ଗ୍ରାମାଞ୍ଚଳ ଓଡ଼ିଶାର ତ୍ୱରିତ ଓ ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବା ତଥା ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିଭିନ୍ନ ସ୍ଥାୟୀ ଉନ୍ନୟନ ପ୍ରକଳ୍ପମାନ ଯଥା– ଅପହଞ୍ଚ ଗାଁକୁ ରାସ୍ତା ଦ୍ୱାରା ସଂଯୋଗୀକରଣ, ସର୍ବସାଧାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ, ସର୍ବସାଧାରଣ ପୋଖରୀ ଏବଂ ଜଳ ଅମଳ ସଂରଚନାର ନିର୍ମାଣ, ନୂତନ ଅଭିନବ ପ୍ରକଳ୍ପ ନିର୍ମାଣ ଇତ୍ୟାଦି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ପ୍ରକଳ୍ପ, ବିଭିନ୍ନ ପ୍ରକାରର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଆଗେଇ ନେଇ, ଗ୍ରାମୀଣ ସମ୍ପଦ ସୃଷ୍ଟି କରି, ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ସ୍ଥାୟୀ ମାଧ୍ୟମ ରୂପେ କାର୍ଯ୍ୟ କରିବ ।
ମୁଖ୍ୟ ଉପାଦାନ: ୧) ଓଡ଼ିଶା ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ଗ୍ରାମୀଣ ଜନସାଧରଣଙ୍କୁ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ବୋଲି ବିବେଚନା କରାଯାଏ । ଗୋଟିଏ ରାଜ୍ୟର ଅର୍ଥନୈତିକ ବିକାଶରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଏହି ଯୋଜନାରେ ଗ୍ରାମାଞ୍ଚଳ ଓଡ଼ିଶାର ରାସ୍ତା, ସେତୁ, ନଳାପୋଲ, ଆଭ୍ୟନ୍ତରୀଣ ଗ୍ରାମ୍ୟ ରାସ୍ତା, ଆନ୍ତଃ ଗ୍ରାମ୍ୟ ସଡ଼କର ଉନ୍ନତିକରଣ କରାଯାଇ, ଗ୍ରାମ ସହର ସଂଯୋଗକୁ ନିରନ୍ତର କରାଯିବ । ଦୁର୍ଗମ ଅଞ୍ଚଳ, ନକ୍ସଲ ପ୍ରବଣ ଅଞ୍ଚଳ, ଦୁର୍ବଳ ଆଦିବାସୀ ବସବାସ କରୁଥିବା ଅଞ୍ଚଳକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଯିବ । ୨) ଆବଶ୍ୟକତା ଅନୁଯାୟୀ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୋଇବା ଘାଟ/ ପୋଖରୀ, ନଦୀକୂଳରେ ପରିଧାନ ପରିବର୍ତ୍ତନ ପ୍ରକୋଷ୍ଠ, ବଜାର ସେଡ୍, ଡ୍ରେନ ନିର୍ମାଣ, ଗ୍ରାମ୍ୟ ଶ୍ମଶାନର ଉନ୍ନତିକରଣ ପରି ସର୍ବସାଧାରଣ ସମତ୍ତିର ନିର୍ମାଣ ମଧ୍ୟ କରାଯିବ । ୩) ସମସ୍ତ ଧର୍ମର ପୂଜାପାଠ ସ୍ଥାନଗୁଡ଼ିକରେ ଭକ୍ତ, ତୀର୍ଥଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଓ ସେବା ଯୋଗାଇବା ପାଇଁ ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ, ସାଂସ୍କୃତିକ କେନ୍ଦ୍ର ଇତ୍ୟାଦି ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଉକ୍ତ ଯୋଜନା ଅଧୀନରେ ନିଆଯିବ । ୪) ସର୍ବସାଧାରଣ ପୋଖରୀ ଏବଂ ଜଳ ଅମଳ ସଂରଚନାର ନିର୍ମାଣ ଓ ନବୀକରଣ ପ୍ରକଳ୍ପ ଗ୍ରହଣ କରାଯିବ । ୫) ଶିକ୍ଷା ପାଇଁ ଭିତ୍ତିଭୂମିର ଉନ୍ନତିକରଣ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ଆଧୁନିକୀକରଣ ଓ ବିଦ୍ୟମାନ ଭିତ୍ତିଭୂମିର ସମ୍ପ୍ରସାରଣ କାର୍ଯ୍ୟ ଗ୍ରହଣ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କରେ ପଠନ ଗୃହ, ଖେଳ ପଡ଼ିଆ, କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ଅଭିନବ ସୁବିଧାର ବିକାଶ କରାଯିବ । ୬) କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳଗୁଡ଼ିକର ଉନ୍ନତି ମଧ୍ୟ ଏହି ଯୋଜନା ମାଧ୍ୟମରେ କରାଯାଇପାରିବ ।
ଏହି ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଆବଶ୍ୟକ ବଜେଟର ବ୍ୟବସ୍ଥା ସରକାର ଅଗ୍ରାଧିକାର ଭିତ୍ତିରେ ସମୟର ପରିଧି ମଧ୍ୟରେ କରାଯିବା ପାଇଁ ପଦକ୍ଷେପ ନେଇଛନ୍ତି । ଗ୍ରାମସଭା ଠାରୁ ଆରମ୍ଭ କରି ସମସ୍ତଙ୍କ ସହଭାଗୀତାରେ ପ୍ରକଳ୍ପଗୁଡ଼ିକର ଚୟନ କରାଯିବ, ଉକ୍ତ ଯୋଜନାର ପ୍ରତ୍ୟେକ ପ୍ରକଳ୍ପର ସଠିକ୍ ତଦାରଖ ଓ ପର୍ଯ୍ୟବେକ୍ଷଣ ନିମନ୍ତେ ସାମାଜିକ ସମୀକ୍ଷାର ପ୍ରାବଧାନ ରହିବ । ଏହି ଯୋଜନା ଅଧୀନରେ ସୃଷ୍ଟି ହେଇଥିବା ସ୍ଥାୟୀ ସମ୍ପତ୍ତି ମୁଖ୍ୟତଃ ଗୋଷ୍ଠୀଭିତ୍ତିକ ପ୍ରକଳ୍ପ । ତେଣୁ ଜଣସାଧାରଣ ଉପରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, କାର୍ଯ୍ୟର ଗୁଣବତ୍ତା, ସୃଷ୍ଟି ହୋଇଥିବା ସମ୍ପତ୍ତିର ରକ୍ଷଣାବେକ୍ଷଣର ଦାୟିତ୍ୱ ନ୍ୟସ୍ତ ରହିବା ଆଶା କରାଯାଏ । ଏହି ଯୋଜନାର ସଫଳ ରୂପାୟନ ହେଲେ ଗ୍ରାମୀଣ ଲୋକମାନଙ୍କର ମୁହଁରେ ହସ ଫୁଟାଇ ବିକଶିତ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେଇପାରିବା ସଙ୍ଗେ ସଙ୍ଗେ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିପାରିବ ।