ଦାରିଙ୍ଗବାଡି,୩୧/୦୧: କିଛି ପୋଲିସ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ପୋଲିସ ବିଭାଗ । ଯେଉଁ ପୋଲିସ ବିଭାଗକୁ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାକୁ ଦାଇତ୍ୱ ଦିଆଯାଇଛି, ସେହି ବିଭାଗର ଜଣେ କନେଷ୍ଟବଲ ଜାତୀୟ ରାଜପଥ ମଝି ରାସ୍ତାରେ ଗାଡ଼ି ରଖି ଶୋଇପଡ଼ିଲେ । ମଦ୍ୟପାନ କରି ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରିଲେ ପୋଲିସ ବାବୁ । କନଷ୍ଟେବଲ ଜଣଙ୍କ ହେଉଛନ୍ତି ମନୋରଞ୍ଜନ ସାବତ । ଦାରିଙ୍ଗବାଡି ଥାନାରେ ଜଣେ କାର୍ଯ୍ୟରତ କନଷ୍ଟେବଲ ପକ୍ଷରେ ଏଭଳି କିଛି ଦେଖିବାକୁ ମିଳିଛି ।
ସୂଚନା ମୁତାବକ, କନଷ୍ଟେବଲ ମନୋରଞ୍ଜନ ଦାରିଙ୍ଗବାଡ଼ିର ଜନ ଗହଳିପୂର୍ଣ୍ଣ ୫୯ ନମ୍ୱର ଜାତୀୟ ରାଜପଥର ୪ ଛକ ରାସ୍ତା ମଝିରେ ନିଜ କାର୍କୁ ଷ୍ଟାର୍ଟ ଅବସ୍ଥାରେ ରଖି ଡ୍ରାଇଭର ସିଟ୍ରେ ନିଘୋଡ଼ ନିଦରେ ଶୋଇ ପଡିଥିଲେ । ଫଳରେ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଯାତାୟତରେ ସମସ୍ୟା ଦେଖା ଦେଇଥିଲା । ଫଳରେ ଲୋକମାନେ ବହୁ ହଇରାଣ ହରକତ ହୋଇଥିଲେ । ଏହି ପୋଲିସ ବାବୁ ଖାଲି ଗାଡ଼ିରେ ଶୁଅନ୍ତି ନାହିଁ ବରଂ ନିଶା ହୋଇଗଲେ ମଦ ଦୋକାନ ପାଖ ହେଉ ଅବା ରାସ୍ତା କଡ଼ରେ ମଧ୍ୟ ଶୋଇ ପଡନ୍ତି । ତେବେ ଏହା ପ୍ରଥମ ଥର ନୁହେଁ । ଏଭଳି ଘଟଣା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । ହେଲେ ପୋଲିସ ବାବୁ ବୋଲି ଏହାର ପ୍ରତିବାଦ କରିବାକୁ ଲୋକେ ଭୟ କରୁଛନ୍ତି । ଏହି ପୋଲିସ ବାବୁ ଜଣଙ୍କ ସବୁ ବେଳେ ନିଶାସକ୍ତ ଅବସ୍ଥାରେ ରହିଥାନ୍ତି । ନିଜର କର୍ତ୍ତବ୍ୟ କରିବା ବଦଳରେ ଦିନ ରାତି ମଦ ଦୋକାନ ବୁଲି ବୁଲି ମଦ ପିଅନ୍ତି । ଏହି କନଷ୍ଟେବଲ ଜଣଙ୍କ ଯେଉଁ ଥାନାକୁ ଯାଆନ୍ତି, ସବୁବେଳେ ମଦ୍ୟ ପାନ କରି ରୁହନ୍ତି । ସେଥିପାଇଁ କୁଆଡେ ଏହି କନଷ୍ଟେବଲକୁ କୌଣସି ଥାନାରେ ରଖିବାକୁ ଥାନା ଅଧିକାରୀ ମାନେ ପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳୁଛି । ଏଭଳି କି ଏସପି କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ରଖିବାକୁ କେହି ପସନ୍ଦ କରନ୍ତି ନାହିଁ ।