅନ୍ନଦାତାଙ୍କ ଆଖିରେ ଲୁହ । ଧାନ ଚାଷ କରିବାର କଷ୍ଟଠାରୁ ବଳିଗଲାଣି ବିକ୍ରି ଯନ୍ତ୍ରଣା । ଧାନ ବିକି ନପାରି ଚାଷୀ କାଉଲୁ ବାଉଲୁ । ସାରା ରାଜ୍ୟରେ କାନ୍ଦୁଛି ଚାଷୀକୁଳ । ଅବହେଳା, ଅଣଦେଖା, ଶୋଷଣ ଓ ଠକାମୀ । କାଳେ କାଳେ ଏହାର ଶିକାର ହେଉଛି ଚାଷୀ । ସ୍ୱାଧୀନତା ପୂର୍ବରୁ ଅବସ୍ଥା ଯେମିତି ଥିଲା, ସ୍ୱାଧୀନତାର ୭୮ ବର୍ଷ ପରେ ବି ସେମିତି । ଦେଶ ଆଗେଇଛି । ବହୁତ କିଛି ବଦଳିଛି । ବଦଳିଲାନି ଚାଷୀର ଭାଗ୍ୟ । ସେଇମିତି ଅନିଶ୍ଚିତତା, ଆଉ ଛଟପଟ । ଦହଗଞ୍ଜର ଜୀବନ । ହୀନିମାନିଆର ବୁଢ଼ିଆଣୀ ଜାଲରୁ ମୁକୁଳି ପାରୁନି ମାଟିର ମଣିଷ । ସରକାର, ରାଜନେତା, ବୁଦ୍ଧିଜୀବୀ, ଗଣମାଧ୍ୟମ, ଚାଷୀ ସଂଗଠନ କାନ୍ଦୁଛନ୍ତି । କାହା ଆଖିରେ କିନ୍ତୁ ନାହିଁ ଲୁହ ।
ଇନ୍ଦ୍ରଙ୍କଠୁ ବଳିଗଲା ମଣ୍ଡି ଯନ୍ତ୍ରଣା
ମଣ୍ଡି ଯନ୍ତ୍ରଣାରେ ଚାଷୀ ଛଟପଟ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା । ଉପକୂଳ ଓଡ଼ିଶାରୁ ଉତ୍ତର ଓଡ଼ିଶା । ସବୁଠି ଚିତ୍ର ସମାନ । ଧାନ ବିକ୍ରିକୁ ନେଇ ନାହିଁ ନଥିବା ଅବ୍ୟବସ୍ଥା । ନୂଆ ସରକାର ଧାନ ଏମ୍ଏସ୍ପି ଉପରେ ୮ଶହ ଟଙ୍କାର ଇନପୁଟ୍ ସବସିଡି ନିଷ୍ପତ୍ତି ନେଲେ । ୩୧୦୦ ଟଙ୍କାରେ ଧାନ ବିକିବାକୁ ଚାଷୀ ଖୁସିରେ ଗଦଗଦ୍ । ଅସଲ ବେଳକୁ ଏ ଖୁସି ପାଣି ଫୋଟକା ପରି ମିଳେଇଗଲା । ଧାନ ମଣ୍ଡିରେ ଚାଷୀର ଦୁଃଖ କହିଲେ ନସରେ । ଦୂର ଦୂର୍ ମାର୍ ମାର୍ । ଅମଳ ଧାନକୁ କେମିତି ବିକ୍ରି କରିବ ସେ ଚିନ୍ତାରେ ଆଖିକୁ ନିଦ ନାହିଁ । କିଏ ଧାନବସ୍ତା ଧରି ମଣ୍ଡିରେ ଜଗି ବସିଛି । ଆଉ କିଏ ଅଭାବୀ ବିକ୍ରି ପାଇଁ ଏଜେଣ୍ଟଙ୍କୁ ଅପେକ୍ଷା କରିଛି । ସରକାର ଓ ପ୍ରଶାସନ ସବୁ ଜାଣୁଛି । ଚାଷୀଙ୍କ ଦୁଃଖ ଉପରେ ମହଙ୍ଗା ପଡ଼ୁଛି ମିଲର୍ସ ପ୍ରେମ ।
