ଆମେ ଯେତେବେଳେ ୨୦୩୬ ମସିହା ଆଡ଼କୁ ଚାହୁଁଛୁ, ଖେଲୋ ଇଣ୍ଡିଆର ପ୍ରଭାବ କେବଳ ଆମେ ଜିଣିଥିବା ପଦକ ହିସାବରେ ଆକଳନ କରାଯାଉନାହିଁ ବରଂ ଏହା ଛୁଇଁଥିବା କୋଟି କୋଟି ଲୋକଙ୍କ ଦୃଦୟର ଭାବନା ଏଥିସହିତ ଜଡ଼ିତ, ଦେଶର ତୃଣମୂଳ ସ୍ତରରେ ଏହା ଆରମ୍ଭ କରିଥିବା ବିପ୍ଳବ ଏଥିସହ ଜଡ଼ିତ ଏବଂ ଭାରତୀୟ ସମାଜ ସହିତ ଯେଉଁ ସୁସ୍ଥ ଏବଂ ସକ୍ରିୟତା ଜଡ଼ିତ ସେହି କ୍ରୀଡ଼ା ସଂସ୍କୃତିର ପୁନର୍ଜାଗରଣ ସହିତ ସଂଶ୍ଳିଷ୍ଟ ।
ଆଜିକୁ ସାତବର୍ଷ ତଳେ ୨୦୧୮ ମସିହାରେ ଆମେ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା (କେଆଇଏସଜି) ପ୍ରତିଯୋଗିତା ଆନ୍ଦୋଳନର ଶୁଭାରମ୍ଭ କରିଥିଲୁ । ଏହି ଅବଧି ମଧ୍ୟରେ ଆମେ କେତେଦୂର ପ୍ରଗତି କରିଛୁ, ସେ କଥା ଉପରେ ମୁଁ ଯେତେବେଳେ ଦୃଷ୍ଟିପାତ କରୁଛି, ମୋର ହୃଦୟ ଗର୍ବରେ ଭରି ଉଠୁଛି, ତାହା କେବଳ ଆମେ ଏହି ସମୟ ମଧ୍ୟରେ ଜିଣିଥିବା ପଦକକୁ ନେଇ ନୁହେଁ, ବରଂ ରାଷ୍ଟ୍ରର କ୍ରୀଡ଼ା ପୃଷ୍ଠଭୂମିରେ ଖେଲୋ ଇଣ୍ଡିଆ ଘଟାଇଥିବା ପଟ୍ଟ ପରିବର୍ତ୍ତନକାରୀ ପରିବର୍ତ୍ତନ ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦ୍ୱାରା ପରିକଳ୍ପିତ "ଖେଲୋ ଇଣ୍ଡିଆ' ଉପକ୍ରମ କେବଳ ମେଡାଲ ଜିଣିବା ଉଦ୍ଦେଶ୍ୟରେ ନୁହେଁ, ଏହା ରାଷ୍ଟ୍ରବ୍ୟାପୀ କ୍ରୀଡ଼ାର ସଂସ୍କୃତିକୁ ଜାଗ୍ରତ କରିବା ଅଭିପ୍ରାୟରେ ହିଁ ଆରମ୍ଭ କରାଯାଇଥିଲା ।
ଏହାଫଳରେ ଦେଶର ପ୍ରତ୍ୟେକ ଶିଶୁ ସାମଗ୍ରିକ ଭାବେ ଖେଳିବା ଏବଂ ବିକଶିତ ହେବାର ପୂର୍ଣ୍ଣ ସୁଯୋଗ ପାଇପାରିବେ । ଆଜି ଏହି ଆନ୍ଦୋଳନ ଏକ ବିବିଧ ଆଭିମୁଖ୍ୟଧର୍ମୀ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଭାବରେ ବିକଶିତ ହୋଇଛି ଏବଂ ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାର ୧୬ଗୋଟି ସଂସ୍କରଣ ଏବେସୁଦ୍ଧା ଅନୁଷ୍ଠିତ ହୋଇଛି, ଯାହାଫଳରେ ଯୁବ ପ୍ରତିଭାମାନଙ୍କ ନିମନ୍ତେ କ୍ରୀଡ଼ାର ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି । ଦେଶରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହୋଇଛି ଏବଂ ଏହା