ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତି ଘୋଷଣା, ବର୍ଷକୁ ରପ୍ତାନିକାରୀ ହରାଇବେ ୭୦୦ କୋଟି ଡଲାର

Published By : Prameya | February 19, 2025 9:20 AM

ନୂଆଦିଲ୍ଲୀ ୧୯/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନଃ କ୍ଷମତାକୁ ଆସିବା ପରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଛି ଅସ୍ଥିରତା । ଟ୍ରମ୍ପଙ୍କ ଶୁଳ୍କ ବାଣରେ ସମଗ୍ର ବିଶ୍ୱ ଆଶଙ୍କିତ । ଆସନ୍ତା ଏପ୍ରିଲରୁ ରାଷ୍ଟ୍ରପତି ଟ୍ରମ୍ପ ଅନେକ ଦେଶଗୁଡ଼ିକ ଉପରେ ରେସିପ୍ରୋକାଲ ଟାରିଫ୍‌ ବା ଯେସାକୁ ତେସା ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି । ତାଙ୍କର ଏହି ଧମକରେ ଭାରତୀୟ ରପ୍ତାନିକାରୀଙ୍କ ମଧ୍ୟରେ ବି ଚିନ୍ତାର ମାହୋଲ ।

ସିଟି ରିସର୍ଚ୍ଚର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଟ୍ରମ୍ପଙ୍କ ଟାରିଫ୍‌ କଟକଣା ଯୋଗୁ ଭାରତୀୟ ରପ୍ତାନିକାରୀମାନେ ବର୍ଷକୁ ପ୍ରାୟ ୭୦୦ କୋଟି ଡଲାରର କ୍ଷତି ସହିବେ । ସରକାରୀ ଅଧିକାରୀମାନେ ଏବେ ଅପେକ୍ଷା କରିଛନ୍ତି ଯେ, ଶୁଳ୍କକୁ କିଭଳି ହିସାବ କରାଯିବ । ସେମାନଙ୍କ କହିବାନୁସାରେ, ଟ୍ରମ୍ପଙ୍କ ଟାରିଫ୍‌ ନୀତିର ପାଲଟା ଜବାବ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାସହିତ ଆମେରିକୀୟ ଉତ୍ପାଦଗୁଡ଼ିକରେ ଶୁଳ୍କ ହ୍ରାସ ଏବଂ ଆମେରିକା ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବା ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ ହେଉଛି । 

ଯେସାକୁ ତେସା ଆମଦାନି ଶୁଳ୍କ ନୀତି ଘୋଷଣା କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ଆମେ ଅଧିକ କିମ୍ବା କମ୍‌ ଶୁଳ୍କ ଲଗାଇବୁ ନାହିଁ । ଯେଉଁ ଦେଶ ଯାହା ଲଗାଉଛନ୍ତି ସମାନ ହାରରେ ଶୁଳ୍କ କଷିବୁ । ସେ କହିଛନ୍ତି, ଆମର ଅନେକ ସହଯୋଗୀ ଶତ୍ରୁଠାରୁ ଭୟଙ୍କର । ଅନ୍ୟ ସମସ୍ତ ଦେଶ ତୁଳନାରେ ଭାରତର ଆମଦାନି ଶୁଳ୍କ ଅଧିକ । ଏଣୁ ଟାରିଫ୍‌ ନୀତିରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ । ସିଟି ବିଶେଷଜ୍ଞମାନଙ୍କ କହିବାନୁସାରେ, ଆମେରିକାର ଶୁଳ୍କ ଯୋଗୁ କେମିକାଲ, ଧାତବ ଉତ୍ପାଦ, ଗହଣା, ଅଟୋମୋବାଇଲ, ଫାର୍ମା ଏବଂ ଖାଦ୍ୟ ଉତ୍ପାଦ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ରିପୋର୍ଟ ଅନୁସାରେ, ଆମେରିକାରୁ ଭାରତ ଆସୁଥିବା ୮୦%ରୁ ଊଦ୍ଧ୍ୱର୍ ସାମଗ୍ରୀରେ ୨୦%ରୁ କମ୍‌ ଆମଦାନି ଶୁଳ୍କ ଲାଗୁଥିବାବେଳେ ୨୦ଟି ସାମଗ୍ରୀରେ ୧୦୦%ରୁ ଅଧିକ ଶୁଳ୍କ ଲାଗୁଛି । ଏଲନ୍‌ ମସ୍କଙ୍କ ଟେସ୍‌ଲା ମଧ୍ୟ ଏହି ଉଚ୍ଚ ଟାରିଫ୍‌ ଯୋଗୁ ଏଯାଏ ଭାରତକୁ ଆସିପାରିନାହିଁ । ଆମେରିକାରୁ ଆସୁଥିବା ପ୍ରିମିୟମ କାର ଏବଂ ମୋଟର୍‌ସାଇକେଲ ଉପରେ ତଗ୍‌ଡା ଶୁଳ୍କ ଲଗାଉଛି ଭାରତ । ଆମେରିକାରୁ ଆସୁଥିବା ଇଭିଗୁଡ଼ିକ ଉପରେ ଭାରତ ୧୨୫% ଶୁଳ୍କ ଲଗାଉଛି । ସେଠାରୁ ଆସୁଥିବା ୱାଇନ୍‌, ହ୍ୱିସ୍କି, ରମ୍‌ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଉପରେ ୧୫୦%ର ସର୍ବୋଚ୍ଚ ଟାରିଫ୍‌ ଲାଗୁଛି । ଆଉ ୪୨ଟି ସାମଗ୍ରୀ ଉପରେ ୬୦ରୁ ୧୦୦% ଟାରିଫ୍‌ ଲାଗୁଥିବାବେଳେ ୧.୯% ଉତ୍ପାଦରେ ୩୦ରୁ୬୦% ଶୁଳ୍କ ଲାଗୁ ହେଉଛି । ତେଣୁ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ୍‌ ଦ୍ୱାରା ଭାରତ ବି ପ୍ରଭାବିତ ହେବ, ଏଥିରେ ସନ୍ଦେହ ନାହିଁ । ୨୦୨୪ରେ ଭାରତରୁ ଆମେରିକା ଯାଇଛି ୮୭.୪ ବିଲିୟନ ଡଲାର ସାମଗ୍ରୀ ଏବଂ ସେଠାରୁ ଦେଶକୁ ଆସିଛି ୪୧.୮ ବିଲିୟନ ଡଲାର ସାମଗ୍ରୀ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କାରବାର ରହିଛି ୧୨୯.୨ ବିଲିୟନ ଡଲାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.