ଆଷାଢ଼ରେ ନିଅଣ୍ଟିଆ ବର୍ଷା । ଠିକ୍ ଅମଳ ବେଳେ ପୁଷରେ ଧାରା ଶ୍ରାବଣ ଭଳି ତୁହାକୁ ତୁହା ଲଗାଣ ବର୍ଷା । ପାଣି ସୁଅରେ ଭାସିଲା ସୁନାର ଫସଲ । ଭାଙ୍ଗିଦେଲା ଅନ୍ନଦାତାଙ୍କ ଅଣ୍ଟା । ଏବେ ଧାନ ମଣ୍ଡିର ଅବ୍ୟବସ୍ଥା ତଣ୍ଟି ଚିପିବାକୁ ବସିଛି । କଟ୍ନୀ ଛଟ୍ନୀ ଆଦୌ ହେବନି। ଲଗାଣ ବର୍ଷା ପରେ ଏଫ୍ଏକ୍ୟୁ ମାନରେ କୋହଳ କରିବାକୁ ମଧ୍ୟ ସରକାରୀ ଭରସା ମିଳିଲା । ହେଲେ ଏ ନିର୍ଦ୍ଦେଶକୁ ଫୁତ୍କାରରେ ଉଡ଼ାଇ ଦେଇଛି ପ୍ରଶାସନ । ମିଲର୍ସଙ୍କ ସ୍ୱାର୍ଥ ଆଗରେ ବଳି ପଡ଼ୁଛି ଚାଷୀଙ୍କ ହାଡ଼ଭଙ୍ଗା ପରିଶ୍ରମ । ମନଇଛା କଟ୍ନୀ ଛଟନୀ ହେଉଛି । ଏଫ୍ଏକ୍ୟୁ ମାନ ଯାଞ୍ଚକୁ ନେଇ ଚାଷୀ ମଣ୍ଡିରେ ହେଉଛି ହନ୍ତସନ୍ତ । ମଣ୍ଡିରେ ଗ୍ରେନ୍ ଆନାଲାଇଜର୍ ନଥିବାରୁ ମାନ ପରୀକ୍ଷାକୁ ନେଇ ଚାଷୀ-ମିଲର୍ସ ମୁହାଁମୁହିଁ । ‘ସମ ରଙ୍ଗୀ-ସମ ଆକାର’ ଧାନ ଖୋଜୁଛନ୍ତି ମିଲର୍ସ । ବିଚରା ଚାଷୀ ଦହଗଞ୍ଜରେ ପେଷି ହେଉଛି । କାନମୁଣ୍ଡା ଆଉଁଶି କୁଇଣ୍ଟାଲ ପିଛା ୫ରୁ ୧୦ କେଜି ଧାନ କାଟିବାକୁ ହଁ ମାରୁଛି । ଧାନକିଣାରେ ମିଲର୍ସଙ୍କ ମନମାନି, କଟ୍ନୀ ଛଟ୍ନୀକୁ ବାବୁମାନେ ବେଶି ଜଗୁଛନ୍ତି । ଅନ୍ନଦାତାଙ୍କ ପାଇଁ କିଏ କହିବ? କିଏ ବା ଲଢ଼ିବ? ଧାନ ମଣ୍ଡିରେ ଚାଷୀକୁ ଶୋଷଣର କଳା ବାଦଲ ସେଇମିତି ଘୋଡ଼ାଇ ରଖିଛି ।
ପ୍ରତିଶ୍ରୁତି ପାଣିର ଗାର
ଧାନ ସଂଗ୍ରହରେ ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଚଳିବନି । କଟ୍ନୀ-ଛଟ୍ନୀରେ ଲାଗିବ ତାଲା । ମନ୍ତ୍ରୀମାନେ ମଣ୍ଡି ଜଗିବେ। ଚାଷୀ ତା’ ଉତ୍ପାଦିତ ଧାନର ହକ୍ ମୂଲ୍ୟ ପାଇବ । ଏମିତି ଅଭୟବାଣୀ ଦେଲେ ସରକାର । ତୃଣମୂଳ ସ୍ତରରେ ଏହା ଫୁସ୍ । ନୂଆ ଏମ୍ଏସ୍ପିରେ ଧାନ ସଂଗ୍ରହ ହେବ । ପୂରା ବ୍ୟବସ୍ଥା ସୁନିୟନ୍ତ୍ରିତ କରାଯିବ । ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରୁ ୮୪ ପ୍ରତିଶତ କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥରେ ଆଞ୍ଚ ଆସିବନି । ମଣ୍ଡି ପରିଚାଳନା ପାଇଁ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ । ଭାରତୀୟ ଗୁଣାତ୍ମକ ମାନ ପରିଷଦ ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରାଯିବ । ବାହାର ରାଜ୍ୟରୁ ଓଡି଼ଶାକୁ ଧାନ ଆସିବାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନେ ସବୁ ସୀମାନ୍ତରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁତୟନ କରିବେ । ସିସିଟିଭି କିମ୍ବା ସ୍ମାର୍ଟ କ୍ୟାମେରା ମାଧ୍ୟମରେ ରହିବ ତୀକ୍ଷ୍ଣ ନଜର ।
