ଭୁବନେଶ୍ଵର, ୨୯/୦୩ : ମିଆଁମାର ଓ ଥାଇଲାଣ୍ଡରେ ମୃତ୍ୟୁର ତାଣ୍ଡବ ରଚିଛି ପ୍ରକୃତି। ଭୟାନକ ଭୂକମ୍ପରେ କେବଳ ମିଆଁମାରରେ ଗଲାଣି ୬୯୪ ଜୀବନ। ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା। ମିଆଁମାରର ସାମରିକ ସରକାର ଏହି ସୂଚନା ଦେଇଛନ୍ତି। ଏଯାବତ୍ ୧୬୭୦ ଜଣ ଆହତ ହୋଇଛନ୍ତି। ଆହୁରି ଶତାଧିକ ନିଖୋଜ ଅଛନ୍ତି। ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ତେଣୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଥାଇଲାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଯାବତ୍ ୧୦୦ରୁ ଉର୍ଦ୍ଧ୍ଵ ନିଖୋଜ ଅଛନ୍ତି। ଏହି ମଧ୍ୟରେ ୟୁନାଇଟେଡ୍ ଷ୍ଟେଟ୍ ଜିୟୋଲଜିକାଲ୍ ସର୍ଭେ ଏକ ବଡ଼ ଆକଳନ କରିଛି। କେବଳ ମିଆଁମାରରେ ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଏହି ବିଧ୍ଵଂସକାରୀ ଭୂକମ୍ପର ଛାତିଥରା ଚିତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ମିଆଁମାର ଏବଂ ଥାଇଲାଣ୍ଡରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ନିରନ୍ତର ଉଦ୍ଧାର କରାଯାଉଛି। ମିଆଁମାରର ସାମରିକ ସରକାର ସହାୟତା ପାଇଁ ସାରା ବିଶ୍ୱରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଭାରତ ସରକାର ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛନ୍ତି। ବାୟୁସେନାର ବିମାନ ଯୋଗେ ତମ୍ବୁ, କମ୍ବଳ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ, ଶୋଇବା ବ୍ୟାଗ, ସୋଲାର ଲ୍ୟାମ୍ପ, ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ପଠାଯାଇଛି।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟ୍ରେ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଅନୁଭୂତ ହୋଇଥିଲା ୭.୭ ତୀବ୍ରତାର ଭୂକମ୍ପ। ଗୋଟିଏ ପରେ ଗୋଟିଏ କରି ୬ଟି ଝଟ୍କା ଅନୁଭବ କରିଥିଲେ ମିଆଁମାରବାସୀ। ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଥିଲା ବିରାଟକାୟ ଅଟ୍ଟାଳିକା। ରାସ୍ତାଘାଟ ସବୁ ଫାଟି ଆଁ କଲା, ପୋଲ ଭୁଶୁଡ଼ିଗଲା। ସେପଟେ ଥାଇଲାଣ୍ଡରେ ବି ଭୟଙ୍କର କ୍ଷୟକ୍ଷତି ଘଟାଇଲା ୭.୭ ତୀବ୍ରତାର ଭୂକମ୍ପ। ସର୍ବାଧିକ ପ୍ରଭାବିତ ହେଲା ରାଜଧାନୀ ବ୍ୟାଙ୍ଗକକ୍। ମିଆଁମାରର ମୋନୟା ସହର ଠାରୁ ୫୦ କିମି ଦୂରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ। ୧୮୩୯ ଆଭା ଭୂକମ୍ପ ପରେ ଏହା ହେଉଛି ଦେଶରେ ସବୁଠାରୁ ବଡ଼ ଭୂକମ୍ପ । ପ୍ରାୟ ୨୦୦ ବର୍ଷ ତଳେ ଆସିଥିବା ୮.୩ ତୀବ୍ରତାର ଏହି ଭୂକମ୍ପରେ ଯାଇଥିଲା ଶତାଧିକ ଲୋକଙ୍କ ଜୀବନ।
ୟୁନାଇଟେଡ୍ ଷ୍ଟେଟ୍ ଜିୟୋଲଜିକାଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ମିଆଁମାରରେ ଆଉ ୧୪ଟି ଭୂମିକମ୍ପ ଅନୁଭୂତ ହୋଇଛି। ମିଆଁମାରର ମାଟି ୧୦ ଘଣ୍ଟା ମଧ୍ୟରେ ମୋଟ ୧୫ ଥର ଥରିଛି। ଏହି ସମୟରେ ମଧ୍ୟମ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହି ଝଟ୍କା ମଧ୍ୟରୁ ଗୋଟିଏ ୬.୭ ତୀବ୍ରତାର ଥିଲା।
ଏହି ଖବରଟିକୁ ପଢନ୍ତୁ-ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ, ପଠାଇଲା ରିଲିଫ ସାମଗ୍ରୀ