ନୂଆଦିଲ୍ଲୀ,୧୫/୦୪: ଭୂକମ୍ପରେ ଥରିଲା ଆମେରିକା । ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ମାତ୍ର ଭୟରେ ଲୋକ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।
ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଦକ୍ଷିଣ କାର୍ଲିଫର୍ଣ୍ଣିଆରେ ସ୍ଥାନୀୟ ସମୟ ଅନୁସାରେ ସୋମବାର ସକାଳୁ ୫.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି । ଏହାର ଗଭୀରତା ୮.୩ କିମି ରହିଥିଲା । ପ୍ରଭାବରେ ସେନ୍ ଡିଏଗୋରେ ପାହାଡ଼ରୁ ପଥର ଖସି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଭୂକମ୍ପରେ ଘର ଦୋହଲିବାକୁ ଲାଗିଥିଲା । ଜିନିଷପତ୍ର ଏଣେ ତେଣେ ପଡ଼ିଯାଇଥିଲା । ଅଧିକ କିଛି କ୍ଷୟକ୍ଷତି ହୋଇନାହିଁ ମାତ୍ର ଭୂକମ୍ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ...ପ୍ରକୃତି କୋପ; ୨୪ ଘଣ୍ଟାରେ ୨ଥର ଥରିଲା ମ୍ୟାଁମାର, ୪.୧ ତୀବ୍ରତା ରେକର୍ଡ଼
ଭୂକମ୍ପ ସମୟର ଏକ ଭିଡ଼ିଓ ସୋସିଆଲ ମଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ଭୂକମ୍ପରେ ଘର ଦୋହଲିବାକୁ ଲାଗିଥିଲା । ଟେବୁଲ, ଚୌକିି ଦୋହଲିଥିଲା । ଘରେ ଥିବା ଗୃହପାଳିତ ପଶୁ ଭୟରେ ଦୌଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି । କହି ରଖୁଛୁ କି, ଗତ ମାର୍ଚ୍ଚ ୨୮ ତାରିଖରେ ମ୍ୟାଁମାରରେ ୭.୭ ତୀବ୍ରତାର ବିନାଶକାରୀ ଭୂକମ୍ପ ହୋଇଥିଲା । ଯେଉଁଥିରେ ଛାରଖାର ହୋଇଥିଲା ଭାରତର ପଡୋଶୀ ଦେଶ ମ୍ୟାଁମାର । ୩,୬୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ପରଠୁ ମ୍ୟାଁମାରରେ ୩ରୁ ଅଧିକ ଥର ଭୂକମ୍ପ ଝଟକା ଲାଗିଛି ।