ବିଶେଷଜ୍ଞଙ୍କ ମତରେ, ଦେଶର ବିକାଶରେ ଶକ୍ତିର ମହତ୍ତ୍ୱକୁ ଲକ୍ଷ୍ୟକରି ସରକାର ଶକ୍ତି କ୍ଷେତ୍ରରେ ଅଧିକ ନିବେଶ କରିବେ । ନୂଆ ଜାତୀୟ ବିଦ୍ୟୁତ ନିୟମ ଆସିପାରେ । ୨୦୭୦ ମସିହା ସୁଦ୍ଧା ନିଟ୍ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ପ୍ରତିବଦ୍ଧତା ପୂରଣ ପାଇଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସହିତ ଦେଶରେ ବିଜୁଳି ଚାହିଦା ପୂରଣ ପାଇଁ ନବୀକରଣୀୟ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ।
ଆସନ୍ତା ଫେବ୍ରୁଆରୀ ମାସ ୧ ତାରିଖରେ ଅର୍ଥମନ୍ତ୍ରୀ ଡ. ନିର୍ମଳା ସୀତାରମଣ ଲୋକସଭାରେ ୨୦୨୫- ୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଇଂରାଜୀ ବର୍ଷର ଏପ୍ରିଲ ମାସ ୧ ତାରିଖରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୟକୁ ଆର୍ଥିକ ବର୍ଷ କୁହାଯାଏ । ତେଣୁ ୨୦୨୫-୨୬ ବଜେଟ୍ ୧.୪.୨୦୨୪ରୁ ୩୧.୩.୨୦୨୫ ଅବଧିର ହେବ । ବଜେଟର ସାମ୍ବିଧାନିକ ନାମ ‘ବାର୍ଷିକ ଆର୍ଥିକ ବିବରଣୀ' । ସରଳ ଭାଷାରେ କହିଲେ, ବଜେଟ୍ ହେଉଛି ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର ହିସାବ । ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ ହୋଇଥାଏ ପ୍ରଚୁର ଅର୍ଥ । ଭାରତୀୟ ସମ୍ବିଧାନ ଧାରା ୧୧୪(୩) ଅନୁସାରେ ସଂସଦର ବିନାନୁମତିରେ ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି ନାହିଁ । ତେଣୁ ସମ୍ବିଧାନ ଧାରା ୧୧୨ ଅନୁସାରେ ପ୍ରତିବର୍ଷ ସଂସଦରେ ବଜେଟ୍ ଉପସ୍ଥାପନ ଏବଂ ଅନୁମୋଦନର ନିୟମ ରହିଛି । ଗୋଟିଏ ବର୍ଷରେ ସରକାରଙ୍କର ସମୁଦାୟ ଆୟ ଏବଂ ସମୁଦାୟ ବ୍ୟୟକୁ ଯଦି ଗୋଟିଏ ଗୋଟିଏ ଟଙ୍କା ଧରାଯାଏ ତାହେଲେ ସେ ଟଙ୍କା କେଉଁ ସ୍ରୋତରୁ ଆସିବ ଏବଂ କେଉଁ ବାବଦରେ ଖର୍ଚ୍ଚ ହେବ ତାହାର ବିବରଣୀ ହିଁ ବଜେଟ୍ ।
ଯେହେତୁ ବଜେଟ୍ ବ୍ୟକ୍ତିଗତ ଆୟ ଠାରୁ ଆରମ୍ଭ କରି ଦେଶର ଆୟ ଏବଂ ବ୍ୟୟ ଦେଖାଏ, ଏହା ସାଧାରଣ ଲୋକ, କର୍ପୋରେଟ ଜଗତ, ବଡ଼ ଓ ସାନ ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରଭାବିତ କରେ । ତେଣୁ ବଜେଟରୁ ଦେଶବାସୀ ବହୁତ କିଛି ଆଶା କରନ୍ତି । ୨୦୨୫- ୨୬ ବଜେଟରୁ ସାଧାରଣ ଲୋକ ଓ ଅର୍ଥନୈତିକ ବିଶାରଦ ଯାହା ଆଶା କରନ୍ତି ତାହା ଆଲୋଚନାସାପେକ୍ଷ । ବଜେଟ୍ ଉପରେ ସବୁଠୁ ବେଶୀ ଆଶା ଥାଏ ଆୟକରଦାତାଙ୍କର । ଦେଶରେ ଦରଦାମ ବୃଦ୍ଧି, ଉଚ୍ଚ ସୁଧହାର, ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ ହ୍ରାସ ଏବଂ ପ୍ରତିକୂଳ ବୈଶ୍ୱିକ ପରିସ୍ଥିତି ଯୋଗୁଁ ଦେଶର ଅଭିବୃଦ୍ଧି ହାର ହ୍ରାସ ଯୋଗୁଁ ସାଧାରଣ ଲୋକ ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀ ହାତରେ ଅର୍ଥ କମ୍ । ତେଣୁ କ୍ରୟଶକ୍ତି ଓ କିଣାକିଣି କମ୍ । ଚାହିଦା କମ୍ ହେଲେ ଯୋଗାଣ କମ୍ ହେବ । ଉତ୍ପାଦନ ହ୍ରାସ ସ୍ୱାଭାବିକ । ସରକାର ଏଥିପ୍ରତି ଯତ୍ନବାନ ହୋଇ କର ହାରରେ ହ୍ରାସ ଓ ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥା କରିପାରନ୍ତି ।
ଆୟକର ଛାଡ଼ ସୀମା ବର୍ତ୍ତମାନର ତିନିଲକ୍ଷ ଟଙ୍କାରୁ ଚାରିଲକ୍ଷ ବା ପାଞ୍ଚଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ । ସରକାର ଯେହେତୁ ନୂଆ ଆୟକର ବ୍ୟବସ୍ଥାକୁ ସ୍ଥାୟୀ ଏବଂ ପୁରୁଣା ବ୍ୟବସ୍ଥାକୁ ବନ୍ଦ କରିବାକୁ ଚାହୁଁଛନ୍ତି, ନୂଆ ଆୟକର ବ୍ୟବସ୍ଥାରେ ଥିବା ଛଅଟି ସ୍ତର (ସ୍ଲାବ୍)କୁ ହ୍ରାସ କରି ତା' ଉପରେ କରହାର ମଧ୍ୟ ହ୍ରାସ କରିପାରନ୍ତି । ଏହାଦ୍ୱାରା ବାର୍ଷିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କରଦାତାଙ୍କୁ କମ୍ ପରିମାଣର କର ଦେବାକୁ ହେବ । ଏହା ଫଳରେ କରଦାତା ନୂଆ ବ୍ୟବସ୍ଥାକୁ ଯିବେ । ଏମିତିରେ ବି କମ୍ କର ଦେବାକୁ ପଡ଼ୁଥିବାରୁ ଦେଶର ୭୦ଭାଗ କରଦାତା ନୂଆ ବ୍ୟବସ୍ଥାକୁ ଗ୍ରହଣ କରିସାରିଛନ୍ତି ।
ଆୟକରର ସୀମା ସ୍ତର ସଂଖ୍ୟାରେ ହ୍ରାସ ଘଟିପାରେ । ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମା ଉପରେ ମିଳୁଥିବା ସୁଧ ଉପରୁ ଆୟକର ଛାଡ଼ ହୋଇପାରେ । ଏହାର ସମ୍ଭାବନା ଅଧିକ, କାରଣ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ସଂଗ୍ରହ ବଢ଼ିଛି । ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ଜି.ଏସ୍.ଟି. ସଂଗ୍ରହ ମାସିକ ହାରାହାରି ଦେଢ଼ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଆୟକର ସଂଗ୍ରହ ପୂର୍ବ ବର୍ଷର ସେହି ସମୟ ତୁଳନାରେ ୨୫% ଅଧିକ । ସମୁଦାୟ ୭୪୧୦୦୦ କୋଟି ଟଙ୍କାର ଆୟକର ସରକାରୀ ତହବିଲକୁ ଆସିଛି ।