କ୍ରୀଡ଼ା ପାଇଁ ସକଳ ପ୍ରକାର ସମାବେଶୀ ଭାବନାକୁ ପ୍ରୋତ୍ସାହନ ଯୋଗାଉଛି । ଅନ୍ୟ ଭାଷାରେ କହିଲେ ବୈଶ୍ୱିକ ସୁଦୃଢ଼ କ୍ରୀଡ଼ା ରାଷ୍ଟ୍ର ଭାବରେ ମୁଣ୍ଡ ଟେକିବା ସକାଶେ ଭାରତର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ସକାଶେ ଏହା ଏକ ମଜଭୁତ ଭିତ୍ତିଭୂମି ସୃଷ୍ଟି କରିଛି ।
ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସଂସ୍କରଣ ଭାରତର ତୃଣମୂଳ ସ୍ତରରେ କ୍ରୀଡ଼ା ବିପ୍ଳବର ସୂତ୍ରପାତ ଘଟାଇଥିଲା । ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତାର ପର୍ଯ୍ୟାପ୍ତ ସାମର୍ଥ୍ୟକୁ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ସ୍ୱୀକାର କରି ଯୁବ କ୍ରୀଡ଼ା ପ୍ରତିଭାବାନଙ୍କ ନିମନ୍ତେ ଏକ ସୁଗଠିତ ମାର୍ଗ ସୃଷ୍ଟି କରିଥିଲା, ଯାହାଫଳରେ ସେମାନେ ଆନ୍ତଃ-ବିଦ୍ୟାଳୟ ପ୍ରତିଯୋଗିତାରୁ ଜାତୀୟ ଏବଂ ଅନ୍ତଃରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମକୁ କିଭଳି ପର୍ଯ୍ୟାନ୍ତର ହୋଇପାରିବେ ଏହାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛି । ସମୟ ଗଡ଼ିଚାଲିବା ସହିତ ଏହି ଉପକ୍ରମ ହଜାର ହଜାର ତରୁଣ ଓ ଯୁବ କ୍ରୀଡ଼ାବିତଙ୍କ ଚିହ୍ନଟ କରିଛି ଏବଂ ଉପଯୁକ୍ତ ଭାବେ ସେମାନଙ୍କ ପ୍ରତିଭା ବୃଦ୍ଧିରେ ସହାୟକ ହୋଇଛି । ସେମାନଙ୍କ ମଧ୍ୟରୁ ଅନେକ କ୍ରୀଡ଼ାବିତ୍ ଅଲିମ୍ପିକ୍ସ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିସାରିଛନ୍ତି । ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ଉଦାହରଣ ହେଲେ ଖେଳରତ୍ନ ବିଜୟିନୀ ମନୁ ଭାକର, ଯିଏ ବିଦ୍ୟାଳୟ କ୍ରୀଡ଼ାରୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ାସ୍ତରକୁ ଉନ୍ନୀତ ହୋଇ ପ୍ୟାରିସ୍ ଅଲିମ୍ପିକ୍ସ ପ୍ରତିଯୋଗିତାରେ ଭାରତ ପାଇଁ ଦୁଇ ଦୁଇଟି ପଦକ ହାସଲ କରିବାକୁ ସକ୍ଷମ ହୋଇପାରିଥିଲେ ।
ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କାୟା ସମ୍ପ୍ରସାରଣ ସହିତ ଏହାକୁ ବ୍ୟାପକ ଭାବରେ ଖେଲୋ ଇଣ୍ଡିଆ କ୍ରୀଡ଼ା ଢାଞ୍ଚାରେ ପରିଣତ କରାଯାଇଛି ଏବଂ ତୃଣମୂଳ ସ୍ତରର ପ୍ରତିଭାବାନଙ୍କୁ ଅଧିକ ବ୍ୟାପକ ମାତ୍ରାରେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ବିଦ୍ୟାଳୟ ହେଉଛି ତରୁଣ ଏବଂ ଅଣ-ତାଲିମପ୍ରାପ୍ତ ପ୍ରତିଭାବାନଙ୍କ ପେଣ୍ଠସ୍ଥଳୀ ଏବଂ ଖେଲୋ ଇଣ୍ଡିଆ ସେହିସବୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚୟନପୂର୍ବକ ସେମାନଙ୍କୁ ବିଶ୍ୱସ୍ତରୀୟ ତାଲିମ ପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁନିଶ୍ଚିତ କରିଛି । ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସେମାନଙ୍କୁ ଖେଳିବାର ଉପଯୁକ୍ତ ଅବସର ଓ ସୁଯୋଗ ମଧ୍ୟ ଯୋଗାଇ ଦେଇଛି । ଆଜି ଖେଲୋ ଇଣ୍ଡିଆ କ୍ରୀଡ଼ାର ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରର ଚାମ୍ପିଅନମାନେ ସର୍ବୋଚ୍ଚ ସ୍ତରରେ ପଦକ ହାସଲ କରିବାକୁ ସକ୍ଷମ ହେଉଛନ୍ତି, ଏହା ହେଉଛି ଏହି କାର୍ଯ୍ୟକ୍ରମ ସଫଳତାର ସବୁଠାରୁ ବଡ଼ ପ୍ରମାଣ ।
ଶୁଭାରମ୍ଭ ହେବା ଦିନଠାରୁ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ୧୬ଗୋଟି ସଂସ୍କରଣ ଏବେ ସୁଦ୍ଧା ଅନୁଷ୍ଠିତ ହୋଇସାରିଛି ଏବଂ ସେଥିରେ ଛଅଗୋଟି ଯୁବ କ୍ରୀଡ଼ା ପ୍ରତିଯୋଗିତା, ଚାରିଗୋଟି ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ପାଞ୍ଚଗୋଟି ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତା ଏବଂ ଗୋଟିଏ ପାରା ଗେମ୍ସ ଅନ୍ତର୍ଭୁକ୍ତ। ଏହାର ପ୍ରତିଟି ସଂସ୍କରଣ ଭାରତର କ୍ରୀଡ଼ା ପୃଷ୍ଠଭୂମିକୁ ନୂଆ ନୂଆ ଦିଶା ପ୍ରଦାନ କରିଛି । ବିଦ୍ୟାଳୟ କ୍ରୀଡ଼ା ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଯୁବ କ୍ରୀଡ଼ା ପ୍ରତିଯୋଗିତା ଯୁବ କ୍ରୀଡ଼ାବିତମାନଙ୍କ ନିମନ୍ତେ ଏକ ଫ୍ଲାଗସିପ୍ ପ୍ରତିଯୋଗିତା ଭାବେ ମୁଣ୍ଡ ଟେକିଛି ଏବଂ ଭାରତର ଭବିଷ୍ୟତର ଅଲିମ୍ପିଆନମାନେ ସୃଷ୍ଟି କରିବା ସକାଶେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମର ରୂପ ଧାରଣ କରିଛି । ଏହି ସମ୍ପ୍ରସାରଣ କ୍ରୀଡ଼ାବିତମାନଙ୍କୁ ବିଭିନ୍ନ ପର୍ଯ୍ୟାୟର ପ୍ରତିଯୋଗିତାରୁ ଉପର ସ୍ତରକୁ ଉନ୍ନୀତ ହେବା ସକାଶେ ଏକ ନିର୍ବାଧ ପର୍ଯ୍ୟାନ୍ତରଣ ସୁଯୋଗ ପ୍ରଦାନ କରିଛି, ଯାହାକି ଭାରତର କ୍ରୀଡ଼ା ପ୍ରତିଭା ସୃଷ୍ଟି ଭାବନାକୁ ବଳିଷ୍ଠ କରିପାରିଛି ।
