ନୂଆଦିଲ୍ଲୀ,୨୯/୦୩: ସହାୟତାର ହାତ ବଢାଇଲା ଭାରତ । ମିଆଁମାରକୁ  ପଠାଇଲା ରିଲିଫ। ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ । ଟେଣ୍ଟ୍, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ, ସୋଲାର ଲ୍ୟାମ୍ପ ପଠାଯାଇଛି । ଏଥିସହ ଆବଶ୍ୟକୀୟ ଔଷଧ ସହ ଜେନେରେଟର ସେଟ୍ ମଧ୍ୟ ପଠାଯାଇଛି। ଭାରତୀୟ ବାୟୁସେନା ବିମାନ C 130 ହିଣ୍ଡନ ବେସ୍ ରୁ ମିଆଁମାରକୁ ରିଲିଫ୍ ସାମଗ୍ରୀ ପଠାଯାଇଛି।ଅନ୍ୟପଟେ ମିଆଁମାର କ୍ଷୟକ୍ଷତି ଉପରେ ନଜର ରଖିଛି ଭାରତ ।



ସେହିପରି ଗତକାଲି ମିଆଁମାର ଓ ଥାଇଲାଣ୍ଡରେ ବଡ଼ ଧରଣର ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବେଗ ପ୍ରକାଶ କରିବା ସହ ଉଭୟ ରାଷ୍ଟ୍ରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ ।  ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତରେ କର୍ତ୍ତୃପକ୍ଷ ଏ ଦିଗରେ ପ୍ରସ୍ତୁତ ଅଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମ୍ପୃକ୍ତ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫ୍ରାନ୍ସ ଏବଂ ୟୁରୋପୀୟ ସଂଘ ମଧ୍ୟ ସହାୟତା ଯୋଗାଇବାକୁ କହିଛି।  ମିଆଁମାର ଓ ଥାଇଲାଣ୍ଡ୍‌ରେ ଭୂମିକମ୍ପ ପରେ ପରିସ୍ଥିତି ଉପରେ ଭାରତ ଅହରହ ନଜର ରଖିଛି ।  ସମସ୍ତଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ଜରୁରୀ ସହାୟତା ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ- ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଅନ୍ୟପଟେ ବ୍ୟାଙ୍କକ ଏବଂ ଥାଇଲାଣ୍ଡର କେତେକ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ଭାରତୀୟ ଦୂତାବାସ’ଥାଇ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି । ସେପଟେ ଭୂମିକମ୍ପରେ ଆହତଙ୍କ ଚିକିତ୍ସା ଲାଗି ମିଆଁମାର ରାଜଧାନୀ ନ୍ୟାପିଦ, ମାଣ୍ଡାଲେ ଓ ସାଗାଇଙ୍ଗ ସହରର ଡାକ୍ତରଖାନା ଗୁଡିକରେ ଅସମ୍ଭାଳ ଭିଡ଼ ଲାଗି ରହିଛି। ଏଥିପାଇଁ ଅନେକ ସ୍ଥାନରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଅନ୍ୟପଟେ ଜୁଣ୍ଟା ସରକାର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହିତ ଓ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛନ୍ତି। ଫଳରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରୁ ସବିଶେଷ ରିପୋର୍ଟ ମିଳିବା କଷ୍ଟକର ହୋଇଛି।