ଆୟକର ହ୍ରାସ ହେଲେ ଅର୍ଥନୀତି ଦୁଇ ପ୍ରକାରର ଲାଭ ପାଇବ- (୧) ଅଧିକ ଲୋକ କର ପରିଧି ଭିତରକୁ ଆସିବେ । ମୁଦ୍ରାଚକ୍ରକୁ ଅଧିକ ଅର୍ଥ ଆସିବ, ଉତ୍ପାଦନ ବୃଦ୍ଧି ହେବ । ସରକାରଙ୍କର ଜନସଂଖ୍ୟାର ୭% କରଦାତା ଲକ୍ଷ୍ୟ ପୂରଣ ଦିଗରେ ଏହା ସହାୟକ ହେବ, (୨) କର କମ୍ ଥିବାରୁ ଲୋକଙ୍କ ହାତକୁ ଅଧିକ ଅର୍ଥ ଆସିବ, ସେମାନେ ଅଧିକ ଖର୍ଚ୍ଚ କରିବେ, ଜି.ଏସ୍. ଟି. ସଂଗ୍ରହ ଅଧିକ ହେବ, ଉତ୍ପାଦନ ବଢ଼ିବ । ଦେଶରେ ଏକ ଅନୁଗାମୀ କର ବ୍ୟବସ୍ଥା ପ୍ରତିଷ୍ଠା ହେବାରେ ଏହା ସହାୟକ ହେବ ।
୧୯୬୧ ମସିହାରେ ପ୍ରଣୀତ ଆୟକର ଅଧିନିୟମରେ ସନ୍ନିହିତ ବିଭିନ୍ନ ଧାରା ଓ ଜଟିଳ ଭାଷା ଯୋଗୁଁ ସରକାର ଓ ଲୋକଙ୍କ ଭିତରେ ମାମଲା ବଢ଼ୁଛି । ହିସାବରୁ ଜଣାପଡ଼େ ପ୍ରାୟ ୧୦୦୦୦ କୋଟି ଟଙ୍କା ବିବାଦୀୟ ହୋଇ ରହିଛି । ସାଧାରଣ ଲୋକଙ୍କର ବୋଧଗମ୍ୟ ହେଲା ପରି ଆୟକର ନିୟମର ଜଟିଳ ଭାଷାର ସରଳୀକରଣ ପାଇଁ ବଡ଼ ପରିବର୍ତ୍ତନ ଅଣାଯିବ । ଏହା ଉପରେ କାମ ଆରମ୍ଭ ହୋଇସାରିଛି ।
ଗତ ବଜେଟରେ ଦୀର୍ଘମିଆଦୀ ଓ ସ୍ୱଳ୍ପମିଆଦୀ ମ୍ୟୁଚୁଆଲ ଫଣ୍ଡ କ୍ୟାପିଟାଲ ଗେନ୍ସ୍ ଉପରେ ଯଥାକ୍ରମେ ୧୦%ରୁ ୧୨.୫୦% ଏବଂ ୧୫%ରୁ ୨୦% ଟ୍ୟାକ୍ସ ବୃଦ୍ଧିକୁ ଫେରାଇ ନେବାକୁ ମ୍ୟୁଚୁଆଲ ଫଣ୍ଡ ସଂଗଠନ ଏ.ଏମ. ଏଫ୍.ଆଇ. ଦାବି କରିଛନ୍ତି । ଶିଳ୍ପସଂସ୍ଥାମାନେ ଗତବର୍ଷ ଆରମ୍ଭ ହୋଇଥିବା ସିକ୍ୟୁରିଟିଜ୍ ଟ୍ରାନ୍ଜାକ୍ସନ୍ ଟ୍ୟାକ୍ସକୁ ଉଚ୍ଛେଦ ପାଇଁ ଦାବି କରୁଛନ୍ତି । ତାହା ହେଲେ ଉଭୟ ସ୍ୱଳ୍ପ ଓ ଦୀର୍ଘମିଆଦୀ, ଛୋଟ ଏବଂ ବଡ଼ ନିବେଶ ବଢ଼ିବ ବୋଲି ସେମାନଙ୍କର ମତ । ବିଦେଶରେ ନିବେଶ ଉପରେ ସୁଧହାର ବୃଦ୍ଧି ଏବଂ ଭାରତର ଆର୍ଥିକ ଅଭିବୃଦ୍ଧି ହାର କମିବା ଯୋଗୁଁ ବିଦେଶୀ ନିବେଶକ ଭାରତୀୟ ସେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବା ବେଳେ ଆଭ୍ୟନ୍ତରୀଣ ନିବେଶ ବୃଦ୍ଧି କରିବାକୁ ସରକାର ଏ ଦାବି ଗ୍ରହଣ କରିପାରନ୍ତି ।