ବର୍ତ୍ତମାନ ଖେଲୋ ଇଣ୍ଡିଆ କେବଳ ଏକ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମଠାରୁ ଢେର୍ ଆଗକୁ ଆଗେଇ ସାରିଛି । ଏଥିରେ ଏବେ ବିବିଧ ପର୍ଯ୍ୟାୟର ହିତଧାରକ ସାମିଲ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କର୍ପୋରେଟ୍ ସଂସ୍ଥା, ରାଜ୍ୟ ସରକାର, ଘରୋଇ ଶିକ୍ଷାନୁଷ୍ଠାନ ଏବଂ ତୃଣମୂଳ ସ୍ତରର ସଂଗଠନମାନେ ସାମିଲ ହୋଇଛନ୍ତି । ବିଶେଷ ଭାବରେ ଏଥିରେ ଘରୋଇ କ୍ଷେତ୍ରର ଭୂମିକା ଉଲ୍ଲେଖନୀୟ ମାତ୍ରାରେ ବୃଦ୍ଧିପାଇଛି ଏବଂ ଅନେକ ନିଗମ ପ୍ରାୟୋଜନ, ଭିତ୍ତିଭୂମି ପ୍ରକଳ୍ପର ବିକାଶ ଏବଂ କ୍ରୀଡ଼ା ପ୍ରତିଭାଙ୍କୁ ଆର୍ଥିକ ସହାୟତା ଯୋଗାଣ କାର୍ଯ୍ୟକ୍ରମ ମାଧ୍ୟମରେ ପୁଞ୍ଜି ନିବେଶ କରୁଛନ୍ତି ଯାହାକି କ୍ରୀଡ଼ା ବିକାଶରେ ସାମଗ୍ରିକ ଭାବରେ ସହାୟକ ହେଉଛି । ପ୍ରବର୍ତ୍ତିତ "ଗୋଟିଏ କର୍ପୋରେଟ୍ ସଂସ୍ଥା, ଗୋଟିଏ କ୍ରୀଡ଼ା' ଉପକ୍ରମ କର୍ପୋରେଟ୍ ସଂସ୍ଥାମାନଙ୍କ କ୍ରୀଡ଼ା ପରିଚାଳନାକୁ ଅଧିକ ବ୍ୟାପକ କରିବା ସହିତ ସରକାର, ଜାତୀୟ କ୍ରୀଡ଼ା ମହାସଂଘ (ଏନ.ଏସ.ଏଫ) ଏବଂ କର୍ପୋରେଟ୍ ସଂସ୍ଥାଙ୍କ ସହିତ ସହଭାଗିତା କରି ଲକ୍ଷ୍ୟ ବିନିର୍ଦ୍ଦିଷ୍ଟ ସହାୟତାକୁ ସୁନିଶ୍ଚିତ କରିପାରିଛି।
ରାଜ୍ୟ ସରକାରମାନେ ଏହି ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପ୍ରସ୍ତାବିତ ଖେଲୋ ଇଣ୍ଡିଆ କେନ୍ଦ୍ର (କେଆଇସି) କ୍ଷେତ୍ରୀୟ କ୍ରୀଡ଼ା ଅଗ୍ରାଧିକାର ଆଧାରିତ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରୁଛନ୍ତି, ଯାହାଫଳରେ ସ୍ଥାନୀୟ ଆବଶ୍ୟକତା ଆଧାରିତ କ୍ରୀଡ଼ାର ବିକାଶ ସମ୍ଭବପର ହୋଇପାରୁଛି । ଏଥିସହିତ ଦେଶର ବିଭିନ୍ନ ଜୋନ୍ରେ ଅଲିମ୍ପିକ ତାଲିମ କେନ୍ଦ୍ର (ଓ.ଟି.