ଭୁବନେଶ୍ୱର,୨୫/୦୮: ଘରେ ଘରେ ଡେଙ୍ଗୁ ରୋଗୀ । ଦେହରେ ତାତି, ଗଣ୍ଠିବିନ୍ଧା ସହ ମୁଣ୍ଡଦରଜ ଲାଗୁଥିଲେ ଏହାକୁ ସାଧାରଣ ଜ୍ୱର ନ ଭାବି ତୁରନ୍ତ ଡାକ୍ତରଖାନାରେ ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସ୍ଥିତି ଏମିତି ଯେ, ଗୋଟିଏ ଗୋଟିଏ ଘରେ ଏକାଧିକ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଡେଙ୍ଗୁ ଚିହ୍ନଟ ହେଉଛନ୍ତି । ତେଣୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।
ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ମାଡି ଚାଲିଛି । ରବିବାର ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୪୦ରେ ପହଞ୍ଚିଛି । ସେଥିମଧ୍ୟରେ ଭୁବନେଶ୍ୱରରେ ୨୫୦, ଅନ୍ୟ ଜିଲ୍ଲାରୁ ଆସି ଚିହ୍ନଟ ହୋଇଥିବା ୨୭ ରୋଗୀ ରହିଥିବା ବେଳେ ଖୋର୍ଦ୍ଧା ସହର ଓ ଏହାର ସଂଲଗ୍ନ ବିଭିନ୍ନ ବ୍ଲକ ଓ ଅଞ୍ଚଳରେ ରୋଗୀ ସଂଖ୍ୟା ୧୦୧ରେ ପହଞ୍ଚିଛି । ସେହିପରି ଅଜଣା ମାମଲା ୬୨ ରହିଛି। ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ସର୍ବାଧିକ ୨୧, ବାଳକାଟି ୧୪, ବାଲୁଗାଁ ଓ ବାଣପୁରରେ ୫ ଲେଖାଁ, ବାଙ୍କୋଇ ୩, ବୋତଲମା ୭, ହଳଦିଆ ୧୪, ଜଟଣୀ ୮, ଖୋର୍ଦ୍ଧା ସହରରେ ୧, ମେଣ୍ଢାଶାଳ ୧୯ ଓ ଟାଙ୍ଗୀରେ ୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ସହରାଞ୍ଚଳର ଶିଖରଚଣ୍ଡି ନଗର ଓ ପ୍ରଶାନ୍ତି ବିହାରରେ ସର୍ବାଧିକ ୧୭ ଲେଖାଏଁ ରୋଗୀ ରହିଛନ୍ତି ।
ସେହିପରି ପଟିଆ ଓ ସାଲିଆସାହିରେ ୧୪ଜଣ ଲେଖାଏଁ ଓ ନୂଆପଲ୍ଲୀରେ ୧୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏତଦ୍ବାଦ୍ ସହିଦନଗରରେ ୧୦, ଶୈଳଶ୍ରୀବିହାରରେ ୮ ରୋଗୀ ରହିଛନ୍ତି । ସହରର ୮୬ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ତଗତ ତଥ୍ୟରୁ ଜଣାପଡ଼ିଛି ।