ୱାଶିଂଟନ୍/ନୂଆଦିଲ୍ଲୀ,୧୭/୦୨: ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ସରକାର ଖର୍ଚ୍ଚ କାଟ୍କୁ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଭାରତର ନିର୍ବାଚନରେ ମତଦାତାଙ୍କ ଭାଗିଦାରୀ ବଢ଼ାଇବା ଲାଗି ମିଳୁଥିବା ୧୮୨ କୋଟି ଟଙ୍କା ପାଣ୍ଠିକୁ ଟ୍ରମ୍ପ୍ ସହଯୋଗୀ ଏଲନ୍ ମସ୍କ ରୋକିଦେଇଛନ୍ତି । ମସ୍କଙ୍କ ନେତୃତ୍ୱାଧୀନ ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ) ଏହି ନିଷ୍ପତ୍ତି ନେଇଛି । ଡିଓଜିଇ ପକ୍ଷରୁ ଏ ନେଇ ଏକ ତାଲିକା ଜାରି ହୋଇଛି ।
ତାଲିକାରେ ଉକ୍ତ ବିଭାଗ ପକ୍ଷରୁ ୧୫ ପ୍ରକାର କାର୍ଯ୍ୟକ୍ରମର ଫଣ୍ଡିଂ ରଦ୍ଦ କରିଦିଆଯାଇଛି । ଏଥିରେ ଏକ ପ୍ରୋଗାମ ଥିଲା ଯାହା କି ସାରା ବିଶ୍ୱରେ ନିର୍ବାଚନ ପ୍ରକ୍ରିୟାକୁ ମଜଭୁତ କରିବା ଲାଗି ଉଦ୍ଦିଷ୍ଟ । ଏହା ବାବଦରେ ୪,୨୦୦ କୋଟି ଟଙ୍କା ପାଣ୍ଠିଂ ପ୍ରଦାନ କରାଯାଉଥିଲା । ସେଥିରୁ ଭାରତକୁ ୧୮୨ କୋଟି ଟଙ୍କା ମିଳୁଥିଲା । ଡିଓଜିଇ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇ କୁହାଯାଇଛି, ଆମେରିକାର କରଦାତାଙ୍କ ଟଙ୍କାକୁ ଉପରୋକ୍ତ ପ୍ରୋଗାମ ପାଇଁ ଖର୍ଚ୍ଚ କରାଯିବାର ଥିଲା । ସେସବୁକୁ ଏବେ ରଦ୍ଦ କରିଦିଆଯାଇଛି ।
ଏ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭୀୟ କହିଛନ୍ତି, ଭାରତୀୟ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏହି ପାଣ୍ଠିର ବ୍ୟବହାର କରାଯାଇଛି । କଂଗ୍ରେସ ପାର୍ଟି ଏବଂ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରସ ଭାରତର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅମିତ ମାଲଭୀୟ ଅଭିଯୋଗ କରିଛନ୍ତି ।
ଏକ୍ସରେ ସେ ଏକ ପୋଷ୍ଟ କରି କହିଛନ୍ତି, ମତଦାତାଙ୍କ ସଂଖ୍ୟା ବଢ଼ାଇବା ପାଇଁ ୧୮୨ କୋଟି ଟଙ୍କା? ଭାରତୀୟ ନିର୍ବାଚନୀ ପ୍ରକ୍ରିୟାରେ ଏହା ବାହ୍ୟ ହସ୍ତକ୍ଷେପ । ଏହା ସ୍ପଷ୍ଟ ଯେ ଏହାର ଲାଭ ବିଜେପିକୁ ଯିବନାହିଁ । ଏବଂ ଜର୍ଜ ସୋରସ୍ ଗାନ୍ଧୀ ପରିବାରର ଜଣାଶୁଣା ସହଯୋଗୀ ବୋଲି ଅମିତ କହିଛନ୍ତି ।
ପ୍ରକାଶଥାଉ କି, ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଓଜିଇ ମୁଖ୍ୟ ଏଲନ ମସ୍କଙ୍କୁ ଆମେରିକାରେ ସାକ୍ଷାତ କରିଥିଲେ । ସେହିପରି ଡିଓଜିଇ ପକ୍ଷରୁ ଜାରି ତାଲିକାରେ ବାଂଲାଦେଶକୁ ମିଳୁଥିବା ୨୫୧ କୋଟିର ଫଣ୍ଡିଂ ମଧ୍ୟ ରହିଛି । ବାଂଲାଦେଶରେ ରାଜନୈତିକ ସ୍ଥିତି ସୁଦୃଢ଼ କରିବା ଲାଗି ଏହି ପାଣ୍ଠି ଦିଆଯାଉଥିଲା । ଏବେ ଏହି ପାଣ୍ଠି ଯୋଗାଣକୁ ରଦ୍ଦ କରାଯାଇଛି । ସହାୟତା ରଦ୍ଦ କରାଯାଇଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ରହଛି ମୋଜାମ୍ବିକ୍, ପ୍ରାଗ୍, କାମ୍ବୋଡିଆ, ସର୍ବିଆ, ଲାଇବେରିଆ, ଦକ୍ଷିଣ ଆଫ୍ରିକା, ମାଲି । କେବଳ ଏସିଆକୁ ୪୦୭ କୋଟି, ୩୪ ଲକ୍ଷ ୧୨ ହଜାରରୁ ଊଦ୍ଧ୍ୱର୍ ଟଙ୍କା ମିଳୁଥିଲା । ଆମେରିକାର ଅନ୍ତର୍ଜାତୀୟ ସହାୟତା ପ୍ରୋଗ୍ରାମଗୁଡ଼ିକରେ ଖର୍ଚ୍ଚ ହେଉଥିବା ଅର୍ଥକୁ ବନ୍ଦ କରିବା ଲାଗି ଟ୍ରମ୍ପ୍ ସରକାର ପକ୍ଷରୁ ଜାରି ଅଭିଯାନ ମଧ୍ୟରୁ ଏହା ଅନ୍ୟତମ । ବିନା ଖର୍ଚ୍ଚ କାଟରେ ଆମେରିକା ଦେବାଳିଆ ହୋଇଯିବ ବୋଲି ମସ୍କ କହିଆସୁଛନ୍ତି ।