ମଧ୍ୟ ପ୍ରଦେଶରେ ଲୋକାୟୁକ୍ତଙ୍କ ଚଢାଉ ପରେ ବିପୁଳ ପରିମାଣର ସୁନା ଓ କ୍ୟାସ୍ ଜବତ ହୋଇଛି। ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ଆକ୍ସନରେ ଆସି ଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପରିବହନ ବିଭାଗର ପୂର୍ବତନ କନଷ୍ଟେବଳ ସୌରଭ ଶର୍ମା ଓ ତାଙ୍କ ସହଯୋଗୀ ଚେତନ ସିଂହ ଗୌରଙ୍କ ବିରୋଧରେ କେସ୍(ଇସିଆଇଆର) ରେକର୍ଡ କରାଯାଇଛି। ସୌରଭ ଶର୍ମାଙ୍କ ବିରୋଧରେ ଚଢାଉରେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ କିଲୋ ସୁନା-ରୂପା, ୧୦ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ ହୋଇଛି। ଏକ ଡାଏରୀ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ୧୦୦ କୋଟି ଟଙ୍କା ହେରଫେରର ହିସାବ-କିତାବ ରେକର୍ଡ କରାଯାଇଥିବା ନେଇ କୁହାଯାଉଛି।
ଲୋକାୟୁକ୍ତ ପୋଲିସ ସୌରଭ ଶର୍ମାଙ୍କ ଆଡ୍ଡା ଉପରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏବେ ଇଡି ମଧ୍ୟ ମନି ଲଣ୍ଡରିଂ ଦିଗରୁ ଏହି ମାମଲାର ଯାଞ୍ଚ କରିବାକୁ ଯାଉଛି। ମୁଖ୍ୟ ଅଭିଯୁକ୍ତ ସୌରଭ ଶର୍ମା ଏପର୍ଯ୍ୟନ୍ତ ଗିରଫ ହୋଇପାରିନି। ସେ ଦୁବାଇରେ ଥିବାର ଚର୍ଚ୍ଚା ହେଉଛି। ବର୍ଷ ପୂର୍ବରୁ କନଷ୍ଟେବଳ ଚାକିରୀରୁ ଭିଆରଏସ୍ ନେଇଥିବା ସୌରଭଙ୍କ ସମ୍ପତ୍ତି ଦେଖି ଲୋକାୟୁକ୍ତ ପୋଲିସ, ଇନକମ୍ ଟ୍ୟାକ୍ସ ଓ ଇଡି ଅଧିକାରୀ ଚକିତ ହୋଇଛନ୍ତି।
ସୌରଭଙ୍କ ଘରେ ଗୁରୁବାର ନେଇ ଏପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ଗୁରୁବାର ରାତିରେ ଭୋପାଳର ଏକ ଶୂନଶାନ୍ ଅଞ୍ଚଳରେ ଥିବା ସନ୍ଦିଗ୍ଦ ଇନୋଭା କାର ଭିତରୁ ୫୨ କିଲୋ ସୁନା ଓ ୯.୮୬ ଲକ୍ଷ କ୍ୟାସ୍ ଥିଲା। ତା ଭିତରେ ମଧ୍ୟ ଏକ ଡାଏରୀ ଥିଲା। ଯେଉଁଥିରେ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କା କାରବାରର ବିବରଣୀ ଥିଲା। ଯେଉଁ କାରରୁ ଏହା ଜବତ କରାଯାଇଛି ତାହା ଚେତନ ସିଂହ ଗୌରଙ୍କ ନାଁରେ ରେଜିଷ୍ଟର୍ଡ ରହିଛି। ସୌରଭ ଓ ଚେତନ ଦୁହେଁ ମୂଳ ରୂପରେ ଗ୍ବାଲି୍ରରେ ରୁହନ୍ତି ଓ ବ୍ୟବସାୟୀୟ ବନ୍ଧୁତା ରହିଛି। ବର୍ଷକ ତଳେ ସୌରଭ ଚାକିରୀରୁ ଭିଆରଏସ୍ ନେବ ପରେ ପ୍ରପଟି କାରବାର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ଏସବୁ କଳାଧନର ପ୍ରକୃତ ମାଲିକ ସୌରଭ ନାଁ ଆଉ କିଏ। କୁହାଯାଉଛି ଯେ,ପରିବହନ ବିଭାଗର କିଛି ବଡ଼ ଅଧିକାରୀ ଓ ନେତାଙ୍କ କନେକ୍ସନ ଏହି ମାମଲା ସହ ଯୋଡି ରହିପାରେ।