କଟକ,୨୫/୦୮ (ସୁକେଶ ବେହେରା): ସପ୍ତାହକ ତଳର କଥା । କେହି ଜଣେ ଗୋଟେ ବୁଲା କୁକୁର ବେକରେ ଜିଆଇ ତାର ଗୁଡ଼ାଇ ଦେଇଥିଲା । କୁକୁରର ଶ୍ୱାସକ୍ରିୟା ବନ୍ଦ ହେବା ପରିସ୍ଥିତିରେ ତାକୁ ଉଦ୍ଧାର କଲେ ସୌମ୍ୟ । ତାର ଯୋଗୁଁ ବେକରେ ଘା’ ହୋଇଯାଇଛି । ଗୁରୁତର ଅବସ୍ଥାରେ କୁକୁରଟିର ଚିକିତ୍ସା ଜାରି ରହିଛି ।
ଏହି କୁକୁରକୁ ମିଶାଇ ସୌମ୍ୟଙ୍କ ଡଗ୍ ସେଲ୍ଟର୍ରେ କୁକୁରଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି । ଏହି କୁକୁର ପଲଙ୍କ ଭିତରେ ୯ଟି ବିଦେଶୀ କୁକୁର ରହିଛନ୍ତି । ଯେଉଁ ବିଦେଶୀ କୁକୁରଙ୍କୁ ବୁଢ଼ା ହେବା ପରେ ସେମାନଙ୍କ ମାଲିକମାନେ ଅସହାୟ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ନିଜ ସେଲ୍ଟର୍ରେ ସ୍ଥାନ ଦେଇଛନ୍ତି କଟକ ସହରର ସୌମ୍ୟ । ଯେଉଁଠି ସ୍ୱାର୍ଥ ସରିଯିବା ପରେ ବୁଢ଼ା କୁକୁରକୁ ଅସହାୟ ଅବସ୍ଥାରେ ଲୋକେ ଛାଡିଦିଅନ୍ତି, ସେଇଠୁ ଆପଣେଇ ନିଅନ୍ତି ସୌମ୍ୟ । ବୁଲା କୁକୁରଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା ଚାଲିଥିବାବେଳେ ସୌମ୍ୟଙ୍କ ଏଭଳି ମହତ୍ କାର୍ଯ୍ୟ ଉଦାହରଣ ପାଲଟିଛି ।
ବିଦେଶୀ ପ୍ରଜାତିର କୁକୁରଙ୍କୁ ଘରେ ରଖିବା ଅନେକଙ୍କ ପାଇଁ ସମ୍ଭ୍ରାନ୍ତପଣର ପ୍ରତୀକ । ଅନେକ କୁକୁରପ୍ରେମୀ ରହିଛନ୍ତି ଯେଉଁମାନେ ବିଦେଶୀ କୁକୁରଙ୍କୁ ବେଶ୍ ଯତ୍ନରେ ରଖନ୍ତି । କିନ୍ତୁ କିଛି ଏଭଳି ଲୋକ ବି ଅଛନ୍ତି ଯେଉଁମାନେ ବିଦେଶୀ କୁକୁର ବୁଢ଼ା ହୋଇଗଲା ପରେ ସେମାନଙ୍କ ସଉକ ମରିଯାଏ । ବୁଢ଼ା କୁକୁରର ଯତ୍ନ ନେବା ପରିବର୍ତ୍ତେ ସହରଠାରୁ ଦୂର ଅଜଣା ସ୍ଥାନରେ ଛାଡ଼ି ଆସନ୍ତି । ଏହି ଧାରା ଏବେ ବଢ଼ିବାରେ ଲାଗିଛି । ସେହିପରି