ସି.) ମାନ ସ୍ଥାପନ କରାଯିବାର ଯୋଜନା ରହିଛି । ଏହିସବୁ ବିଶ୍ୱସ୍ତରୀୟ ଉଚ୍ଚ ଗୁଣବତ୍ତାଯୁକ୍ତ କେନ୍ଦ୍ର ଆମର କ୍ରୀଡ଼ା ପ୍ରତିଭାମାନଙ୍କୁ ଉଚ୍ଚମାନର କ୍ରୀଡ଼ା ତାଲିମ ଯୋଗାଇବ ଏବଂ ଏଥିରେ ପାରା-ସ୍ପୋର୍ଟସ୍ର ଏବଂ ଦେଶୀୟ କ୍ରୀଡ଼ାମାନ ସାମିଲ । ସେହିସବୁ ତାଲିମ କେନ୍ଦ୍ରମାନଙ୍କୁ ଅତ୍ୟାଧୁନିକ କ୍ରୀଡ଼ା ସଂସାଧନ, କ୍ରୀଡ଼ା ବିଜ୍ଞାନ ଏବଂ କ୍ରୀଡ଼ା ଚିକିତ୍ସା ସୁବିଧାମାନ ଉପଲବ୍ଧ କରାଯିବ । ଅଧିକନ୍ତୁ ରାଜ୍ୟ ଉତ୍କର୍ଷ କେନ୍ଦ୍ର (ଏସସିଓଇ)ମାନ ସ୍ଥାପନ କରାଯାଇ ଉଚ୍ଚ ଗୁଣାତ୍ମକ ମାନଯୁକ୍ତ ତାଲିମ କାର୍ଯ୍ୟକ୍ରମ, ଅଗ୍ରାଧିକାର ଆଧାରିତ କ୍ରୀଡ଼ା ପାଇଁ ଖେଳାଳିମାନଙ୍କୁ ସକଳ ପ୍ରକାର ସହାୟତା ଯୋଗାଇ ଦିଆଯିବ ।
ସମାଯୋଜନ ହେଉଛି ଖେଲୋ ଇଣ୍ଡିଆ ଉପକ୍ରମର ମୂଳ ଆଧାରିତ ଏବଂ "କାର୍ଯ୍ୟଦକ୍ଷତା ପ୍ରଦର୍ଶନ ମାଧ୍ୟମରେ ମହିଳାମାନଙ୍କୁ କ୍ରୀଡ଼ା କୀର୍ତ୍ତିମାନ ସ୍ଥାପନ' (ଅସ୍ମିତା) ଆଦି କାର୍ଯ୍ୟକାରୀ କରାଯାଉଛି । ଏହି ଲିଗ୍ କ୍ରୀଡ଼ା କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ୨୦୨୧ ମସିହାରେ "ଅସ୍ମିତା' କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ୮୮୦ରୁ ଅଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି ଯାହାକି ୧୦୦,୦୦୦ରୁ ଅଧିକ ମହିଳା କ୍ରୀଡ଼ାବିତଙ୍କୁ ପ୍ରଭାବିତ କରିଛି ଏବଂ ସେଥିମଧ୍ୟରେ ଅଲିମ୍ପିକ୍ସ ପଦକଧାରିଣୀ ମୀରାବାଈ ଚାନୁଙ୍କ ଭଳି ପ୍ରତିଭା ସାମିଲ ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦାବେଳେ ଗ୍ରାମାଞ୍ଚଳ ଭାରତ ଏବଂ ଦେଶର ଛୋଟ ଛୋଟ ସହରମାନଙ୍କର କ୍ରୀଡ଼ା ପ୍ରତିଭାମାନଙ୍କୁ ଉପଯୁକ୍ତ ସହାୟତା ଯୋଗାଣ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ତାଙ୍କ ମତରେ, ଏହିଭଳି ପ୍ରତିଭାଧରଙ୍କ ପାଇଁ ଅତିରିକ୍ତ ପୃଷ୍ଠପୋଷକତାର ଆବଶ୍ୟକତା ରହିଛି । ଖେଲୋ ଇଣ୍ଡିଆ ମାଧ୍ୟମରେ ଆମେ ଏହା ସୁନିଶ୍ଚିତ କରିଛୁ ଯେ, ଅର୍ଥ ଯେପରି ପ୍ରତିଭାମାନଙ୍କ ପ୍ରଗତି ପଥରେ ଅନ୍ତରାୟ ସୃଷ୍ଟି ନହେଉ । ଖେଲୋ ଇଣ୍ଡିଆ ଜରିଆରେ ମହିଳା ଫୁଟବଲ୍ ଲିଗ୍ ଏପରିକି ଅରୁଣାଚଳ ପ୍ରଦେଶର ମାନିଗାଙ୍ଗ୍ ଭଳି ଦୁର୍ଗମ କ୍ଷେତ୍ରରେ ପହଞ୍ଚି ପାରିଛି । ଏହାଫଳରେ ଦେଶର ବିଭିନ୍ନ କ୍ଷେତ୍ର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରୁଛନ୍ତି, ଯାହାକି ଇତିପୂର୍ବରୁ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ରହିଆସିଥିଲେ ।