ମାନୁଫାକ୍ଚରିଂ ସେକ୍ଟର ଦେଶର ଅର୍ଥନୀତିର ଇଞ୍ଜିନ ସଦୃଶ । କରୋନା ପରଠୁ ଏହା ଉଠିପାରୁନି । ଏହି ବିଭାଗ ପାଇଁ ସରକାର ଅନେକ ପ୍ରୋତ୍ସାହନମୂଳକ ଯୋଜନା ଆଣିଛନ୍ତି । ତଥାପି ଉତ୍ପାଦନ ବଢ଼ୁନି । ଏହା ବ୍ୟତୀତ ଭାରତୀୟ ଜିନିଷ ଗୁଣାତ୍ମକ ମାନରେ ବୈଶ୍ୱିକ ପ୍ରତିଯୋଗିତାରେ ବହୁତ ପଛରେ । ଚୀନ୍ ପରି ଏକ ଆକ୍ରମକ ରପ୍ତାନି ଆଭିମୁଖ୍ୟ ଭାରତର ନାହିଁ । ବିଭିନ୍ନ ସମୟରେ ଭାରତ ଆମେରିକା ଓ ୟୁରୋପୀୟ ଦେଶମାନଙ୍କର ଆମଦାନୀ କଟକଣାର ଶିକାର । ତେଣୁ ମାନୁଫାକ୍ଚରିଂ ସେକ୍ଟରକୁ ପ୍ରୋତ୍ସାହିତ କରିବାକୁ ସରକାର ଋଣ ଉପରେ ସୁଧ କମ୍ କରିବାକୁ ଦାବି ହେଉଛି ।
ଅନ୍ୟପକ୍ଷରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା (ପି.ଆଇ.ଏଲ୍.) ଦେଶର ବଡ଼ ବ୍ୟବସାୟୀଙ୍କ ଆଡ଼କୁ ଅଧିକ ଢଳିଛି ବୋଲି କୁହାଯାଏ । ଛୋଟ ବ୍ୟବସାୟୀ ବିଶେଷ କରି ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ (ଏମ୍.ଏସ.ଏମ୍.ଇ.)ଙ୍କୁ ପି.ଆଇ.ଏଲ୍.ର ସୁବିଧା ସହଜରେ ଉପଲବ୍ଧ କରାଇବାର ଆବଶ୍ୟକତା ସରକାର ଅନୁଭବ କରିପାରନ୍ତି । ଏହା ହେଲେ ଉତ୍ପାଦନ, ରୋଜଗାର ଏବଂ ରପ୍ତାନି ବୃଦ୍ଧି ପାଇବ । ଟଙ୍କାର ମୂଲ୍ୟରେ ଦ୍ରୁତ ହ୍ରାସକୁ ରୋକିବା ପାଇଁ ରପ୍ତାନି ବୃଦ୍ଧି କରିବାକୁ ପ୍ରୋତ୍ସାହନମୂଳକ ପଦକ୍ଷେପ ସରକାର ବଜେଟରେ ନିଶ୍ଚିତ କରିପାରନ୍ତି ।
ଦେଶର ଶ୍ରମିକ ସଂଗଠନଗୁଡ଼ିକ ଅଷ୍ଟମ ବେତନ କମିଶନ ବସେଇବା ଏବଂ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇ.ପି.ଏଫ୍.) ପେନସନ୍ ପାଞ୍ଚଗୁଣ ବଢ଼େଇବାର ଦାବି ସହିତ ନୂଆ ପେନସନ୍ ଯୋଜନାକୁ ପ୍ରତ୍ୟାହାର କରି ପୁରୁଣା ପେନସନ ଯୋଜନା ଫେରେଇବାକୁ ଦାବି କରୁଛନ୍ତି । ଅଣସାଙ୍ଗଠନିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ନିୟମ ପ୍ରଣୟନ ଏବଂ ସରକାରୀ ଆୟ ବୃଦ୍ଧି ପାଇଁ ଅତ୍ୟନ୍ତ ଧନୀ (ସୁପର ରିଚ୍)ଙ୍କ ଉପରେ ଅଧିକ ୨% କର ବସେଇବା ସେମାନଙ୍କ ଦାବିରେ ଅନ୍ତର୍ଭୁକ୍ତ । ରେଳ ବଜେଟରେ ଅଧିକ ୧୫% ବ୍ୟୟ ବରାଦ କରାଯାଇପାରେ । ବନ୍ଦେ ଭାରତ, ଅମୃତ ଭାରତ ଟ୍ରେନ୍ ସଂଖ୍ୟା ବଢ଼ାଯାଇପାରେ ।
ରେଳ ସୁରକ୍ଷା ଏବଂ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଇପାରେ । ୨୦୨୦ ମସିହାରେ ଆରମ୍ଭ ହୋଇଥିବା ‘କବଚ' ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ଅଧିକ ବ୍ୟୟ ବରାଦ ହେବ, ଯାହାଫଳରେ ଅଧିକ କମ୍ପାନୀ କବଚ ଯୋଗେଇବେ । ଗ୍ରାମ୍ୟ ସଡ଼କ ଯୋଜନାରେ ଅଧିକ ୧୨% ବ୍ୟୟ ବରାଦ କରାଯିବାର ସମ୍ଭାବନା ରହିଛି । ପାହାଡ଼ିଆ ଓ ଅଳ୍ପ ଜନସଂଖ୍ୟାବିଶିଷ୍ଟ ଜାଗାକୁ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ ସହିତ ଅଧିକ ଓ ଭଲ ରାସ୍ତା ନିର୍ମାଣ କରାଯିବ । ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ଜ୍ଞାନକୌଶଳ ବାବଦରେ ଅଧିକ ଖର୍ଚ୍ଚ କରାଯାଇପାରେ । ଏହା ସହିତ ଜଳବାୟୁ ପରିବର୍ତ୍ତନକୁ ଆଖିଆଗରେ ରଖି ରାସ୍ତା ନିର୍ମାଣରେ ଗ୍ରୀନ୍ ଟେକ୍ନୋଲୋଜିର ଅଧିକ ବ୍ୟବହାର ପାଇଁ ଅଧିକ ଅର୍ଥ ବରାଦ କରାଯାଇପାରେ ।
ବିଶେଷଜ୍ଞଙ୍କ ମତରେ, ଦେଶର ବିକାଶରେ ଶକ୍ତିର ମହତ୍ତ୍ୱକୁ ଲକ୍ଷ୍ୟକରି ସରକାର ଶକ୍ତି କ୍ଷେତ୍ରରେ ଅଧିକ ନିବେଶ କରିବେ । ନୂଆ ଜାତୀୟ ବିଦ୍ୟୁତ ନିୟମ ଆସିପାରେ । ୨୦୭୦ ମସିହା ସୁଦ୍ଧା ନିଟ୍ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ପ୍ରତିବଦ୍ଧତା ପୂରଣ ପାଇଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସହିତ ଦେଶରେ ବିଜୁଳି ଚାହିଦା ପୂରଣ ପାଇଁ ନବୀକରଣୀୟ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ଦେଶରେ ବିଦ୍ୟୁତ୍ ସରବରାହ ଓ ବଣ୍ଟନ ଏକ ବଡ଼ ସମସ୍ୟା । ଏହାର ସୁପରିଚାଳନା କରି ବିଦ୍ୟୁତ୍ ଅପଚୟ ରୋକିବା ପାଇଁ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯିବ ।
ବେରୋଜଗାରୀ, ମୁଦ୍ରାସ୍ଫୀତି, ଚାହିଦା ହ୍ରାସ ଇତ୍ୟାଦିକୁ ଦେଖି ସରକାର ବିଶେଷଜ୍ଞ କମିଟିର ସୁପାରିସ ଅନୁସାରେ ମନରେଗା ମଜୁରିକୁ ଦୁଇଗୁଣ କରିପାରନ୍ତି ଏବଂ ନିଶ୍ଚିତ କର୍ମ ଯୋଗାଣର ଅବଧି ଶହେ ଦିନରୁ ଦୁଇଶହ ଦିନକୁ ବୃଦ୍ଧି କରିପାରନ୍ତି । ସବୁଠୁ ବଡ଼ ପ୍ରଶ୍ନ- ସରକାର ନିଯୁକ୍ତି ସୃଷ୍ଟି ପାଇଁ କି ଯୋଜନା ଆଣୁଛନ୍ତି । ଏହା ସହିତ ଚାଲୁଥିବା ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଏବଂ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଦେଶର ଦରଦାମ୍ ବୃଦ୍ଧିରେ ପେଟ୍ରୋଲ/ଡିଜେଲ ପରି ଇନ୍ଧନ ତୈଳର ବଡ଼ ଭୂମିକା ରହୁଥିବାରୁ ସରକାର ସେସବୁ ଉପରେ ଶୁଳ୍କ ହ୍ରାସ ପାଇଁ ନିଷ୍ପତ୍ତି ନେଇପାରନ୍ତି । ଏମିତି ବି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଛି । ଆଶା ତ ଅନେକ । ବଜେଟ୍ ପେଡ଼ି ଖୋଲିଲେ କେତେ ଆଶା ପୂରଣ ହୋଇଛି ଜଣାପଡ଼ିବ ।