ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଏଲନ୍ ମସ୍କଙ୍କ ପିତା ଏରୋଲ ମସ୍କ । ଓବାମା ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ନେଇ ଖବର ଆସୁଥିବା ବେଳେ ଭାଲେଣ୍ଟାଇନସ୍ ଡେ’ରେ ଉଭୟେ ଫଟୋ ଶେୟାର କରି ଚର୍ଚ୍ଚାରେ ବିରାମ ଟାଣିଛନ୍ତି । ସେପଟେ ଏହାରି ଭିତରେ ଏରୋଲ ମସ୍କ ବଡ଼ ଦାବି କରି ଓବାମା ଦମ୍ପତିଙ୍କୁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଟାଣିଛନ୍ତି । ବାରାକ ଓବାମା ଗେ’ ବା ସମଲିଙ୍ଗୀ ହୋଇଥିବା ବେଳେ ମିଶେଲ ଓବାମା ଜଣେ ପୁରୁଷ ଏବଂ ସେ ମହିଳାଙ୍କ ପୋଷାକ ପିନ୍ଧୁଛନ୍ତି ବୋଲି ଏରୋଲ ମସ୍କ କହିଛନ୍ତି ।
ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଅଜବ ଦାବି ପାଇଁ ଜଣାଶୁଣା । 'ୱାଇଡ୍ ଆୱେକ୍ ପଡକାଷ୍ଟ'ରେ ଜୋଶୁଆ ରୁବିନଙ୍କ ସହିତ ଏକ ସାକ୍ଷାତକାରରେ ଏରୋଲ୍ କହିଛନ୍ତି, ‘ଆମେ ଅନୁଭବ କଲୁ ଯେ ଓବାମା ଜଣେ ସମଲିଙ୍ଗୀ ଯିଏ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି । ଯିଏ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି ।’ ଏରୋଲଙ୍କ ଏହି ଦାବି ଶୁଣି ଉପସ୍ଥାପକ ଅବାକ ହୋଇଯାଇଥିଲେ । ଉପସ୍ଥାପକ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲେ, 'ମିଶେଲ ଓବାମା କ'ଣ ଜଣେ ପୁରୁଷ?'
ଏହାର ଜବାବରେ ଏରୋଲ କହିଛନ୍ତି, ‘ନିଶ୍ଚିତ, ତୁମେ ଏହା ଜାଣି ନଥିଲ ?’ ତା’ପରେ ସେ ୨୦୧୪ ମସିହାରେ ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମାଙ୍କ ଜେଣ୍ଡର ବା ଲିଙ୍ଗକୁ ନେଇ ହାସ୍ୟ ଅଭିନେତା ଜନ୍ ରିଭର୍ସ କଥାକୁ ମନେ ପକାଇଥିଲେ । ଏପରିକି ବାରାକ ଓବାମା ଜଣେ ସମଲିଙ୍ଗୀ ବୋଲି ସେ କହିଥିଲେ । ଏରୋଲ ମସ୍କ କହିଛନ୍ତି, ‘ଓବାମା ଦମ୍ପତିଙ୍କୁ ନେଇ କମେଡି କରିଥିବା ଜନ୍ ରିଭର୍ସଙ୍କୁ ଦୁଇ ସପ୍ତାହ ପରେ ହତ୍ୟା କରାଯାଇଥିଲା । ସେମାନେ ତାଙ୍କୁ ହାଣି ପକାଇଥିଲେ । ଏହା ହିଁ ସାଧାରଣ ଜ୍ଞାନ, ଯେଉଁଠାରୁ ଆପଣ ଖୋଜିପାରିବେ ।’ ସୂଚନାଯୋଗ୍ୟ ଯେ, ଏହି ଅଜବ ଦାବି କରିବାର କିଛି ସପ୍ତାହ ପରେ ମସ୍ତିଷ୍କ ଆଘାତ ଯୋଗୁଁ ରିଭର୍ସ ସେପ୍ଟେମ୍ବର ୪, ୨୦୧୪ରେ ମୃତ୍ୟୁବରଣ କରିଥିଲେ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ।
୧୯୯୨ରେ ବିବାହ କରିଥିଲେ ଓବାମା
ବାରାକ୍ ଓବାମା ଏବଂ ମିଶେଲଙ୍କ ସାକ୍ଷାତ ୧୯୮୯ ମସିହାରେ ଏକ ଆଇନ ଫାର୍ମରେ ହୋଇଥିଲା।' ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ ଏବଂ ସେମାନେ ଦୁଇ ସନ୍ତାନ, ମାଲିଆ (୨୬) ଏବଂ ଶାଶା (୨୩)ଙ୍କ ପିତାମାତା ଅଟନ୍ତି ।
'ଏଲୋନ୍ ମସ୍କ ଜଣେ ଭଲ ପିତା ନୁହଁନ୍ତି'
ଏରୋଲ ମସ୍କ ସାକ୍ଷାତକାର ସମୟରେ କହିଛନ୍ତି ଯେ, ତାଙ୍କ ପୁଅ ଏଲନ ମସ୍କ ଜଣେ ଭଲ ବାପା ନୁହଁନ୍ତି । ତାଙ୍କର ଅଭିଭାବକ ହେବାର ଦକ୍ଷତାକୁ ସମାଲୋଚନା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଟେସଲାର ସିଇଓ ତାଙ୍କ ପିଲାମାନଙ୍କ ପାଖରେ ପ୍ରାୟତଃ ଅନୁପସ୍ଥିତ ରୁହନ୍ତି । ରୁବିନ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏକ ଛୋଟ କ୍ଲିପରେ, ସେ ଏରୋଲଙ୍କୁ ପଚାରିଛନ୍ତି 'ଆପଣ କ'ଣ ଭାବୁଛନ୍ତି ଏଲନ ଜଣେ ଭଲ ବାପା?' ଏହାର ଉତ୍ତରରେ ଏରୋଲ୍ କହିଛନ୍ତି ଯେ, 'ନା, ସେ ଜଣେ ଭଲ ପିତା ନୁହଁନ୍ତି।'