ସେହିଭଳି ପାରା ଆଥଲେଟମାନଙ୍କ ପାଇଁ ଖେଲା ଇଣ୍ଡିଆ ପାରା ଗେମ୍ସ ଏକ ସମାବେଶୀ ମଞ୍ଚ ପ୍ରଦାନ କରିଛି ଏବଂ ଏଥିରେ ବିବିଧ କ୍ରୀଡ଼ାର ପ୍ରତିଭାମାନେ ପାରାଲିମ୍ପିକ୍ସ ଭଳି ବୈଶ୍ୱିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ଯୋଗ୍ୟତା ଅର୍ଜନ କରିପାରୁଛନ୍ତି । ଏହାତିରିକ୍ତ, ଏହି ଉପକ୍ରମ ଦେଶୀୟ କ୍ରୀଡ଼ା ଯଥାଯୋଗାସନ, ମଲ୍ଲଖମ୍ବ, କଲାରିପାୟାଟୁ ଥାଙ୍ଗ୍-ଟା ଏବଂ ଗଟକାକୁ ମଧ୍ୟ ସକ୍ରିୟ ଭାବେ ପ୍ରୋତ୍ସାହିତ କରିଆସୁଛି । ଏହାଫଳରେ ଏଭଳି ଘରୋଇ କ୍ରୀଡ଼ାର ସଂରକ୍ଷଣ ହେବା ସହିତ ଖେଲୋ ଇଣ୍ଡିଆ ଯୁବ ଏବଂ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେସବୁକୁ ସମାଯୋଜନ ପ୍ରକ୍ରିୟା ମଧ୍ୟ ବୃଦ୍ଧିପାଉଛି । କବାଡ଼ି ଓ ଖୋ-ଖୋ ଭଳି ପାରମ୍ପରିକ ଓ ଘରୋଇ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଭାରତଭିତ୍ତିକ ଆନ୍ତର୍ଜାତିକ ମହାସଂଘ ସ୍ଥାପନ କରିବା ସକାଶେ ପ୍ରୟାସ କରାଯାଉଛି ।
ଏହିସବୁ କ୍ରୀଡ଼ାର ବିଶ୍ୱ ଚାମ୍ପିଅନସିପ୍ ପ୍ରତିଯୋଗିତାର ଆୟୋଜନ ଏବଂ ସେସବୁ କ୍ରୀଡ଼ାକୁ ଆନ୍ତର୍ଜାତିକ ବିବିଧ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ କରିବା ଦିଗରେ ମଧ୍ୟ ଉଦ୍ୟମ କରାଯାଉଛି । ପ୍ରଶିକ୍ଷଣ ଢାଞ୍ଚାକୁ ଅଧିକ ପେସାଦାରୀ କରିବା ନିମନ୍ତେ ଆମେ ଅତୀତର ଚାମ୍ପିଅନ୍ କ୍ରୀଡ଼ାବିତ୍ (ପି. ସି.ଏ)ମାନଙ୍କୁ ମେଣ୍ଟର ଭାବରେ ୧୦୦୦୍ମ ଖେଲୋ ଇଣ୍ଡିଆ କେନ୍ଦ୍ର (କେ.ଆଇ.ସି.)ରେ ସାରା ଦେଶରେ ସଂଯୋଜିତ କରିଛୁ । ଏହା ବ୍ୟତୀତ ରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ.ଆଇ.ଏସ.) ପାଟିଆଲା ଠାରେ ମାଗଣା ପ୍ରମାଣନ ପାଠ୍ୟକ୍ରମରେ ଏହିସବୁ ଆନ୍ତର୍ଜାତିକ/ଜାତୀୟ ସ୍ତରର କ୍ରୀଡ଼ାବିତମାନେ ସାମିଲ ହୋଇ ଭାରତର ପ୍ରଶିକ୍ଷଣ ବାତାବରଣକୁ କିପରି ଅଧିକ ଉତ୍କର୍ଷ ଓ ଗୁଣାତ୍ମକ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଏହାଫଳରେ ପରବର୍ତ୍ତୀ ପିଢ଼ିର କ୍ରୀଡ଼ାବିତମାନେ ପୂର୍ବ ପିଢ଼ିର ସଫଳ କ୍ରୀଡ଼ାବିତମାନଙ୍କ ଠାରୁ ପ୍ରେରଣା ଓ ପ୍ରଶିକ୍ଷଣ ଲାଭ କରିପାରିବେ ।
