ଭୁବନେଶ୍ୱର,୨୫/୦୮: ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ୍ ମାମଲାରେ ମାନସ ରାଉଳ ନାମକ ପୁଲିସ ଡ୍ରାଇଭରଙ୍କ ପରିବାର ଉଜାଡ଼ିଗଲା । ଏନ୍ଏଚ୍ରେ ୨ କାର ରେସିଂରୁ ତାଙ୍କ ସ୍ତ୍ରୀ ରେବତୀ ରାଉଳ ଓ ଝିଅ ରେଶ୍ମାଙ୍କ ମୃତ୍ୟୁ ଘଟିଲା । ଏହି ଛାତିଥରା ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି । ତଥାପି ପୁଲିସ ମଣିଷମରା କାର ଚାଳକଙ୍କୁ ଧରିପାରିଲାନି । ସେପଟେ ପୁଲିସ ସହ ଲୁଚକାଳି ଖୋଳୁଥିବା ଅଭିଯୁକ୍ତ ଏବେ ହାଇକୋର୍ଟରୁ ଅଗ୍ରୀମ ଜାମିନ୍ ଅପେକ୍ଷାରେ ଅଛି ।
ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଥିଲା । ଫୁଲେଶ୍ୱରୀ ବସ୍ତିବାସିନ୍ଦା ଲଗାତାର ୨ଥର ଏନ୍ଏଚ୍ ଅବରୋଧ କରିଥିଲେ । ମାନସ ମଧ୍ୟ କାନ୍ଦି କାନ୍ଦି ଡିସିପି ଜଗମୋହନ ମୀନାଙ୍କୁ ନ୍ୟାୟ ମାଗିଥିଲେ । କର୍ତ୍ତବ୍ୟରେ ବ୍ୟସ୍ତ ରହି ପରିବାରକୁ ସମୟ ଦେଇନପାରିବାରୁ ଏଭଳି ଅଘଟଣ ଘଟିଗଲା ବୋଲି କହିଥିଲେ । ପୁଲିସ ଏହି ଘଟଣାରେ ୪ଜଣଙ୍କୁ ଗିରଫ କଲାଣି । ସ୍କର୍ପିଓରେ ଥିବା ଅଙ୍କିତ ସ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଗିରଫ କରିଥିବା ବେଳେ ଗତକାଲି ସୋହମରାଜ ତ୍ରିପାଠୀ ଓ ରୋହନ ରାଉତଙ୍କୁ ବାନ୍ଧିଛି । ପୁଲିସର ତଦନ୍ତ ଓ ଅଭିଯୁକ୍ତମାନଙ୍କୁ ପଚରାଉଚରାରୁ ଜଣାପଡି଼ଛି ଯେ ଘଟଣାଦିନ ସେମାନେ ପଟିଆରୁ ଜଟଣୀକୁ ବୁଲିବାକୁ ଯାଉଥିଲେ । ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ ଏନ୍ଏଚ୍ରେ ରେସିଂ କରୁଥିଲେ । ଥାର୍ ମାଲିକ ସୋମନାଥ ବେହେରା ଦ୍ରୁତଗତିରେ ଗାଡି଼ ଚଳାଇ ଏହି ଦୁର୍ଘଟଣା ଘଟାଇଛନ୍ତି ।
ଅନ୍ୟପଟେ ସୋମନାଥ ଅଗ୍ରୀମ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା ୨୬ ତାରିଖରେ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଛି । ସୋହମରାଜ, ରୋହନ ଦୁର୍ଘଟଣା ପରେ ମନାଲି ଓ ହରିୟାଣା ବୁଲିବାକୁ ପଳାଇଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି । ପୁଲିସ ବିଶେଷସୂତ୍ରରୁ ଜାଣିବାକୁ ପାଇଛି, ସମାନ ଢ଼ଙ୍ଗରେ ସୋମନାଥ ଥାର୍କୁ ଜଟଣୀ କୁସୁମାଟିରେ ରଖି ରାଜ୍ୟ ସୀମା ଡେଇଁଥିଲେ । ଏକାଧିକ ସହର ବୁଲି ସାରିଥିବା ବେଳେ ଏବେ କେରଳରେ ଲୁଚିଛନ୍ତି ।