ଦେଶୀ ବୁଲା କୁକୁର ରୋଗିଣା ହେବା ପରେ ସେମାନଙ୍କ କଥା ବୁଝିବାକୁ କେହି ନଥାନ୍ତି । ଏଭଳି ଅସହାୟ କୁକୁରଙ୍କ ସାଥୀ ପାଲଟନ୍ତି ସୌମ୍ୟରଞ୍ଜନ ମହାନ୍ତି । ୩୫ବର୍ଷୀୟ ସୌମ୍ୟ ନିଜସ୍ୱ ଉଦ୍ୟମରେ ନରାଜଠାରେ କେୟାର୍ ଫର୍ ଆନିଲମ୍ ଫାଉଣ୍ଡେସନ୍ ନାମରେ ଏକ ସଂଗଠନ କରିଛନ୍ତି । ଏହି ସଂଗଠନ ଜରିଆରେ ସେ ଅନେକ ଅସହାୟ ଦେଶୀ ବୁଲା କୁକୁରଙ୍କ ସହ ବିଦେଶୀ କୁକୁରଙ୍କୁ ପାଳୁଛନ୍ତି ।
୨୦୨୧ ମସିହାରେ ବିଶିଷ୍ଟ ପଶୁପ୍ରେମୀ ମାନେକା ଗାନ୍ଧିଙ୍କ ପ୍ରତ୍ୟକ୍ଷ ସହଯୋଗ ପାଇ ସୌମ୍ୟ ଏହି ଫାଉଣ୍ଡେସନ୍ ଆରମ୍ଭ କରିଥିଲେ । ନରାଜ ଏବଂ ସିଲଭର୍ ସିଟି ବୋଟ୍ କ୍ଲବ୍ ନିକଟରେ ଦୁଇଟି ଆଶ୍ରମ କରି କୁକୁରଙ୍କୁ ସେଠାରେ ରଖୁଛନ୍ତି । ସେମାନଙ୍କ ଖାଇବା, ପିଇବା ସହିତ ଚିକିତ୍ସା ମଧ୍ୟ ନିଜ ହାତରେ କରୁଛନ୍ତି । ସୌମ୍ୟଙ୍କ କ୍ୟାମ୍ପ୍ରେ ଏବେ ଏମିତି ଅନେକ କୁକୁର ରହିଛନ୍ତି ସେଥିରୁ କିଏ ଅନ୍ଧ ତ’ ଆଉ କାହାର ଗୋଡ଼ ନାହିଁ । ସେହିପରି କ୍ୟାନ୍ସର୍ ଆକ୍ରାନ୍ତ କୁକୁରମାନଙ୍କୁ ରଖି ସେମାନଙ୍କ ସେବା ଜାରି ରଖିଛନ୍ତି ।
ସେହିପରି ବିଦେଶୀ କୁକୁରଙ୍କୁ ଉଦ୍ଧାର କରି ସେମାନଙ୍କୁ ନୂଆ ଜୀବନ ଦେଉଛନ୍ତି ସେ । ଏ ନେଇ ସୌମ୍ୟ କହନ୍ତି, ରାସ୍ତାରେ ବୁଲୁଥିବା କୁକୁର ସୁସ୍ଥ ରହିଲେ ସାଧାରଣତଃ ଲୋକଙ୍କ କିଛି କ୍ଷତି କରନ୍ତି ନାହିଁ । ଯେଉଁମାନେ ରୋଗାକ୍ରାନ୍ତ ସେମାନେ ହିଂସ୍ର ପାଲଟନ୍ତି । ତେଣୁ କୁକୁରମାନଙ୍କ ପ୍ରତି ମନରେ ସମ୍ବେଦନଶୀଳତା ରଖିବା ଦରକାର । ସେହିପରି ଯେଉଁ ଲୋକମାନଙ୍କର କୁକୁରକୁ ମୃତ୍ୟୁ ପର୍ଯ୍ୟନ୍ତ ରଖିବାର ସାହସ ଏବଂ ଇଚ୍ଛା ନାହିଁ ସେମାନେ କାହିଁକି ପାଳୁଛନ୍ତି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।