ଭାରତ ଆଜି ଯେତେବେଳେ ସବୁ କ୍ଷେତ୍ରରେ ଆଗକୁ ଆଗେଇ ଚାଲିଛି, ଖେଲୋ ଇଣ୍ଡିଆ ଆନ୍ଦୋଳନ ଏକ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମଠାରୁ ଅଧିକ କିଛି ବୋଲି ନିଜକୁ ପ୍ରମାଣସିଦ୍ଧ କରିପାରିଛି । ଏହା ଏପରି ଏକ ରଣନୀତିକ ଉପକ୍ରମ ଯାହା ମାଧ୍ୟମରେ ଦେଶର ଦୀର୍ଘକାଳୀନ ଅଭିପ୍ରାୟ, ଅର୍ଥାତ୍ ୨୦୩୬ ମସିହାରେ ଅଲିମ୍ପିକ କ୍ରୀଡ଼ାର ଆୟୋଜନ ଲକ୍ଷ୍ୟ ପୂରଣକୁ ସମାଯୋଜିତ କରାଯାଇଛି ଏବଂ ଅଧୁନା ଏହା ବିଶ୍ୱର ୧୦ଜଣ ଦାବିଦାରଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛି । ଏକ ଅନ୍ତଃରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିବା ଏହି ପରିକଳ୍ପନାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ । ଏଥିପାଇଁ ରାଷ୍ଟ୍ରୀୟ କ୍ରୀଡ଼ା ମହାସଂଘ (ଏନ.ଏସ.ଏଫ.) ଦାବି ଜଣାଇ ଆସୁଛି ଏବଂ ଭାରତରେ ଅଧୁନା ଅନେକ ପ୍ରମୁଖ ବୈଶ୍ୱିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।
ଆମେ ଯେତେବେଳେ ୨୦୩୬ ମସିହା ଆଡ଼କୁ ଚାହୁଁଛୁ, ଖେଲୋ ଇଣ୍ଡିଆର ପ୍ରଭାବ କେବଳ ଆମେ ଜିଣିଥିବା ପଦକ ହିସାବରେ ଆକଳନ କରାଯାଉନାହିଁ ବରଂ ଏହା ଛୁଇଁଥିବା କୋଟି କୋଟି ଲୋକଙ୍କ ଦୃଦୟର ଭାବନା ଏଥିସହିତ ଜଡ଼ିତ, ଦେଶର ତୃଣମୂଳ ସ୍ତରରେ ଏହା ଆରମ୍ଭ କରିଥିବା ବିପ୍ଳବ ଏଥିସହ ଜଡ଼ିତ ଏବଂ ଭାରତୀୟ ସମାଜ ସହିତ ଯେଉଁ ସୁସ୍ଥ ଏବଂ ସକ୍ରିୟତା ଜଡ଼ିତ ସେହି କ୍ରୀଡ଼ା ସଂସ୍କୃତିର ପୁନର୍ଜାଗରଣ ସହିତ ସଂଶ୍ଳିଷ୍ଟ । ଏଥିପାଇଁ ନିରବଚ୍ଛିନ୍ନ ଭାବରେ ହୋଇଚାଲିଥିବା ନିବେଶ, ସହଯୋଗ ଏବଂ ନବସୃଜନ ମାଧ୍ୟମରେ ବିଶ୍ୱର କ୍ରୀଡ଼ା ମହାଶକ୍ତି କେନ୍ଦ୍ରରେ ପରିଣତ ହେବା ସ୍ୱପ୍ନକୁ ସାକାର କରିବା ଦିଗରେ ଭାରତ ଆଗକୁ ଦୃଢ଼ତାର ସହିତ ଅଗ୍ରସର ହେଉଛି ।