ଚାଷୀଙ୍କ ସ୍ୱାର୍ଥ ଜଗିବାକୁ ସରକାରଙ୍କ ଏମିତି ଦୃଢ଼ ପ୍ରତିଶ୍ରୁତି କିନ୍ତୁ କାଟୁ କରୁନି । ମନ୍ତ୍ରୀଙ୍କୁ ବାବୁ ପଢ଼ାଉଛନ୍ତି ପାଠ । ଚାଷୀ ମିଲର୍ସରେ ମୁଣ୍ଡ ପୂରାଅନି । ଧାନମଣ୍ଡିରେ ସମସ୍ୟା ଏମିତି ଆସିବ । ଆପେ ଆପେ ସମାଧାନ ହୋଇଯିବ । ବାଃ... ଆମ ଆଇଏଏସ୍ ବାବୁଙ୍କର କି ଉର୍ବର ମସ୍ତିଷ୍କ । କି ମଣ୍ଡି ଜ୍ଞାନ! ଜାଣି ହେଉନି, ଆମ ସରକାରୀ ବ୍ୟବସ୍ଥା ମନ୍ତ୍ରୀରେ ଦାୟ ନା ବାବୁରେ? ଚାଷୀ କାହାକୁ ଦୁଃଖ ଜଣାଇବ । କିଏ ଶୁଣିବ?
ସରକାରୀ ହିସାବ କହୁଛି, ଧାନଚାଷ ପାଇଁ ଜଳସେଚିତ ଜମିରେ ଏକର ପ୍ରତି ଉତ୍ପାଦନ ଖର୍ଚ୍ଚ (୨୦ କ୍ୱିଣ୍ଟାଲ) ପ୍ରାୟ ୩୦ ହଜାର ଟଙ୍କା । କେନ୍ଦ୍ର ଏମଏସ୍ପି ଓ ରାଜ୍ୟ ଇନପୁଟ୍ ସବସିଡି ମିଶିଲେ ଚାଷୀକୁ ମିଳିବ ୬୨ ହଜାର ଟଙ୍କା । ବିଡ଼ମ୍ବନା, ୧ ଏକର ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହେଲେ ବୀମା କଂପାନୀ ଦେବ ମାତ୍ର ୩୫ ହଜାର ଟଙ୍କା । ରିଲିଫ କୋଡ୍ ଅନୁଯାୟୀ ସରକାରୀ ସହାୟତା ଏକର ପିଛା ମାତ୍ର ୬,୮୦୦ ଟଙ୍କା । ତାହା ପୁଣି ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିଲେ । ଡିସେମ୍ବର ଲଗାଣ ବର୍ଷାରେ ଧାନ ଫସଲ ଭାସିଗଲା । କ୍ଷତିପୂରଣ ଏଯାଏ ମିଳିନି । ଯେଉଁଠି ମିଳିଛି ତାହା ସମୁଦ୍ରକୁ ଶଙ୍ଖେ । ବୀମା କଂପାନୀଙ୍କ ଉପରେ କାହାର ବା ଲଗାମ ଅଛି? ଏପଟେ ଅମଳ ପରେ ଧାନ ବିକିବାକୁ ମଧ୍ୟ ନାହିଁ ନଥିବା ଯନ୍ତ୍ରଣା । ଚାଷୀ ନା ଏ କୂଳର, ନା ସେ କୂଳର । କିଏ ହିଡ଼ମୁଣ୍ଡରେ ବିଷ ପିଇ ଜୀବନ ହାରିଲାଣି । ଆଉ କିଏ ମହାଜନ କରଜ ଶୁଝିବା ଚିନ୍ତାରେ ହୃଦ୍ଘାତର ଶିକାର ହେଲାଣି । ଚାଷୀର ଲୁହଧୁଆ ମନ ଆମ ସରକାରୀ ବ୍ୟବସ୍ଥାକୁ କରୁଛି ଟିଟିକାର । ସରକାର ବାହାଦୁର, ଟିକେ କାନ ଖୋଲ । ଶୁଣିବା ହେଉ ଚାଷୀର ଦୁଃଖ । କେତେଦିନ ଚାଷୀ ଭୋଟ୍ ପଡ଼ିଆରେ ପେଣ୍ଡୁ ହୋଇ ରହିବ?
ଜୟ କିଷାନ - ସ୍ଲୋଗାନରେ
ଚାଷୀ ସ୍ୱାର୍ଥ କମ୍, ଭୋଟ୍ ଚିନ୍ତା ବେଶି । ସରକାର ପ୍ରତିଶ୍ରୁତି ଦିଅନ୍ତି, ପୁଣି ଠକନ୍ତି । ଭୋଟ ଆସିଲେ ତରତର ହୋଇ ନୂଆ ଯୋଜନା ଉତୁରି ଆସେ । ହେଲେ ମନ ତ ଶୁଦ୍ଧି ନାହିଁ । ଚାଷୀର କଲ୍ୟାଣ କେମିତି ବା ହେବ? ସବୁ ତ କେବଳ ଭୋଟ ପାଇଁ ମାୟା କୁହୁଡ଼ି । ଆମମାନଙ୍କ ମାନସିକତା ବି ସବୁବେଳେ ଚାଷୀ ବିରୋଧୀ । ଅନ୍ନଦାତାଙ୍କ ପାଇଁ କେମିତି କେଜାଣି ନିଉଛୁଣିଆ ଭାବ । ରାଜ୍ୟର ଭାଗଚାଷୀମାନଙ୍କ ସ୍ୱାର୍ଥ ଜଗିବାକୁ ନୂଆ ଆଇନ ଆସିବ ବୋଲି ଦଶନ୍ଧିଏ ବିତିଗଲାଣି । ପ୍ରସ୍ତାବିତ ଆଇନ ଶୀତଳଭଣ୍ଡାରରେ ସଢ଼ୁଛି । ଭାଗଚାଷୀଙ୍କ ଖୋଲୁନି ଭାଗ୍ୟ । ସରକାରଙ୍କ ନିଷ୍ଠା ଓ ଆନ୍ତରିକତା ଅଭାବରୁ ସିଂହଭାଗ ଚାଷୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ । ସବୁ ଖାଲି ଲୋକ ଦେଖାଣିଆ ଭେଳିକି ।
ନିଷ୍ଠା ପରିଶ୍ରମକୁ ନା ସମ୍ମାନ । ମିଳୁନି ଅମଳ ସାମଗ୍ରୀର ହକ୍ ମୂଲ୍ୟ । ଚାଷୀର ଦୁଃଖ ଓ ଯନ୍ତ୍ରଣାକୁ କିଏ ବା ବୁଝେ? ଅନ୍ୟକୁ ଆହାର ଦେଇ ପ୍ରହାର ଖାଇ ଚାଲିଛନ୍ତି ଆମ ଅନ୍ନଦାତା । ଚାଷୀ ସ୍ୱାଭାବିକ ଭାବେ ଆତ୍ମହତ୍ୟା କରେନି । ଆମ ବ୍ୟବସ୍ଥା, ଶାସନତନ୍ତ୍ର ଓ ଚୁପ୍ଚାପ ରହୁଥିବା ନିରବ ବୁଦ୍ଧିଜୀବୀ ସମସ୍ତେ ମିଶି ତାକୁ ହତ୍ୟା କରନ୍ତି । ଚାଷୀକୁଳର ଦୁର୍ଦ୍ଦଶା କାଳେ କାଳେ ମର୍ମସ୍ପର୍ଶୀ । ଖାଦ୍ୟ ବିନା ଜୀବନ ଅସମ୍ଭବ । ଫସଲ ଫଳାଉଥିବା ଚାଷୀ କିନ୍ତୁ ରସାତଳେ ।
ଜୟ ଯବାନ, ଜୟ କିଷାନ । ବହୁବର୍ଷ ହେବ କାନ ଶୁଣୁଛି ଏ ମନଲୋଭା ସ୍ଲୋଗାନ । ଚାଷୀ ପାଇଁ ଭୋଟ୍ ପ୍ରତିଶ୍ରୁତି, ଭାଷଣ, ସରକାରୀ କାର୍ଯ୍ୟକ୍ରମ ସବୁ ଯେମିତି ଗୋଲାପି ଗୋଲାପି । ମାତ୍ର ନା ଅଛି ଆନ୍ତରିକତା ନା ନିଷ୍ଠା । ଭୋଟ ଆସିଲେ ‘ହାତୀ ନେ ଘୋଡ଼ା ନେ, ମୋ ପେଁକାଳି ବଜେଇ ଦେ’। ଭୋଟ ପରେ ଚାଷୀ ସେଇମିତି ଦୁଃଖ ଓ ଶୋଷଣର ଗଣ୍ଠିଲି ଧରି ଜୀବନ କାଟେ । କେବେ ବଦଳିବ ଚାଷୀର ଭାଗ୍ୟ? କିଏ ଦେବ ଏ ପ୍ରଶ୍ନର ଉତ୍ତର ?